Home General ସାଇବର ଠକେଇରେ ଦଣ୍ଡବିଧାନ ନଗଣ୍ୟ

ସାଇବର ଠକେଇରେ ଦଣ୍ଡବିଧାନ ନଗଣ୍ୟ

ଭୁବନେଶ୍ୱର : ଓଡ଼ିଶାରେ ସାଇବର୍‍ ଅପରାଧ ବଢିବା ସହିତ ପ୍ରାୟ ପ୍ରତିଦିନ ଲୋକେ ସାଇବର୍‍ ଠକେଇର ଠିକାର ହେଉଥିବାବେଳେ ଏ ଧରଣର ଅପରାଧରେ ଦଣ୍ଡବିଧାନ ପ୍ରାୟ ହେଉ ନଥିବାରୁ ସମସ୍ୟା ଜଟିଳତର ହେଉଛି ।

ସାଇବର୍‍ ଓ ଅର୍ଥନୈତିକ ଅପରାଧର ତଦନ୍ତ ଓ ମାମଲା ପରିଚାଳନା ପାଇଁ ୧୪ଟି ସ୍ୱତନ୍ତ୍ର ଥାନା ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ରାଉରକେଲା, କେଉଁଝର, କଳାହାଣ୍ଡି, ମୟୁରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବ୍ରହ୍ମପୁର, କନ୍ଧମାଳ ଓ କୋରାପୁଟରେ ଖୋଲାଯାଇଛି । ଏହାସହିତ ରାଜ୍ୟର ସମସ୍ତ ଥାନାକୁ ସାଇବର୍‍ ଅପରାଧର ପଞ୍ଜୀକରଣ ଓ ତାହାର ସଫଳ ତଦନ୍ତ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଦଣ୍ଡବିଧି ତଦନ୍ତ ବିଭାଗର ଅପରାଧ ଶାଖା ପକ୍ଷରୁ ବିଭିନ୍ନ ଥାନାରେ ସାଇବର୍‍ ହେଲ୍‍ପ ଡେସ୍କ ଖୋଲାଯାଇଛି ଏବଂ ଠକେଇର ଶିକାର ହେଉଥିବା ଲୋକେ ୧୯୩୦ ନମ୍ବରରେ ଫୋନ୍‍ କରି ପୁଲିସ ସହାୟତା ନେବାର ବ୍ୟବସ୍ଥା ଅଛି । ୨୦୨୨ ବର୍ଷରେ ସାଇବର୍‍ ଥାନା ଗୁଡିକରେ ୧୮ଟି ମାମଲା ପଞ୍ଜୀକୃତ ହୋଇଥିବାବେଳେ ୨୯ଜଣ ଅଭିଯୁକ୍ତ ଗିରଫ ହୋଇଥିବା କୁହାଯାଇଛି । ମୋଟାମୋଟି ଭାବେ ସମଗ୍ର ରାଜ୍ୟରେ ଗତବର୍ଷ ୧୯୮୩ଟି ସାଇବର୍‍ ଅପରାଧ ମାମଲା ରୁଜୁ କରାଯାଇ ୪୪୧ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ପୁଲିସ୍‍ ଠକଙ୍କଠାରୁ ପ୍ରାୟ ୨କୋଟି ଟଙ୍କା ଆଦାୟ କରି ଠକାମୀର ଶିକାର ହୋଇଥିବା ଲୋକଙ୍କ ଜମାଖାତାକୁ ଫେରାଇଛନ୍ତି ।

୨୦୨୨ ଅଗଷ୍ଟ ମାସରେ ପ୍ରକାଶ ପାଇଥିବା ଜାତୀୟ କ୍ରାଇମ୍‍ ରୋକର୍ଡର ତଥ୍ୟ ମୁତାବକ ୨୦୨୦ ଶେଷ ସୁଦ୍ଧା ଓଡ଼ିଶାରେ ୧୦୪୯ଟି ସାଇବର୍‍ ଅପରାଧ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ୨୦୨୧ବର୍ଷରେ ୩୧୩ଟି ମାମଲା ଏଥିରେ ଯୋଡି ହୋଇଥିଲା । ମୋଟାମୋଟି ଭାବେ ୨୦୨୧ବର୍ଷ ବେଳକୁ ରାଜ୍ୟରେ ୧୩୬୨ଟି ସାଇବର୍‍ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଉକ୍ତ ବର୍ଷରେ ସେଥିରୁ ମାତ୍ର ୨ଟି ମାମଲା ଫଇସଲା ହୋଇଥିଲା ଏବଂ ଦୁଇଟିଯାକରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।

ମୋଟା ମୋଟି ଭାବେ ସାଇବର୍‍ ଅପରାଧରେ ଓଡ଼ିଶାରେ ଦଣ୍ଡବିଧାନ ହାର ଶୂନ ପ୍ରତିଶତ ଥିବା ଏନ୍‍ସିଆର୍‍ବି ରିପୋର୍ଟ ଦର୍ଶାଉଛି । କେବଳ ସେତିକି ନୁହେଁ ସାଇବର୍‍ ମାମଲା ଫଇସଲା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଅତି ନଗନ୍ୟ । ଏହି ରିପୋର୍ଟ ମୁତାବକ ବର୍ଷରେ ୦.୧ ପ୍ରତିଶତ ସାଇବର୍‍ ମାମଲା ଫଇସଲା ହୋଇଛି ଏବଂ ୯୯.୯ ପ୍ରତିଶତ ପୁରୁଣା ମାମଲା ପରବର୍ଷକୁ ଫଇସଲା ନହେ।।ଇ ପରବର୍ଷକୁ ବାକିଆ ଭାବେ ଗଡି ଯାଇଛି ।

ତେବେ ଏନ୍‍ସିଆର୍‍ବି ତଥ୍ୟ ମୁତାବକ ସାଇବର୍‍ ମାମଲାରେ ଜାତୀୟ ସ୍ତରରେ ଫଇସଲା ହାର ୧୩ ପ୍ରତିଶତ ଥିବାବେଳେ ଦଣ୍ଡବିଧାନ ହାର ରହିଛି ୪୨.୫ ପ୍ରତିଶତ । ୨୦୨୧ ଶେଷ ସୁଦ୍ଧା ୫୪୯୭୯ଟି ସାଇବର୍‍ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ୭୧୩୯ଟି ଫଇସଲା ହୋଇଥିଲା ଏବଂ ଏଥିରୁ ୪୯୧ଟିରେ ଦଣ୍ଡବିଧାନ ହୋଇଥିବାବେଳେ ୫୭୭ଟିରେ ଅଭିଯୁକ୍ତ ଖସି ଯାଇଥିଲେ ।

ଜାତୀୟସ୍ତର ସହ ତାଳଦେଇ ରାଜ୍ୟରେ ସାଇବର୍‍ ଠକେଇ ଅଭିଯୋଗ ବଢିବାରେ ଲାଗିଛି । ଏଥିଯୋଗୁ ଅନେକ ପରିବାର ସର୍ବସ୍ୱାନ୍ତ୍ୱ ହେଉଛନ୍ତି । କେତେକ କ୍ଷେତ୍ରରେ ଅବଶ୍ୟ ଠକଙ୍କ ଠାରୁ ଅର୍ଥ ଆଦାୟ ହେଉଛି । ତେବେ ସଂଖ୍ୟାଧିକ କ୍ଷେତ୍ରରେ ଠକମାନେ ଖସି ଯାଉଥିବା ଏବଂ ସାଇବର୍‍ ଠକେଇ ମାମଲାର ବିଚାର ବିଳମ୍ବିତ ହେଉଥିବା କାରଣରୁ ଏ କିସମର ଅପରାଧ ଓଡ଼ିଶାରେ ବଢିବାରେ ଲାଗିଛି ବୋଲି ବିଧିବିଶେଷଜ୍ଞ ମତ ଦେଇଛନ୍ତି ।

ଅନ୍ୟପକ୍ଷରେ କେତେକ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ସାଇବର୍‍ ମାମଲାର ତଦନ୍ତ ପାଇଁ ଓଡ଼ିାଶା ପୁଲିସର ଆବଶ୍ୟକ ସଂଖ୍ୟକ ତାଲିମପ୍ରାପ୍ତ କର୍ମଚାରୀ ନାହାଁନ୍ତି କିମ୍ବା ସୁଦୃଢ ଭିତ୍ତିଭୂମି ବି ନାହିଁ । ସାଧାରଣ ଥାନା ଗୁଡିକରେ ସାଇବର୍‍ ମାମଲା ପଞ୍ଜିକରଣ ଲାଗି ବ୍ୟବସ୍ଥା ଥିବାବେଳେ ପୁଲିସ ବିଭାଗରେ ୧୫ହଜାରରୁ ଅଧିକ ପଦବୀ ଖାଲି ପଡିଥିବା ଏବଂ ଥାନା ଗୁଡିକର ପୁଲିସମାନେ ଆଇନଶୃଙ୍ଖଳା ରକ୍ଷ, ଅନ୍ୟାନ୍ୟ ଅପରାଧର ତଦନ୍ତ ଏବଂ ବିଶେଷ କରି ବିଶିଷ୍ଟ ବ୍ୟକ୍ତିମାନଙ୍କ ନିରାପତ୍ତା କାର୍ଯ୍ୟରେ ଅଧିକ ବ୍ୟସ୍ତ ରହୁଥିବାରୁ ସାଇବର୍‍ ମାମଲା ଗୁଡିକ ପ୍ରତି ଯେଭଳି ତ୍ୱରିତ ଦୃଷ୍ଟି ଦିଆଯିବା କଥା ତାହା ହୋଇପାରୁନାହିଁ । କମ୍‍ ସାଇବର୍‍ ମାମଲା ଫଇସଲା ହେବା ଏବଂ ଏଥିରେ ଦଣ୍ଡବିଧାନ ହାର ଦୁର୍ବଳ ରହିବାର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି । (ତଥ୍ୟ)