ଭୁବନେଶ୍ୱର : ସାଇବର ଠକମାନେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଠକିବାପାଇଁ ରାଜ୍ୟସାରା ଜାଲ ବିଛାଇଥିବାବେଳେ ଏମାନଙ୍କ ବିରୁଦ୍ଧରେ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀ ପକ୍ଷରୁ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଜଣଙ୍କ ପରେ ଜଣେ ଏବେ ଠକାମୀରେ ପଡିବାରେ ଲାଗିଛନ୍ତି ।
ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ନିକଟକୁ ପ୍ରତିଦିନ ଏହି ସାଇବର ଠକମାନେ ତୁରନ୍ତ ବିଜୁଳି କାଟ୍ ନେଇ ମେସେଜ ପଠାଉଛନ୍ତି । ମେସେଜ୍ରେ ଉଲ୍ଲେଖ କରୁଛନ୍ତି ଯେ ‘ଆପଣ ଗତମାସରେ ବିଲ୍ ପଇଠ କରିନାହାନ୍ତି । ତୁରନ୍ତ ବିଲ୍ ପଇଠ କରନ୍ତୁ । ନଚେତ୍ ଏକ ନିର୍ଦ୍ଦିଷ୍ଟ ସମୟରେ ଆପଣଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବ ।’ ବିଲ୍ ପଇଠ ପାଇଁ ଯୋଗାଯୋଗ କରିବାକୁ ଗୋଟିଏ ଟେଲିଫୋନ୍ ନମ୍ବର ଦେଉଛନ୍ତି ଓ ମେସେଜରେ ଗୋଟିଏ ଲିଙ୍କ୍ ମଧ୍ୟ ପଠାଉଛନ୍ତି ।
ସେସେଜ ପାଇଲା ପରେ ଯଦି କୌଣସି ବ୍ୟକ୍ତି ବିଦ୍ୟୁତ୍ କାଟ୍ ନେଇ ବିବ୍ରତ ହୋଇ ସମ୍ପୃକ୍ତ ନମ୍ବରରେ ଫୋନ୍ କରୁଛି ତେବେ ତାକୁ ଅର୍ଥ ପଇଠ ପାଇଁ ମେସେଜରେ ଥିବା ଲିଙ୍କ୍ ଖୋଲିବାକୁ କୁହାଯାଉଛି । ଯିଏ ଲିଙ୍କ୍ ଖୋଲିଲା ତାହା ଆକାଉଣ୍ଟରୁ ପଇସା କଟିବା ଏକ ପ୍ରକାର ନିଶ୍ଚିତ । ନିକଟରେ ରାଜଧାନୀର ଜଣେ ବରିଷ୍ଠ ଅଧ୍ୟାପକ ଏଭଳି ଠକେଇର ଶିକାର ହୋଇ ୨୬ହଜାର ଟଙ୍କା ହରାଇଛନ୍ତି । ଅବଶ୍ୟ ଅଧ୍ୟାପକ ଜଣଙ୍କ ଏ ସଂକ୍ରାନ୍ତରେ ସାଇବର ଥାନାରେ ନିଜଆଡୁ ଅଭିଯୋଗ କରିଛନ୍ତି ।
ତେବେ ଯେଉଁ ଉପଭୋକ୍ତାମାନେ ସ୍ଥାନୀୟ ବିଦ୍ୟୁତ୍ ଅଫିସର ନମ୍ବରରେ ଫୋନ୍ କରୁଛନ୍ତି ସେମାନେ ଠକାମୀରୁ ରକ୍ଷା ପାଇଯାଉଛନ୍ତି । ତେବେ ବିଦ୍ୟୁତ୍ ବିତରଣ କମ୍ପାନୀ ପକ୍ଷରୁ ଏଭଳି ମେସଜ ଜାଲ୍ ଏବଂ ଏଥିରେ ନପଡିବା ପାଇଁ ଉପଦେଶ ଦେଉଛନ୍ତି । ଇତି ମଧ୍ୟରେ ବିତରଣ କମ୍ପାନୀ ମଧ୍ୟ ଉପଭୋକ୍ତାଙ୍କୁ ସଚେତନ ପାଇଁ ସେସେଜ ପଠାଇଛି । ହେଲେ ସାଇବର ଠକଙ୍କ ମେସେଜ ତୁଳନାରେ ଏହା ଢେର କମ୍ ।
ତେବେ ସାଇବର ଠକମାନେ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର ଜାରି କରୁଥିବା ଓ ସେହି ନମ୍ବରରୁ କଥାବାର୍ତ୍ତା ହୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଠକୁଥିବାବେଳେ ବିତରଣ କମ୍ପାନୀ କିନ୍ତୁ ଏହି ସାଇବର ଠକଙ୍କୁ ଧରିବା ପାଇଁ ଉଦ୍ୟମ କରିବା ତ ଦୂରରକଥା ସେହି ନମ୍ବରକୁ ନେଇ ଥାନାରେ ମାମଲା ବି ରୁଜୁ କରୁନାହିଁ । ଫଳରେ ସାଇବର ଠକମାନେ ନିର୍ଭୟରେ ସେମାନଙ୍କ ଜାଲ ବିଛାଇବାରେ ଲାଗିଛନ୍ତି । ଯଦି ତୁରନ୍ତ ବିଦ୍ୟୁତ୍ ବିତରଣ କମ୍ପାନୀ କିମ୍ବା ଶକ୍ତି ବିଭାଗ ଏ ଦିଗରେ କଠୋର ପଦକ୍ଷେପ ନନିଅନ୍ତି ତେବେ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅଧିକରୁ ଅଧିକ ଉପଭୋକ୍ତା ଠକାମୀର ଶିକାର ହେବା ଏକ ପ୍ରକାର ନିଶ୍ଚିତ । (ତଥ୍ୟ)