ଭୁବନେଶ୍ୱର : ରାଜ୍ୟରେ ସାଇବର ସୁରକ୍ଷା ପାଇଁ ଓଡିଶା ସରକାର ପୁଲିସ୍ କମିଶନରେଟ ସୌଧରେ ଗୋଟିଏ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସି’ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ପ୍ରତିଷ୍ଠିତ ସଂସ୍ଥାଗୁଡିକ ଠାରୁ ରାଜ୍ୟ ପୁଲିସ୍ ପାଇଁ ଆବଶ୍ୟକ ହେଉଥିବା ଏହି ସେଣ୍ଟର ଅଫ୍ ଏକ୍ସିଲେନ୍ସି ପ୍ରତିଷ୍ଠା ପାଇଁ ଟେଣ୍ଡର ଆହ୍ୱାନ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ସାଇବର ଅପରାଧ ଏବେ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାବେଳେ ଆର୍ନ୍ତଜାତୀୟ ସ୍ତରରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଉଛି । ସାଇବର ଅପରାଧିଙ୍କ ପାଇଁ କୌଣସି ସୀମା ସରହଦ ନଥିବାରୁ ପୁରୁଣାକାଳିଆ ଆଇନ୍ରେ ପରିବର୍ତ୍ତନ କରାଯାଉଛି । ସାଇବର ଅପରାଧିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସି ସହିତ ରାଜ୍ୟ ସ୍ତରୀୟ ଏନଫୋର୍ସମେଣ୍ଟ ସଂସ୍ଥାର ଆବଶ୍ୟକତା ରହିଛି । ଏଥିପାଇଁ ସାଇବର ଗୁଇନ୍ଦା ବ୍ୟବସ୍ଥା, ତଦନ୍ତ ଏବଂ ଫୋରେନସିକ୍ ୟୁନିଟ୍ ପ୍ରତିଷ୍ଠା ହେବା ଆବଶ୍ୟକ ଯେଉଁଥିରେ ସାଇବର ଅପରାଧି ଏବଂ ସେମାନଙ୍କ କାର୍ଯ୍ୟକଳାପୁ ଧ୍ୱସଂ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଆବଶ୍ୟକ ।
ସେଣ୍ଟର ଅଫ୍ ଏକ୍ସିଲେନ୍ସିରେ ସାଇବର ଅପରାଧର ମୁକାବିଲା ପାଇଁ ଟୁଲ୍ସ, ଟେକ୍ନୋଲୋଜି, ପ୍ରକ୍ରିୟା ଏବଂ ତାଲିମପ୍ରାପ୍ତ ମାନବସମ୍ବଳ ଆବଶ୍ୟକ । ଏହା ସାଇବର ଅପରାଧର ତଦନ୍ତ ପାଇଁ ନୋଡାଲ ପଏଣ୍ଟ ହେବା ସହିତ ପରାମର୍ଶଦାତା ସଂସ୍ଥାଭାବେ କାର୍ଯ୍ୟ କରିବ । ସାଇବର ଅପରାଧର ତଦନ୍ତ ଏବଂ ବିଶ୍ଲେଷଣ ପାଇଁ ଏହି କେନ୍ଦ୍ରରେ ତାଲିମପ୍ରାପ୍ତ ଦକ୍ଷ ମାନବସମ୍ବଳ ଆବଶ୍ୟକ । ଏହି କେନ୍ଦ୍ରପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗୋଟିଏ ଦକ୍ଷ ସାଇବର ସୁରକ୍ଷା କାର୍ଯ୍ୟଦଳ ।
ସେଣ୍ଟର ଅଫ୍ ଏକ୍ସିଲେନ୍ସି ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଇବର ଶିକ୍ଷାର ବିସ୍ତାର ମାଧ୍ୟମରେ ଭବିଷ୍ୟତ ପାଇଁ ସାଇବର ସୁରକ୍ଷା ପରିବେଶ ସୃଷ୍ଟି କରିବା । ଗବେଷଣା ଓ ବିକାଶ ସହିତ ସରକାରୀ ବ୍ୟବସ୍ଥାରେ ସମନ୍ୱୟ ରକ୍ଷା କରିବା ଏବଂ ସାଇବର କ୍ଷେତ୍ରରେ ବେଆଇନ୍ କାର୍ଯ୍ୟକଳାପର ମୁକାବିଲା ଲାଗି ରଣନୀତି ବିକଶିତ କରିବା । ଏହି ପ୍ରକଳ୍ପର ଆଉ ଗୋଟିଏ ପ୍ରମୁଖ ଦିଗ ହେଉଛି ସାଇବର ସୁରକ୍ଷା ପାଇଁ ନିୟୋଜିତ ଦକ୍ଷ କାର୍ଯ୍ୟଦଳ ସାଇବର ଅପରାଧ ମାମଲାର ତଦନ୍ତ କ୍ଷେତ୍ରରେ ପୁଲିସ୍କୁ ସହାୟତା କରିବେ । ଏମାନେ ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ସାଇବର ଅପରାଧ ମୁକାବିଲା ଲାଗି ଦକ୍ଷତା ବିକାଶ କ୍ଷେତ୍ରରେ ଯୋଜନା ପ୍ରସ୍ତୁତ ସହିତ ଏହାର ଢାଞ୍ଚା ତିଆରିରେ ସହାୟତା କରିବେ ।
କେନ୍ଦ୍ରୀୟ ତଥ୍ୟ ବିଶ୍ଲେଷଣ ପ୍ଲାଟଫର୍ମ ପୁଲିସ୍କୁ ଡ୍ରଗ୍ସ ଓ ମାନବ ଚାଲାଣ, କ୍ରେଡିଟ୍କାର୍ଡ ଠକେଇ ଏବଂ ନକଲି ପାସପୋର୍ଟ ଭଳି ଡାର୍କ ୱେବରେ ଚାଲିଥିବା ବେଆଇନ୍ କାର୍ଯ୍ୟକଳାପ ଚିହ୍ନଟରେ ସାହାଯ୍ୟ କରିଥାଏ । ପ୍ଲାଟଫର୍ମ ସୋସିଆଲ ମିଡିଆର ପ୍ରସାରିତ ଗୁଜବ ଏବଂ ନକଲି କିମ୍ବା ଉତ୍ତେଜକ ସାମଗ୍ରୀକୁ ମଧ୍ୟ ଚିହ୍ନଟ କରିପାରିବ । ଉଲ୍ଲେଖନୀୟ ଯେ ୨୦୨୦ ମସିହାରେ ଓଡିଶାରେ ୧୯୩୧ ସାଇବର ଅପରାଧ ମାମଲା ରିପୋର୍ଟ ହୋଇଥିଲା ଯାହା ୨୦୨୧ ମସିହାରେ ୫.୫ ପ୍ରତିଶତ ବୃଦ୍ଧି ପାଇ ୨୦୩୭ରେ ପହଞ୍ଚିଥିଲା । (ତଥ୍ୟ)