Home General ସିଏସ୍‍ଆର ଖର୍ଚ୍ଚ ୬୧୩ କୋଟି

ସିଏସ୍‍ଆର ଖର୍ଚ୍ଚ ୬୧୩ କୋଟି

ଭୁବନେଶ୍ୱର : ଓଡିଶାରେ କାର୍ଯ୍ୟରତ କମ୍ପାନୀମାନେ ବିଗତ ଦୁଇଟି ବର୍ଷରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ବାବଦରେ ୬୧୩ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି । ଏହି ଅର୍ଥ ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭକରି ସ୍ୱାସ୍ଥ୍ୟସେବା, କ୍ରୀଡା ଓ ସ୍ୱଚ୍ଛ ଭାରତ ବାବଦରେ ଖର୍ଚ୍ଚ ହୋଇଛି ।

ରାଜ୍ୟରେ କାର୍ଯ୍ୟରତ ୨୩ଟି ଶିଳ୍ପସଂସ୍ଥା ବିଗତ ଦୁଇଟି ବର୍ଷ ଅର୍ଥାତ୍‍ ୨୦୨୨-୨୩ ଓ ୨୦୨୩-୨୪ରେ ସିଏସ୍‍ଆର ପାଣ୍ଠି ଜରିଆରେ ୬୧୩ କୋଟିରୁ ଅଧିକ ଅର୍ଥ ବ୍ୟୟ କରିଛନ୍ତି । ୨୦୨୨-୨୩ ବର୍ଷରେ ଏହି କମ୍ପାନୀମାନେ ୪୭୬ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଥିବାବେଳେ ୨୦୨୩-୨୪ ବର୍ଷରେ ଏହି ପରିମାଣ ୧୩୭ କୋଟିରୁ ଅଧିକ ରହିଛି ।

୨୦୨୨-୨୩ ବର୍ଷରେ ସିଏସ୍‍ଆର ବାବଦରେ ଖର୍ଚ୍ଚ କରିଥିବା କମ୍ପାନୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ମହାନଦୀ କୋଲ୍ଡଫିଲ୍ଡ ଲିମିଟେଡ । ଏମ୍‍ସିଏଲ୍‍ ଏହି ବର୍ଷ ସିଏସଆର ବାବଦରେ ପ୍ରାୟ ୧୭୬ କୋଟି ଟଙ୍କା ବ୍ୟୟ କରିଛି । ଏହା ପଛକୁ ରହିଛି ଟାଟା ଷ୍ଟିଲ୍‍ ଲିମିଟେଡ । ଟାଟା ଷ୍ଟିଲ୍‍ ସିଏସଆର ପାଣ୍ଠି ଜରିଆରେ ୧୨୭ କୋଟି ୭୦ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ଏମାନଙ୍କ ବ୍ୟତିତ ରୁଙ୍ଗ୍‍ଟା ସନ୍ସ ୮୮କୋଟି, ଏସଏନ୍‍ ମହାନ୍ତି ୧୯କୋଟି ୪୪ଲକ୍ଷ, ଉତ୍କଳ ଆଲୁମିନା ୧୮କୋଟି ୮୭ଲକ୍ଷ ପ୍ରଦାନ କରିଛନ୍ତି । ଏହି ତାଲିକାରେ ଅନ୍ୟ କମ୍ପାନୀ ମଧ୍ୟରେ ଆଦିତ୍ୟ ଆଲୁମିନିୟମ, ଜିନ୍ଦଲ ଷ୍ଟିଲ, ହିଣ୍ଡାଲ୍‍କୋ, ଇମାମୀ ଗ୍ରୁପ୍‍, ଏସିସି ଲିମିଟେଡ୍‍ ଆଦି ରହିଛନ୍ତି ।

ତେବେ ଏହି କମ୍ପାନୀଗୁଡିକ ୨୦୨୨-୨୩ ତୁଳନାରେ ୨୦୨୩-୨୪ ବର୍ଷରେ ଢେର୍‍ କମ୍‍ ଅର୍ଥ ସିଏସ୍‍ଆର ବାବଦରେ ବ୍ୟୟ କରିଛନ୍ତି । ଏହି ବର୍ଷ ସମସ୍ତ ୨୩ଟି କମ୍ପାନୀ ୧୩୭ କୋଟି ୪୬ଲକ୍ଷ ଟଙ୍କା ବ୍ୟୟ କରିଥିବାବେଳେ ୮ଟି କମ୍ପାନୀ ଆଦୌ ଅର୍ଥ ପ୍ରଦାନ କରିନାହାନ୍ତି । ଅର୍ଥ ପ୍ରଦାନ କରିନଥିବା କମ୍ପାନୀଗୁଡିକ ମଧ୍ୟରେ ରହିଛନ୍ତି ଏସିସି, ଗ୍ଲୋବାଲ କୋଲ୍‍, ହିଣ୍ଡାଲ୍‍କୋ, ରୁଙ୍ଗଟା ମାଇନ୍ସ, ରୁଙ୍ଗ୍‍ଟା ସନ୍ସ, ଉତ୍କଳ ଆଲୁମିନା, ପେଙ୍ଗୁଇନ୍‍ ଟ୍ରେଡିଂ, ଏସ.ଏନ୍‍.ମହାନ୍ତି ଆଦି ।

ସିଏସ୍‍ଆର ପାଣ୍ଠି ଆକାରରେ କମ୍ପାନୀଗୁଡିକ ଯୋଗାଇଥିବା ଅର୍ଥ ମଧ୍ୟରୁ ଏହି ଦୁଇ ବର୍ଷରେ ସର୍ବାଧିକ ୧୮୭ କୋଟି ୫୦ଲକ୍ଷ ଟଙ୍କା ଶିକ୍ଷା ଏବଂ ଦକ୍ଷତା ବିକାଶ ବାବଦରେ ବ୍ୟୟ ହୋଇଥିବାବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୬୪ କୋଟି, ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ୧୨୫କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥି ସହିତ ସଶସ୍ତ୍ର ବଳ ପାଇଁ ୧୦କୋଟି ୫୦ଲକ୍ଷ, ବିପର୍ଯ୍ୟୟ ପରିଚାଳନା ପାଇଁ ୧କୋଟି ୨୫ଲକ୍ଷ, ପରିବେଶ ପାଇଁ ୨୩କୋଟି ୯୩ଲକ୍ଷ, ଲିଙ୍ଗଗତ ସମାନତା ଓ ସଶକ୍ତିକରଣ ପାଇଁ ୧୨କୋଟି ୯୧ଲକ୍ଷ, ଜାତୀୟ ଐତିହ୍ୟ ପାଇଁ ୫କୋଟି ୭୬ଲକ୍ଷ, ରିଲିଫ ପାଣ୍ଠି ପାଇଁ ୩କୋଟି ୩୯ଲକ୍ଷ, ବସ୍ତି ବିକାଶ ପାଇଁ ୩କୋଟି ୫୯ଲକ୍ଷ, କ୍ରୀଡା ପାଇଁ ୩କୋଟି ୬୦ଲକ୍ଷ ଏବଂ ଇନକ୍ୟୁବେଟର ଜ୍ଞାନକୌଶଳ ବାବଦରେ ୫କୋଟି ୨୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ ଓଡିଶା ସରକାରଙ୍କ ଶିଳ୍ପନୀତିରେ ଆକର୍ଷିତ ହୋଇ ରାଜ୍ୟରେ ଏକାଧିକ ସଂସ୍ଥା ଶିଳ୍ପ ସ୍ଥାପନ କରି ମୋଟା ଅଙ୍କର କାରବାର କରୁଥିବାବେଳେ ମାତ୍ର ୨୩ଟି ସଂସ୍ଥା ସିଏସଆର ବାବଦରେ ଅର୍ଥ ବ୍ୟୟ କରିବାକୁ ନେଇ ଏବେ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)