Home General ସାଧାରଣ ବଣ୍ଟନ ପ୍ରତି ମହିଳା ଗୋଷ୍ଠି ବିମୁଖ

ସାଧାରଣ ବଣ୍ଟନ ପ୍ରତି ମହିଳା ଗୋଷ୍ଠି ବିମୁଖ

ଭୁବନେଶ୍ୱର : ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ହାତକୁ ଗୋଟିଏ ପରେ ଗୋଟିଏ ଦାୟିତ୍ୱ ଯାଉଥିବାବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସେମାନଙ୍କ ସମ୍ପୃକ୍ତ ଅତି ନଗଣ୍ୟ । ରାଜ୍ୟରେ ମାତ୍ର ଦୁଇ ହଜାରରୁ ସାମାନ୍ୟ ଅଧିକ ମହିଳା ଗୋଷ୍ଠି ସାଧାରଣ ବଣ୍ଟନ ବ୍ୟବସ୍ଥା ଚଳାଉଛନ୍ତି ।

ରାଜ୍ୟରେ ୬ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିରେ ୭୦ଲକ୍ଷ ମହିଳା ରହିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ମହିଳା ଗୋଷ୍ଠିଙ୍କ ଦ୍ୱାରା ଚଳାଇବାର ବ୍ୟବସ୍ଥା ଥିବାବେଳେ ମାତ୍ର ୨୦୨୯ ଗୋଷ୍ଠି ଏହି ଦାୟିତ୍ୱ ତୁଲାଉଛନ୍ତି । ଗାଁ ଗହଳରେ ଏଥିପ୍ରତି ମହିଳା ଗୋଷ୍ଠି ଆଗ୍ରହ ପ୍ରକାଶ କରୁନଥିବା ଲକ୍ଷ୍ୟ କରାଯାଉଛି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ୫୪୬୬ ଘରୋଇ କଣ୍ଟ୍ରୋଲ ସାମଗ୍ରୀ ବିକ୍ରେତା ଥିବାବେଳେ ୪୦୪୪ଟି ପଞ୍ଚାୟତ ହାତରେ ସାଧାରଣ ବଣ୍ଟନ ବ୍ୟବସ୍ଥା ରହିଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ଏଥିରେ ସାମିଲ ପାଇଁ ନିୟମ ରହିଥିଲେ ମଧ୍ୟ ୬ଲକ୍ଷ ଗୋଷ୍ଠି ମଧ୍ୟରୁ ମାତ୍ର ଦୁଇ ହଜାର ଏହି ଦାୟିତ୍ୱ ତୁଲାଉଛନ୍ତି । ତେବେ ଏ କ୍ଷେତ୍ରରେ ଆର୍ଥିକ ବୋଝ ସହିତ ପରିଚାଳନା ଗତ ସମସ୍ୟା ଥିବାରୁ ମହିଳା ଗୋଷ୍ଠିମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନଥିବା କୁହାଯାଉଛି ।

ତେବେ ସାଧାରଣ ବଣ୍ଟନ ବ୍ୟବସ୍ଥା ତୁଲାଉଥିବା ମହିଳା ଗୋଷ୍ଠିଙ୍କ ମଧ୍ୟରେ ସର୍ବାଧିକ ୫୭୩ ଢେଙ୍କାନାଳ ଜିଲ୍ଲାରେ ଥିବାବେଳେ ଅନୁଗୁଳରେ ୧୬୪, ଜଗତ୍‍ସିଂହପୁରରେ ୧୨୯, କେନ୍ଦୁଝରରେ ୧୨୨, ଭଦ୍ରକରେ ୧୧୨, କେରାପୁଟରେ ୧୦୮ ଓ କଟକରେ ୧୦୨ ଗୋଷ୍ଠି ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା କରୁଛନ୍ତି । ବୌଦ ଜିଲ୍ଲାରେ ଗୋଟିଏ ହେଲେ ସ୍ୱୟଂ ସହାୟକ ଗୋଷ୍ଠି ସାଧାରଣ ବଣ୍ଟନ ବ୍ୟବସ୍ଥା ଚଳାଉନଥିବାବେଳେ ସୋନପୁରରେ ମାତ୍ର ୫ ଗୋଷ୍ଠି ଏହି କାର୍ଯ୍ୟ ଚଳାଇଛନ୍ତି ।

ମହିଳା ଗୋଷ୍ଠିଗୁଡିକୁ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଣ ପାଇଁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେବା ସହିତ ଏହି ସୁଧ ସରକାର ପଇଠ କରୁଛନ୍ତି । ଏଭଳି ସ୍ଥିତିରେ ମହିଳା ଗୋଷ୍ଠିଗୁଡିକ କାହିଁକି ସାଧାରଣ ବଣ୍ଟନ ବ୍ୟବସ୍ଥା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ତାହା କର୍ତ୍ତୃପକ୍ଷଙ୍କ ଆଶ୍ଚର୍ଯ୍ୟ କରିଛି । କେବଳ ସାଧାରଣ ବଣ୍ଟନ ବ୍ୟବସ୍ଥା ନୁହେଁ, ବିଜୁଳି ବିଲ୍‍ ଆଦାୟ ଠାରୁ ଆରମ୍ଭରକି ପାଣିବିଲ୍‍ ଆଦାୟ ପର୍ଯ୍ୟନ୍ତ ବିଭିନ୍ନ ଦାୟିତ୍ୱ ମହିଳା ଗୋଷ୍ଠିଙ୍କ ହାତରେ ସରକାର ପ୍ରଦାନ କରିଛନ୍ତି । (ତଥ୍ୟ)