ପୁରୀ : ଗତ ଦୁଇ ବର୍ଷରେ ରଥଯାତ୍ରା ସମୟରେ ହୋଇଥିବା ଅଘଟଣକୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରା ପାଇଁ ନୂଆ ଯୋଜନା ପ୍ରସ୍ତୁତ ହୋଇଛି। ରଥଯାତ୍ରା ସୁପରିଚାଳନା ପାଇଁ ୭ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।
ତ୍ରୁଟିଶୂନ୍ୟ ଓ ଅଘଟଣମୁକ୍ତ ରଥଯାତ୍ରା ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ଥିବାରୁ ବରିଷ୍ଠ ଆଇପିଏସମାନଙ୍କୁ ଗୋଟିଏ ଗୋଟିଏ ପରିଚାଳନାର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ରଥ ପରିଚାଳନା, ଶ୍ରୀମନ୍ଦିର ସମନ୍ୱୟ ପାଇଁ ଅଲଗା ଅଲଗା ଅଫିସରଙ୍କୁ ଦାୟିତ୍ୱ ମିଳିଛି। ଅନ୍ୟପଟେ ବ୍ୟବସ୍ଥାବଳୀ ଓ ପହଣ୍ଡି ସହ ନୀତି ଶୃଙ୍ଖଳାକୁ ନେଇ ଘନ ଘନ ବୈଠକ ହେଉଛି।
ରଥଯାତ୍ରା ପରିଚାଳନା ଦାୟିତ୍ବରେ ଏକାଧିକ ଆଇପିଏସ ଅଧିକାରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୭ ଅଭିଜ୍ଞ ଓଡ଼ିଆ ଆଇପିଏସ ଅଧିକାରୀ। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କୋ-ଅର୍ଡିନେଟିଂ ଅଥରିଟି ଭାବେ ପ୍ରମୁଖ ଦାୟିତ୍ବରେ ଅଛନ୍ତି। ସେହିପରି ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଛି।
ଡିଆଇଜି ପିନାକ ମିଶ୍ର ଶ୍ରୀମନ୍ଦିର ଭିତର ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ସହ ନୀତିକାନ୍ତି ସଅଳ କରିବା ଦାୟିତ୍ୱରେ ରହିଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକଙ୍କୁ ରଥଟଣା ଦାୟିତ୍ୱ ଦିଆଯାଇଛି। ସାର୍ଥକ ଷଡ଼ଙ୍ଗୀ ରଥ କ୍ଲିଅରାନ୍ସ ଦାୟିତ୍ୱରେ ଅଛନ୍ତି। ସୁଧାଂଶୁ ଷଡ଼ଙ୍ଗୀ ଜରୁରୀକାଳୀନ ପରିଚାଳନା ଦାୟିତ୍ୱରେ ରହିଛନ୍ତି। ଏହା ସହ ଆଇପିଏସ ଅନୁପ ସାହୁ, ଚରଣ ସିଂହ ମୀନା, ଅମିତାଭ ଠାକୁର, କନୱର ବିଶାଲ ସିଂ ପ୍ରମୁଖ ପରିଚାଳନା ଦାୟିତ୍ୱରେ ରହିଛନ୍ତି।
ଚଳିତ ବର୍ଷ ନୀତି ଶୃଙ୍ଖଳା, ପହଣ୍ଡି ସମନ୍ୱୟ, ବ୍ୟବସ୍ଥାବଳୀକୁ କଡ଼ାକଡ଼ି ଅନୁପାଳନ ପାଇଁ ଛତିଶା ନିଯୋଗ ଓ ପରିଚାଳନା କମିଟିରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ପ୍ରଥମ କରି ରଥ ଉପରେ ପହୁଡ଼ ପାଇଁ ଡାକବାଜି ଯନ୍ତ୍ର ଯୋଗେ ଆଗୁଆ ଘୋଷଣା ହୋବ। ସୂଚନା ପାଇଁ ବିଭିନ୍ନ ସ୍ଥାନରେ ଲାଗିବ ୬୫ଟି ଏଲଇଡି ବୋର୍ଡ। ସେପଟେ ସେବାୟତଙ୍କ ସହ ଉତ୍ତମ ସମନ୍ୱୟ ନେଇ ଘନଘନ ଆଲୋଚନା କରାଯାଉଛି। ଗତ ଦୁଇବର୍ଷରେ ପହଣ୍ଡି ଅଘଟଣ ସହ ଦଳାଚକଟା ଭଳି ଘଟଣାକୁ ରୋକିବାକୁ ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଉଥିବା ସୂଚନା ମିଳିଛି।

