Home Excise ସାତ ଦିନରେ ୨୦୨ ଏନ୍‍ଡିପିଏସ୍‍ ମାମଲା

ସାତ ଦିନରେ ୨୦୨ ଏନ୍‍ଡିପିଏସ୍‍ ମାମଲା

ଭୁବନେଶ୍ୱର : ବେଆଇନ୍‍ ନାର୍କୋଟିକ ନିଶା ସାମଗ୍ରୀ ଯଥା ଗଞ୍ଜେଇ, ହିରୋଇନ୍‌, କଫ ସିରପ ଇତ୍ୟାଦି ବିରୁଦ୍ଧରେ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶରେ ଚଳିତ ମାସ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଚଳାଯାଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ ଅବକାରୀ ଅଧିକାରୀମାନେ ରେକର୍ଡ ସଂଖ୍ୟକ ୨୧୯ ଜଣଙ୍କୁ ଗିରଫ କରିଥିବାବେଳେ ୨୦୨ ଟି ମାମଲା ରୁଜୁ ହୋଇଛି ।

ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ୧୭୫୪ ଗ୍ରାମ ହିରୋଇନ, ୩୦୬୩ କିଲୋ ଗଞ୍ଜେଇ ଏବଂ ୨୦.୧ ଲିଟର କଫ ସିରପ ଜବତ କରାଯାଇଛି । ଚଢାଉ ସମୟରେ ୬୭ଟି ମୋଟରଗାଡି ମଧ୍ୟ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୬.୭୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଚଳିତ ଆର୍ଥିକ ବର୍ଷର ଦଶ ମାସ ଅର୍ଥାତ ୨୦୨୩ ଜାନୁୟାରୀ ଶେଷ ସୁଦ୍ଧା ମୋଟ ୧୬୫୪ ଜଣଙ୍କୁ ଗିରଫ କରିବା ସହ ୩୦,୪୯୭ କେଜି ଗଞ୍ଜେଇ, ୨୭୪୬୯ ଗ୍ରାମ ହିରୋଇନ ଏବଂ ୯୩୮ ଲିଟର କଫ ସିରପ ଜବତ ସହିତ ୧୪୫୯ ଟି ମାମଲା ରୁଜୁ ହୋଇଛି । ଏହିସବୁ ସାମଗ୍ରୀର ଆନୁମାନିକ ମୂଲ୍ୟ ୬୦.୫ କୋଟି ଟଙ୍କା ହେବ । ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୭୩୦ ଜଣଙ୍କୁ ଗିରଫ କରାଯିବା ସହିତ ୨୭୨୦୦ କେଜି ଗଞ୍ଜେଇ, ୧୧୨୯୯ ଗ୍ରାମ ହିରୋଇନ୍ ଏବଂ ୫୯୦ ଲିଟର କଫ ସିରପ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ପାୟ ୩୨.୭ କୋଟି ଟଙ୍କା ଥିଲା ଏବଂ ଏହି ସମୟରେ ୬୪୬ ନମ୍ବର ମାମଲା ରୁଜୁ କରାଯାଇଥିଲା । ଗତ ବର୍ଷ ତୁଳନାରେ ୮୫% ଅଧିକ ନିଶା ସାମଗ୍ରୀ ଜବତ ହେବା ସହିତ ୧୨୬% ଅଧିକ ମାମଲା ରୁଜୁ ହୋଇଛି ।

କ୍ଷେତ୍ର କାର୍ଯ୍ୟାଳୟର ଅଧିକାରୀଙ୍କ ସହିତ ଅବକାରୀ ନିର୍ଦ୍ଦେଶାଳୟ ବେଆଇନ୍‍ ନିଶା କାରବାର ଉପରୋ ତୀକ୍ଷ୍ଣ ନଜର ରଖିଛି । ଆଗାମୀ ଦିନରେ ଅବକାରୀ ଏବଂ ଏନଡିପିଏସ୍ ଅପରାଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚଢାଉ କାର୍ଯ୍ୟକଳାପ ଜୋରଦାର କରିବାପାଇଁ ପାଇଁ ଅବକାରୀ କମିଶନର ସମସ୍ତ ଜିଲ୍ଲା ଏବଂ ଇଆଇ ଏବଂ ଇବି ୟୁନିଟ୍ ଗୁଡିକର ମାସିକ ଏବଂ ପାକ୍ଷିକ ସମୀକ୍ଷା କରୁଥିବା ଜଣାଯାଇଛି ।