ଭୁବନେଶ୍ୱର : ସାର ଅଭାବକୁ ନେଇ ପ୍ରତିବର୍ଷ ଚାଷ ସମୟରେ ସାରା ରାଜ୍ୟରେ ହୋ ହଲ୍ଲା ହେଉଥିବାବେଳେ ରସାୟନିକ ସାରର ବ୍ୟବହାର କିନ୍ତୁ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୨୨-୨୩ ବର୍ଷରେ ରାଜ୍ୟର ଚାଷୀମାନେ ୧୧ଲକ୍ଷ ମେଟ୍ରିକ ଟନ୍ ସାର ବ୍ୟବହାର କରିଥିବାବେଳେ ୨୦୨୪-୨୫ ରେ ଏଡା ୧୩ଲକ୍ଷ ମେଟ୍ରିକ ଟନ୍କୁ ଟପିଯାଇଛି ।
ପ୍ରତିବର୍ଷ ଚାଷ ସମୟରେ ସାର ଅଭାବକୁ ନେଇ ପ୍ରତ୍ୟେକ ଜିଲ୍ଲାରେ ଚାଷୀ ଅସନ୍ତୋଷ ଦେଖାଯାଇଥାଏ । ବିଶେଷକରି ୟୁରିଆ ସାର ଅଭାବକୁ ନେଇ ଚାଷୀମାନେ ହୋ ହଲ୍ଲା କରିବା ସହିତ ବିଭିନ୍ନ ସ୍ଥାନରେ ଆଇନ୍କୁ ହାତକୁ ନେବାକୁ ପଛାଇ ନଥାନ୍ତି । ରାତି ଅନିଦ୍ରା ହୋଇ ଚାଷୀମାନେ ସମବାୟ ସମିତି ଆଗରେ ବସି ରହିବା ସହିତ କେତେକ ସ୍ଥାନରେ ସାର ଟ୍ରକକୁ ଲୁଟ୍ କରିବାର ବି ନଜିର ରହିଛି ।
ତେବେ ଏତେସବୁ ସତ୍ୱେ ବି ସାର ବ୍ୟବହାର ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୨୨-୨୩ ବର୍ଷରେ ଖରିଫ ଋତୁରେ ରାଜ୍ୟରେ ୭ଲକ୍ଷ ୭୩ ହଜାର ଟନ୍ ସାର ବ୍ୟବହାର ହୋଇଥିବାବେଳେ ରବି ଋତୁରେ ଏହା ୩ଲକ୍ଷ ୨୭ ହଜାର ଟନ୍ ଥିଲା । ସେହିଭଳି ୨୦୨୩-୨୪ ବର୍ଷ ଖରିଫରେ ସାର ବ୍ୟବହାର ପାଖାପାଖି ୯ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ସେହିବର୍ଷ ରବି ଋତୁରେ ଏହା ୩ଲକ୍ଷ ଟନ୍ ପାଖାପାଖି ପହଞ୍ଚି ଯାଇଥିଲା । ୨୦୨୪-୨୫ ବର୍ଷ ଖରିଫରେ ସାର ବ୍ୟବହାର ୯ଲକ୍ଷ ୭୨ ହଜାର ଟନ୍କୁ ଟପି ଯାଇଥିବାବେଳେ ଖରିଫରେ ଏଡା ୪ଲକ୍ଷ ମେଟ୍ରିକ ଟନ୍ ପାଖାପାଖି ରହିଥିଲା ।
ଧାନ ଉତ୍ପାଦନରେ ଆଗୁଆ ଥିବା ଜିଲ୍ଲାଗୁଡିକ ସାର ବ୍ୟବହାରରେ ମଧ୍ୟଆଗରେ ଥିବା ଦେଖିବାକୁ ମିଳିଛି । ଗତବର୍ଷ ଖରିଫ ଋତୁରେ ନବରଙ୍ଗପୁର ଜିଲ୍ଲାରେ ଏକ ଲକ୍ଷ ଟନ୍ରୁ ଅଧିକ ସାର ବ୍ୟବହାର ହୋଇଥିବାବେଳେ ବରଗଡରେ ଏହି ପରମାଣ ୮୫ ହଜାର ଟନ୍ରୁ ଅଧିକ ରହିଥିଲା । କଳାହାଣ୍ଡିରେ ୭୮ହଜାର ଟନ୍ରୁ ଅଧିକ ସାର ବ୍ୟବହାର ହୋଇଥିବା ଜଣାଯାିଛି । ସେହିଭଳି ଏହିବର୍ଷ ରବି ଋତୁରେ ବରଗଡ ଜିଲ୍ଲାରେ ସର୍ବାଧିକ ୬୨ ହଜାର ଟନ୍ରୁ ଅଧିକ ସାର ବ୍ୟବହାର ହୋଇଛି । ତେବେ ଉଭୟ ଖରିଫ ଓ ରବିରେ ସାର ବ୍ୟବହାର କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ସବୁଠାରୁ ତଳେ ରହିଛି ।
ପରିବେଶର ସୁରକ୍ଷା ସହିତ ଜୈବିକ ଫସଲ ଉତ୍ପାଦନ ପାଇଁ ସରକାର ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେଉଥିବାରୁ ଏହାର ବ୍ୟବହାର ମଧ୍ୟ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । ୨୦୨୨-୨୩ ବର୍ଷରେ ରାଜ୍ୟରେ ୬୧,୩୮୦ ଟନ୍ ଜୈବିକ ସାର ବ୍ୟବହାର ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ଏହି ପରିମାଣ ୯୦,୩୮୦ ମେଟ୍ରିକ ଟନ୍ ଏବଂ ୨୦୨୪-୨୫ ବର୍ଷରେ ଏହା ୧ଲକ୍ଷ ୪୭ହଜାର ଟନ୍ ରହିଥିଲା ।
ଗତବର୍ଷ ଜୈବିକ ସାର ବ୍ୟବହାର କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲା ସବୁଠାରୁ ଆଗରେ ରହିଥିଲା । ଏହିଜିଲ୍ଲାରେ ସର୍ବାଧିକ ୨୩,୭୫୦ଟନ୍ ଜୈବିକ ସାର ବ୍ୟବହାର ହୋଇଥିବାବେଳେ ବରଗଡ ଓ ଖୋରଧା ଜିଲ୍ଲାରେ ଏହି ପରିମାଣ ୧୫ହଜାର ଟନ୍ରୁ ଅଧିକ ରହିଥିଲା । ତେବେ ଜୈବିକ ସାର ବ୍ୟବହାର କ୍ଷେତ୍ରରେ କୋରାପୁଟ ଜିଲ୍ଲା ସବୁଠାରୁ ତଳେ ରହିଛି । ଏଠାରେ ଜୈବିକ ସାର ବ୍ୟବହାର ପରିମାଣ ୩୮୬ ଟନ୍ର ସୀମିତ ରହିଛି । ଅନୁଗୁଳରେ ଏହି ପରିମାଣ ୪୦୦ ଟନ୍ ରହିଛି ।
ଜୈବିକ ସାର ମଧ୍ୟରେ ବିଶେଷକରି ଜିଆଖତ, କମ୍ପୋଷ୍ଟ ପ୍ରସ୍ତୁତି, ହାଣ୍ଡିଖତ, ନିମାସ୍ତ୍ର, ବ୍ରହ୍ମାସ୍ତ୍ର, ଆଗ୍ନେସ୍ତ୍ର, ଜୀବାମୃତ, ବୀଜାମୃତ,ଧଣିଚା, ନୀଳଶୈବାଳ ଓ ଆଜୋଲା ଆଦି ପ୍ରସ୍ତୁତି ପାଇଁ ଚାଷୀମାନଙ୍କ ଉତ୍ପାଦନ କୌଶଳ ଓ ପ୍ରୟୋଗ ସଂକ୍ରାନ୍ତରେ ତାଲିମ ଦିଆଯାଉଛି । ପରମ୍ପରାଗତ କୃଷି ବିକାଶ ଯୋଜନାର ତୃତୀୟ ପର୍ଯ୍ୟାୟରେ ୪ଟି ଜିଲ୍ଲା ଯଥା କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ୬୫୦୦ ହେକ୍ଟର ଜମିରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଛି । ସେହିପରି ଜାତୀୟ ପ୍ରାକୃତିକ କୃଷି ମିଶନ ଯୋଜନା ମାଧ୍ୟମରେ ରାଜ୍ୟରେ ୧୦ଟି ଜିଲ୍ଲାରେ ୨୪,୧୫୦ ହେକ୍ଟର ଜମିରେ ପ୍ରାକୃତିକ କୃଷି ପଦ୍ଧତିରେ କ୍ଷେତ୍ର ପରିଦର୍ଶନ କରାଯାଉଛି । (ତଥ୍ୟ)