ଭୁବନେଶ୍ୱର : ସିକ୍ୟୁରିଟି ଦେୟ ଆଦାୟପାଇଁ ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର ଏବେ ଗ୍ରାହକମାନଙ୍କୁ ନୋଟିସ୍ ଧରାଉଥିବାବେଳେ ଏ ବାବଦରେ ୪୯୧ କୋଟି ଟଙ୍କାର ଅଧିକ ଅର୍ଥ ଆଦାୟର ଲକ୍ଷ୍ୟ ରଖିଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ର ବିତରଣ ନିୟମ ଅନୁଯାୟୀ ଦୁଇ ମସାର ବିଦ୍ୟୁତ୍ ଯୋଗାଣ ଦେୟ ଗ୍ରାହକମାନଙ୍କ ଠାରୁ ସିକ୍ୟୁରିଟି ଡିପୋଜିଟ୍ ଆକାରରେ ଆଦାୟ କରାଯାଇଥାଏ । ବିତରଣ କମ୍ପାନୀଗୁଡିକ ଏହି ସିକ୍ୟୁରିଟି ଡିପୋଜିଟ୍କୁ ଏକ ସ୍ୱତନ୍ତ୍ର ପାଣ୍ଠିରେ ରଖିଥାନ୍ତି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ବାର୍ଷିକ ସୁଧ ହାର ଅନୁଯାୟୀ ଏହି ସୁଧ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଥାଏ । ଚୁକ୍ତିନାମା ଶେଷ ହେବାପରେ ଉପଭୋକ୍ତାଙ୍କୁ ସିକ୍ୟୁରିଟି ଜମା ଫେରସ୍ତ କରାଯାଇଥାଏ ।
ଏହି ସୂଚନା ଅନୁଯାୟୀ ସିକ୍ୟୁରିଟି ଡିପୋଜିଟ୍ ଆଦାୟ ପାଇଁ ଟିପିସିଓଡିଏଲ୍ ୧୫,୫୮,୨୯୬ ଜଣ ହିତାଧିକାରୀଙ୍କୁ ନୋଟିସ୍ ଜାରି କରିଛି । ଏହି ତାଲିକାରେ ଅନୁଗୁଳ, କଟକ, ଢେଙ୍କାନାଳ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାର ଗ୍ରାହକମାନେ ରହିଛନ୍ତି । ଏମାନଙ୍କ ଠାରୁ ସିକ୍ୟୁରିଟି ଡିପୋଜିଟ୍ ବାବଦରେ ୧୩୧ କୋଟି ୪୦ଲକ୍ଷ ଟଙ୍କା ଆଦାୟର ଲକ୍ଷ୍ୟ ରହିଛି ।
ସେହିଭଳି ଟିପିଏନଓଡିଏଲ୍ ୧୪,୭୫,୨୫୫ ଜଣ ଗ୍ରାହକଙ୍କୁ ନୋଟିସ୍ ଜାରି କରିଥିବାବେଳେ ଏହି ତାଲିକାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲା ରହିଛି । ଏହିସବୁ ଜିଲ୍ଲାର ହିତାଧିକାରୀଙ୍କ ଠାରୁ ସିକ୍ୟୁରିଟି ଡିପୋଜିଟ୍ ବାବଦରେ କମ୍ପାନୀ ୧୦୮ କୋଟି ୫୨ଲକ୍ଷ ଟଙ୍କା ଆଦାୟର ଲକ୍ଷ୍ୟ ରଖିଛି ।
ଟିପିଡିଓଡବ୍ଲୁଏଲ୍ ୧୪,୦୨,୫୭୩ ଜଣ ଗ୍ରାହକଙ୍କୁ ସିକ୍ୟୁରିଟି ଡିପୋଜିଟ୍ ପଇଠ ପାଇଁ ନୋଟିସ୍ ଜାରି କରିଛି । ଏହି ତାଲିକାରେ ବରଗଡ, ବଲାଙ୍ଗିର, ଝାରସୁଗୁଡା, ସୋନପୁର, ଦେବଗଡ,କଳାହାଣ୍ଡି, ସୁନ୍ଦରଗଡ, ସମ୍ବଲପୁର ଓ ନୂଆପଡାର ଗ୍ରାହକମାନେ ରହିଛନ୍ତି । ଏମାନଙ୍କ ଠାରୁ ବିତରଣ କମ୍ପାନୀ ୧୫୨କୋଟି ୨୭ଲକ୍ଷ ଟଙ୍କା ଆଦାୟ କରିବାର ଲକ୍ଷ୍ୟ ରଖିଛି । ସେହିଭଳି ଟିପିଏସଓଡିଏଲ୍ ୧୪,୨୯,୮୭୭ ଜଣ ଗ୍ରାହକଙ୍କୁ ସିକ୍ୟୁରିଟି ଡିପୋଜିଟ୍ ନୋଟିସ୍ ଜାରି କରିଥିବାବେଳେ ଏ ବାବଦରେ ୯୯କୋଟି ୪୪ଲକ୍ଷ ଟଙ୍କା ଆଦାୟ କରିବ । ଏହି ତାଲିକାରେ ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ବୌଦ, ରାୟଗଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହିତାଧିକାରୀମାନେ ରହିଛନ୍ତି । (ତଥ୍ୟ)