ଭୁବନେଶ୍ୱର : ଅତ୍ୟଧିକ କୀଟନାଶକ ଓ ରସାୟନିକ ସାର ଚାଷକାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ ଓଡିଶାରେ କର୍କଟରୋଗୀଙ୍କ ସଂଖ୍ୟା ବଢୁଛି ବୋଲି ସରକାର ବହୁ ବିଳମ୍ବରେ ସ୍ୱୀକାର କରିଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ସଂକ୍ରାନ୍ତରେ କିନ୍ତୁ ସମସ୍ତେ ନିରବ ।
ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ହାଇବ୍ରିଡ ବିହନ ଚାଷ ପାଇଁ ଅଧିକ ପରିମାଣର ରସାୟନିକ ସାର ପ୍ରୟୋଗ କରିବାକୁ ପଡୁଛି । ଏହା ସହିତ ରୋଗପୋକଙ୍କ ଦାଉରୁ ଫସଲ ରକ୍ଷା ଲାଗି ଚାଷୀମାନେ ଅଧିକ ପରିମାଣର କୀଟନାଶକ ବ୍ୟବହାର କରୁଛନ୍ତି । ଅଧିକାଂଶ ସ୍ଥଳରେ କୃଷି ବିଶେଷଜ୍ଞଙ୍କ ମତାମତ ନିଆନଯାଇ ଆଖିବୁଜା କୀଟନାଶକ ଓ ରସୟାନିକ ସାର ପ୍ରୟୋଗ ହେଉଛି । କ୍ଷେତ୍ର ସ୍ତରରେ ସ୍ୱଳ୍ପ ସଂଖ୍ୟକ କୃଷି ଅଧିକାରୀ ଥିବା ଯୋଗୁଁ ସବୁ ଚାଷୀ ସେମାନଙ୍କ ନିକଟକୁ ଆସି କୀଟନାଶକ ଓ ରସାୟନିକ ସାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିବା ସମ୍ଭବପର ହେଉନାହିଁ ।
ନିଜ ଅଞ୍ଚଳର ସମସ୍ତ କୃଷି ଜମିକୁ ପରିଦର୍ଶନ କରିବା ମଧ୍ୟ ସୀମିତ ସଂଖ୍ୟକ କର୍ମଚାରୀଙ୍କ ପକ୍ଷରେ ସମ୍ଭବପର ହେଉନଥିବାରୁ କୀଟନାଶକ ଦୋକାନୀଙ୍କୁ ପଚାରି ମନଇଚ୍ଛା ବ୍ୟବହାର କରାଯାଉଛି । ଅନେକ କ୍ଷେତ୍ରରେ ନକଲି କୀଟନାଶକ ଓ ସାର ବି ପ୍ରୟୋଗ କରାଯାଉଛି ।
ପରିବେଶବିଜ୍ଞାନୀମାନେ କହୁଛନ୍ତି ଯେ ଅତ୍ୟଧିକ କୀଟନାଶକ ଓ ରସାୟନିକ ସାର ପ୍ରୟୋଗ ଯୋଗୁଁ ମାଟି, ପାଣି ଓ ପବନ ବିଷାକ୍ତ ହେଉଛି । ଏହି ଶସ୍ୟ, ଫଳ ଓ ପନିପରିବା ଖାଇବା ଫଳରେ କର୍କଟ ସମେତ ବିଭିନ୍ନ ପ୍ରକାରର ରୋଗବ୍ୟାଧି ଉପୁଜୁଛି । ବିଦେଶରେ ଯେଉଁସବୁ କୀଟନାଶକ ନିଷିଦ୍ଧ ହୋଇଛି ଆମ ରାଜ୍ୟରେ ସେଥିରୁ ଅଧିକାଂଶ ପ୍ରଚଳିତ ହେଉଛି । କେବଳ କୃଷି ସାମଗ୍ରୀ ନୁହେଁ, ମାଛ, ଚିଙ୍ଗୁଡି, କୁକୁଡା ଆଦି ଚାଷରେ ବି ବ୍ୟବହାର କରାଯାଉଥିବା ହରମୋନ୍ ଓ ଅନ୍ୟାନ୍ୟ ରସାୟନିକ ସାମଗ୍ରୀ ମଧ୍ୟ ଶରୀର ଉପରେ କୁପ୍ରଭାବ ପକାଉଛି । ଏହାଛଡା ଶସ୍ୟ ସଂରକ୍ଷଣ ପାଇଁ ବ୍ୟବହାର ହେଉଥିବା ରସାୟନିକ ପଦାର୍ଥର ମଧ୍ୟ ପ୍ରତିକୂଳ ପ୍ରଭାବ ହେଉଛି । ସେହଭଳି ବଜାରରେ କଦଳୀ, ଅମୃତଭଣ୍ଡା, ଆମ୍ବ ଭଳି ପାଚିଲା ଫଳରେ ବି ରସାୟନିକ ସିଞ୍ଚନ ହେଉଛି । ଲୋକଙ୍କ ଶରୀରକୁ ଏହା ସିଧାସଳଖ ଯାଉଛି ।
ବଜାରରେ ମିଳୁଥିବା ଗୁପଚୁପ୍, ଫାଷ୍ଟଫୁଡ୍ ଆଦିରେ ରଙ୍ଗ ସମେତ ବିଭିନ୍ନ କିସମର ରସାୟନିକ ପଦାର୍ଥ ସିଧାସଳଖ ଖାଇବାକୁ ଦିଆଯାଉଛି । ସଂଖ୍ୟାଧିକ କ୍ଷେତ୍ରରେ ଗୁପଚୁପ୍ ପ୍ରସ୍ତୁତି ପାଇଁ ତେନ୍ତୁଳି ପରିବର୍ତ୍ତେ ରସାୟନିକ ପଦାର୍ଥରେ ଖଟାପାଣି ପ୍ରସ୍ତୁତ ହେଉଛି । ସରବତ ଠାରୁ ଆରମ୍ଭ କରି ଆଖୁରସ ଏମିତିକି ଛତୁ ଆଦିରେ ବି ସଂକ୍ରମଣ ରହୁଛି । ଖାଦ୍ୟ ସାମଗ୍ରୀ ଯାଞ୍ଚ କରିବାପାଇଁ ଯେଉଁ ସରକାରୀ ବ୍ୟବସ୍ଥା ରହିଛି ତାହା ପର୍ଯ୍ୟାପ୍ତ ନଥିବା ଏବଂ ଉପଲବ୍ଧ ହେଉଥିବା ନକଲି ଔଷଧ, ବିଷାକ୍ତ ନିଶା ସାମଗ୍ରୀ ଆଦିର ବହୁଳ ବ୍ୟବହାର ଯୋଗୁଁ କର୍କଟ ସମେତ ବିଭିନ୍ନ ବ୍ୟୟବହୁଳ ରୋଗ ହେଉଥିବା କଥା ଚିକିତ୍ସାବିଜ୍ଞାନୀମାନେ କହୁଛନ୍ତି । (ତଥ୍ୟ)