Home Administration ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆସନ୍ତା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୬ ପାଳନ ପରିପ୍ରେକ୍ଷୀରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଅଧ୍ୟକ୍ଷତା କରି କହିଲେ ଯେ ସାଧାରଣତନ୍ତ୍ର ଦିବସ ହେଉଛି ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଭାବବେଗର ପ୍ରତୀକ ।

ମହାତ୍ମା ଗାନ୍ଧୀ ମାର୍ଗରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି ଉତ୍ସବକୁ ଅତ୍ୟନ୍ତ ଶୃଙ୍ଖଳିତ, ଆଧୁନିକ ଓ ଆକର୍ଷଣୀୟ ଭାବରେ ପାଳନ କରିବାକୁ ସେ କହିଥିଲେ । ଉତ୍ସବର ପ୍ରତ୍ୟେକ ଆୟୋଜନ ଯଥା-ପାରେଡ୍‌, ସାଜସଜ୍ଜା, ଆମନ୍ତ୍ରିତ ଅତିଥିଙ୍କ ଉପବେସନ ବ୍ୟବସ୍ଥା, ସୁରକ୍ଷା, ସମୟନିଷ୍ଠତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।

ବୈଠକରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ପାର୍କ ଓ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଭାତରେ ରାମଧୁନ୍‌ ପରିବେଷଣ କରି ଦେଶପ୍ରେମ ଭାବନା ସୃଷ୍ଟି କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହ ପତାକା ଉତ୍ତୋଳନ ସ୍ଥଳରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଉତ୍ସବ ସ୍ଥଳର ସାଜସଜ୍ଜା ଓ ପ୍ରଜ୍ଞାପନ ମେଢ ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ସାଧାରଣତନ୍ତ୍ର ଦିବସ ପାଳନକୁ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଅଧିକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ବୈଠକର ଆଲୋଚନାରୁ ଜଣାପଡ଼ିଛି । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାଗୁଡ଼ିକରେ ଆଲୋକ ସଜ୍ଜା କରାଯିବା ସହ ସମସ୍ତ ବ୍ୟବସ୍ଥାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍‌ବୀର୍‌ ସିଂ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।