Home News in Odia ସାତ ଦିନରେ ବନ୍ଧାହେଲେ ୫୮୧ ନିଶା ମାଫିଆ

ସାତ ଦିନରେ ବନ୍ଧାହେଲେ ୫୮୧ ନିଶା ମାଫିଆ

ଭୁବନେଶ୍ୱର : ବର୍ଷ ଶେଷରେ ଅବକାରୀ ବିଭାଗ ଚଳାଇଥିବା ସପ୍ତାହବ୍ୟାପି ସ୍ୱତନ୍ତ୍ର ଧରପଗଡରେ ୫୮୧ ଜଣ ବନ୍ଧା ହୋଇଥିବାବେଳେ ୬୯୧ଟି ମାମଲା ରୁଜୁ ହୋଇଛି । ଚଳିତମାସ ୨୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ବିପୁଳ ପରିମାଣର ନିଶା ସାମଗ୍ରୀ ସହିତ ଗାଡିମୋଟର ବି ଜବତ ହୋଇଛି ।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନିଶା କାରବାରର ମୂଳୋତ୍ପାଟନ ପାଇଁ ଅବକାରୀ ବିଭାଗ ପକ୍ଷରୁ ଚଳିତ ମାସ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଥିଲା । ଏହି ସମୟରେ ନିଶା କାରବାରରେ ଜଡିତ ୫୮୧ ଜଣଙ୍କୁ ଗିରଫ କରାଯିବା ସହିତ ୬୫ଟି ଦୁଇ ଚକିଆ ଓ ଚାରିଚକିଆ ଯାନ ଜବତ ହୋଇଛି ।

ଏହି ଚଢାଉସମୟରେ ଅବକାରୀ ବିଭାଗ ପକ୍ଷରୁ ମୋଟ୍‍ ୩୩୧୨ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଏଥି ମଧ୍ୟରେ ଗଜପତି ଅବକାରୀ ବିଭାଗ ରେକର୍ଡ ପରିମାଣର ୧୯୦୦ କିଲୋ ଗଞ୍ଜେଇ ଅର୍ନ୍ତଭୁକ୍ତ । ଜବତ ହୋଇଥିବା ଏହି ୧୯୦୦ କିଲୋ ଗଞ୍ଜେଇର ମୂଲ୍ୟ ପ୍ରାୟ ୯୫ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି ।

ସେହିଭଳି ଏହି ୭ଦିନ ସ୍ୱତନ୍ତ୍ର ଅଭିଯାନ ସମୟରେ ୨୦,୫୦୦ ଲିଟର ଦେଶୀ ମଦ, ୧,୮୮,୨୦୦ ଲିଟର ଦେଶୀମଦ ପ୍ରସ୍ତୁତ ସାମଗ୍ରୀ, ୧୪୩ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି । ତେବେ ଏହି ସମୟରେ ଜବତ ନିଶା ସାମଗ୍ରୀ ଓ ଯାନ ବାହାନର ଆନୁମାନିକ ମୂଲ୍ୟ ସାଢେ ୩କୋଟି ଟଙ୍କା ବୋଲି ଅବକାରୀ ବିଭାଗ ଆକଳନ କରିଛି ।

ସ୍ୱତନ୍ତ୍ର ଅଭିଯାନ ସମୟରେ ମିଳିଥିବା କିଛି ସଫଳତା ମଧ୍ୟରୁ ନୂଆପଡା ଅବକାରୀ ବିଭାଗ ୯୬ବୋତଲ କଫସିରପ ସହିତ ୨୦୦ ଶିଶି ଇଞ୍ଜେକସନ, ୧୮୫୦ ନିଶା ବଟିକା, ୨୦୧୬ କ୍ୟାପସୁଲ ଆଦି ଜବତ କରିଛି । ସେହିଭଳି ମଙ୍ଗୁଳି ଠାରେ କଟକ ଅବକାରୀ ବିଭାଗ ୭୨କିଲୋ ଗଞ୍ଜେଇ ଜବତ କରିଥିବାବେଳେ କନ୍ଧମାଳ ଅବକାରୀ ବିଭାଗ ୨୪ କିଲୋ ଗଞ୍ଜେଇ ସମେତ ଗୋଟିଏ କାର ଜବତ କରିଛି ।

ଅଭିଯାନ ଆରମ୍ଭର ପ୍ରଥମ ଦିନ ବ୍ରହ୍ମପୁର ଅବକାରୀ ବିଭାଗ ୧୨୫୦ କିଲୋ ଗଞ୍ଜେଇ ସହିତ ଗୋଟିଏ କାର ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିବାରେ ସଫଳ ହୋଇଥିଲା । ଜବତ ଗଞ୍ଜେଇର ମୂଲ୍ୟ ୬୨,୫୦,୦୦୦ ଟଙ୍କା ଆକଳନ କରାଯାଇଥିବାବେଳେ ଏହି ମିଳିତ ଚଢଉରୁ ଅବକାରୀ ବିଭାଗକୁ ବେଶ୍‍ ସଫଳତା ମିଳିଥିଲା । ସେହିଭଳି ବ୍ରହ୍ମପୁର ଅବକାରୀ ବିଭାଗ ମାଲକାନଗିରିର କାଲିମେଳା ଅଞ୍ଚଳରୁ ୫୮ଲିଟର ନକଲି ବିଦେଶୀ ମଦ ଜବତ କରିଥିଲା ।

କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍‍ ଏହି ସାତଦିନିଆ ଚଢଉ ସମୟରେ ବାଲେଶ୍ୱର ଜିଲ୍ଲାରୁ ୭୧ଲିଟର ନକଲି ବିଦେଶୀ ମଦ ଜବତରେ ସଫଳ ହୋଇଛି । ଅବକାରୀ ନିର୍ଦ୍ଦେଶାଳୟର ତତ୍ୱବଧାନରେ ଚାଲିଥିବା ଏହି ସ୍ୱତନ୍ତ୍ର ଅଭିଯାନ ବର୍ଷ ଶେଷରେ ନିଶା କାରବାର ପ୍ରତିହତରେ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ଅବକାରୀ ଅଧିକାରୀମାନଙ୍କର ଏହି ମିଳିତ ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି । (ତଥ୍ୟ)