ଭୁବନେଶ୍ୱର : ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ମୁଦୁଲିପଡା ଥାନା ଅର୍ନ୍ତଗତ ଭାଜାଗୁଡା, ବିସାଇଗୁଡା, ଖାଲଗୁଡା, ପାତ୍ରପୁଟ, ଉଣ୍ଡେଇପଦର, ସମ୍ବଲପୁର ଏବଂ ସିନ୍ଧୁପୁର ଗ୍ରାମ ଏବଂ ଆନ୍ଧ୍ରପ୍ରଦେଶ ଆଲୁରି ସିତାରାମ ରାଜୁ ଜିଲ୍ଲା ମୁଚିଙ୍ଗିପୁଟ ଥାନା ଅର୍ନ୍ତ ରଙ୍ଗବେଲ ପଞ୍ଚାୟତର ପାଦଲପୁଟ, କୁସୁମପୁଟ, ମାତାମପୁଟ ଏବଂ ଯୋଡିଗୁମା ଗ୍ରାମର ୩୦୦ ରୁ ଅଧିକ ସକ୍ରିୟ ମାଓବାଦୀ ଏବଂ ୭୦୦ରୁ ଅଧିକ ସମର୍ଥକ ମାଲକାନଗିରି ପୁଲିସ୍ ଏବଂ ବିଏସ୍ଏଫ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଆତ୍ମସମର୍ପଣ ସମୟରେ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସ୍ପି ନିତେଶ ୱାଧୱାନି, ବିଏସଏଫ୍ ଡିଆଇଜି ମଦନ ଲାଲ ଏବଂ ଶ୍ରୀ ଜଗଦୀଶ ଦଲାଇ, ୨ ଆଇସି, ୬୫ ବାଟାଲିୟନ ପ୍ରମୁଖ ଉପିସ୍ଥିତ ଥିଲେ ।
ଏହି ସମସ୍ତ ଗ୍ରାମ ଓଡିଶା-ଆନ୍ଧ୍ର ସୀମାରେ ଅବସ୍ଥିତ ଏବଂ ଏହା ମାଓବାଦୀଙ୍କ ପୂର୍ବ ଗଡ଼ ଥିଲା । ଏହି ମାଓବାଦୀ ସମର୍ଥକମାନେ ହିଂସାତ୍ମକ କାର୍ଯ୍ୟକଳାପରେ ସାହାଯ୍ୟ କରୁଥିଲେ ଏବଂ ସୁରକ୍ଷା ବାହିନୀ, ସାଧାରଣ ନାଗରିକଙ୍କ ହତ୍ୟାରେ ଜଡିତ ଥିଲେ । ସେମାନେ ମଧ୍ୟ ମାଓବାଦୀମାନଙ୍କୁ ସାଜ ସରଞ୍ଜାମ ଯୋଗାଉଥିଲେ ।
ଓଡିଶାରେ ଆତ୍ମସମର୍ପଣ କରିଥିବା ମିଲିସିଆ / ସମର୍ଥକ ତଥା ସୀମାନ୍ତ ଆନ୍ଧ୍ର ମାଓବାଦୀଙ୍କ ପୋଷାକ ସାମଗ୍ରୀ ଏବଂ କୁଶପୂତ୍ତଳିକା ଜାଳି ମାଓବାଦୀ ଆଦର୍ଶ ପ୍ରତି ନିଜର ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ଆତ୍ମସମର୍ପଣ କରିବା ପୂର୍ବରୁ ଗଣମାଧ୍ୟମ ଆଗରେ ମାଓବାଦୀ ମୁର୍ଦ୍ଦାବାଦ ଆମ ସରକାର ଜିନ୍ଦବାଦ ସ୍ଲୋଗାନ ଦେଇଥିଲେ ।
ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପ ଏବଂ ସୁରକ୍ଷା ବାହିନୀର ରଣନୈତିକ ନିୟୋଜନ ଗ୍ରାମବାସୀଙ୍କୁ ମୁଖ୍ୟ ସ୍ରୋତରେ ଯୋଗଦେବାକୁ ପ୍ରେରଣା ଦେଇଛି । ନୂତନ ରାସ୍ତା, ସେତୁ, ଚିକିତ୍ସା ସୁବିଧା, ମୋବାଇଲ୍ ଟାୱାର ସ୍ଥାପନ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଅଞ୍ଚଳର ସମସ୍ତ ଘରକୁ ବିଦ୍ୟୁତ ଯୋଗାଣ ଭଳି ବିକାଶମୂଳକ କାର୍ଯ୍ୟଗୁଡ଼ିକର ଧାରା ସେମାନଙ୍କୁ ମୁଖ୍ୟ ସ୍ରୋତରେ ଯୋଗଦେବା ଏବଂ ବିକାଶ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିଛି ।
ଏହାପୂର୍ବରୁ ୦୨.୦୬.୨୦୨୨ ରେ, ୫୦ ସକ୍ରିୟ ଦୁର୍ଦ୍ଦାନ୍ତ ମାଓବାଦୀ ସମର୍ଥକ ଓଡିଶା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ୧୧.୦୬.୨୦୨୨ ରେ, ୩୪୭ ମାଓବାଦୀ ସମର୍ଥକ ଜାନବାଇ ବିଏସଏଫ କ୍ୟାମ୍ପରେ ମାଲକାନଗିରି ପୋଲିସ ଏବଂ ବିଏସଏଫ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ ଏବଂ ୨୨.୦୮.୨୦୨୨ ରେ ଜାନବାଇ ବିଏସଏଫ କ୍ୟାମ୍ପରେ ମାଲକାନଗିରି ପୋଲିସ ଏବଂ ବିଏସଏଫ ଆଗରେ ୫୫୦ ସମର୍ଥକ ଆତ୍ମସମର୍ପଣ କରିଥିଲେ ଏବଂ ମୁଖ୍ୟ ସ୍ରୋତରେ ଯୋଗ ଦେଇଥିଲେ । ଏହା ଏହି ଅଞ୍ଚଳରେ ଏକ ବଡ ପ୍ରଭାବ ପକାଇଛି ଏବଂ ଭବିଷ୍ୟତରେ ଆହୁରି ଅନେକ “ଘର ୱାପସି” ବିଷୟରେ ବିଚାର କରୁଥିବା ସୂଚନା ମିଳିଛି ।