ଭୁବନେଶ୍ୱର : ଓଡିଶାକୁ କେନ୍ଦ୍ର ମନ୍ତ୍ରୀମାନଙ୍କ ଧାଡି ଲାଗିଛି । ଆଜି ଠାରୁ ସାତ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତ ଆରମ୍ଭ ହୋଇଥିବାବେଳେ ସେମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ଏ ନେଇ ବିଜେପିର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ସିଂହ ଏକ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଶ୍ରୀ ଅର୍ଜୁନ ମୁଣ୍ଡା ଯାଜପୁର, ଶ୍ରୀ ନିତ୍ୟାନନ୍ଦ ରାୟ କଟକ, ଶ୍ରୀ ଅଶ୍ୱନୀ ଚୈାବେ ଭୁବନେଶ୍ୱର, ଶ୍ରୀ ବିଶେଶ୍ୱର ଟୁଡୁ ମୟୁରଭଂଜ ଏବଂ ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀଶ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ୱର, ଶ୍ରୀ ନିଶିଥ୍ ପରମାଣିକ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହିତ ଦଳୀୟ ସଂଗଠନ ସଂପର୍କରେ ମଧ୍ୟ ଆଲୋଚନା କରିବେ ।
ନିକଟରେ ବିଜେପି ତାହାର ଓଡିଶା ପ୍ରଭାରୀଙ୍କୁ ପରିବର୍ତ୍ତନ କରିଛି । ପୁରେନ୍ଦେଶ୍ୱରୀଙ୍କ ସ୍ଥାନରେ ସୁନୀଲ ବଂଶଲ ଓଡିଶା ବିଜେପିର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ପାଇବାପରେ ତାଙ୍କର ଓଡିଶା ଗସ୍ତ ଆରମ୍ଭ କରିଛନ୍ତି । ଅଳ୍ପଦିନ ତଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତ କରି ଫେରିଥିବାବେଳେ ଆସନ୍ତା ୨୯ ତାରିଖରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଓଡିଶା ଗସ୍ତରେ ଆସୁଛନ୍ତି ।
ଯଦିଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା ନାଁରେ କେନ୍ଦ୍ର ମନ୍ତ୍ରୀମାନେ ଓଡିଶା ଆସୁଛନ୍ତି ତଥାପି ନଡ୍ଡାଙ୍କ ରାଜନୈତିକ ଗସ୍ତ ପୂର୍ବରୁ କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ଗସ୍ତକୁ ରାଜନୈତିକ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।