ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗର ଅନଭିଜ୍ଞତା ଯୋଗୁଁ ନିର୍ମାଣ କାର୍ଯ୍ୟରେ ୭ କୋଟି ଟଙ୍କାରୁ ଅଧିକ ଅପଚୟକୁ ଧରିଛନ୍ତି ସିଏଜି । ଗୋଟିଏ ସରକାରୀ ସଂସ୍ଥା ହାତରୁ କାମ ନେଇ ଆଉ ଗୋଟିଏ ସରକାରୀ ସଂସ୍ଥାକୁ ଦେବା ଫଳରେ ରାଜକୋଷରୁ ଏଭଳି ଅତିରିକ୍ତ ଖର୍ଚ୍ଚ ହୋଇଛି ।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୧୬ ଅକ୍ଟୋବର ମାସରେ ୫୦ କୋଟି ୫୯ଲକ୍ଷ ଟଙ୍କା ବ୍ୟୟ ଆକଳନରେ ବୈଦ୍ୟୁତିକ ସାଜ ସରଞ୍ଜାମ ସହିତ ଶିକ୍ଷାଦାନ ବ୍ଲକ, ପ୍ରଶାସନିକ ବ୍ଲକ, ଅଡିଟୋରିୟମ, ହଷ୍ଟେଲ, ଲାଇବ୍ରେରୀ ଏବଂ କ୍ୟାଣ୍ଟିନ ନିର୍ମାଣ ପାଇଁ କେନ୍ଦ୍ରୀୟ ସଂସ୍ଥା ସିପିଡବ୍ଲୁଡିକୁ କାମ ଦେବା ସହିତ ୪୦ କୋଟି ୫୭ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।
ସିପିଡବ୍ଲୁଡି ଜଣାଇଥିଲା ଯେ ୨୦୧୯ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ୪୨ କୋଟି ଟଙ୍କାରେ କାମ ସମାପ୍ତ ହୋଇପାରେ । ଅର୍ଥ ବୃଦ୍ଧି ପାଇଁ କହିବା ସତ୍ୱେ ଚୁକ୍ତିନାମାରେ ସଂଶୋଧନ କରାଯାଇନଥିଲା । ୨୦୧୯ ରେ ସିପିଡବ୍ଲୁଡି ଅସମ୍ପୂର୍ଣ୍ଣ ଅଡିଟୋରିୟମ ବ୍ୟତିତ ଅନ୍ୟ ସମସ୍ତ କୋଠାକୁ ନିଜ ହାତକୁ ନେବାକୁ ବିଶ୍ୱବିଦ୍ୟାଳୟକୁ ଅନୁରୋଧ କରିଥିଲା । ଏଥି ସହିତ ଅବଶିଷ୍ଟ କାର୍ଯ୍ୟ ସାରିବାପାଇଁ ବକେୟା ୩.୮୫ କୋଟି ଓ ଆଉ ଅତିରିକ୍ତ ୩.୮୦ କୋଟି ଟଙ୍କା ଦେବାକୁ ଅନୁରୋଧ କରିଥିଲା । ତେଣୁ ସିପିଡବ୍ଲୁଡିର ସଂଶୋଧିତ ମୂଲ୍ୟ ୪୮.୨୨ କୋଟି ଟଙ୍କା ହୋଇଥିଲା ଓ ଯାହାର ମୂଳ ଆକଳନ ୫୦.୫୯ କୋଟି ଟଙ୍କା ଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ କାମକୁ ୪୨ କୋଟି ଟଙ୍କାରେ ସାରିବାକୁ ସିପିଡବ୍ଲୁଡିକୁ ଜଣାଇଥିଲେ । କିନ୍ତୁ ସିପିଡବ୍ଲୁଡି ଚୁକ୍ତିନାମା ଅନୁପସ୍ଥିତିରେ ୪୨ କୋଟି ଟଙ୍କାରେ କାମ କରିବାକୁ ମନାକରି ଦେଇଥିଲା ।
ଫଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୧ରେ ଅବଶିଷ୍ଟ କାର୍ଯ୍ୟ ସାରିବାପାଇଁ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଓଡିଶା ରାଜ୍ୟ ପୁଲିସ୍ ହାଉସିଂ ଆଣ୍ଡ୍ ୱେଲଫେୟାର ବୋର୍ଡକୁ ଦେବାପାଇଁ ଉଚ୍ଚଶିକ୍ଷା ବିଭାଗକୁ ସୁପାରିଶ୍ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ନିଗମକୁ ୧୧.୨୫ କୋଟି ଟଙ୍କା ମୂଲ୍ୟରେ କାର୍ଯ୍ୟ ନ୍ୟସ୍ତ କରିଥିଲା ଏବଂ ସିପିଡବ୍ଲୁଡିକୁ ତାହାର ବକେୟା ୩.୮୫ କୋଟି ଟଙ୍କା ପ୍ରଦାନକୁ ଅନୁମୋଦନ କରିଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୩ରେ ସମାପ୍ତ ହୋଇଥିଲା । ଏହିପରି ଭାବରେ ପ୍ରକଳ୍ପର ମୂଲ୍ୟ ୫୫.୬୭କୋଟି ଟଙ୍କାରେ ପହଞ୍ଚି ଯାଇଥିଲା ।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ସିପିଡବ୍ଲୁଡି ଏହି କାର୍ଯ୍ୟଟିକୁ ୪୮.୨୨ କୋଟି ଟଙ୍କାରେ ସାରିଦେଇଥାନ୍ତେ । କିନ୍ତୁ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟକୁ ପୁଲିସ୍ ଗୃହ ନିର୍ମାଣ ନିଗକୁ ଦେବା ଫଳରେ ପ୍ରକଳ୍ପର ମୂଲ୍ୟ ୫୫.୬୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ସିଏଜି ସ୍ପଷ୍ଟ ଦର୍ଶାଇଛନ୍ତି ଯେ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗର ଏଭଳି ଅନଭିଜ୍ଞତା ଯୋଗୁଁ ରାଜକୋଷରୁ ଅତିରିକ୍ତ ଭାବେ ୭.୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । (ତଥ୍ୟ)