Home News in Odia ସାଇବର ଅପରାଧରେ ଦଣ୍ଡ ଶୂନ

ସାଇବର ଅପରାଧରେ ଦଣ୍ଡ ଶୂନ

ଭୁବନେଶ୍ୱର : ରାଜ୍ୟରେ ସାଇବର ଅପରାଧ ବଢି ବଢି ଚାଲିଥିବାବେଳେ ଗତ ତିନିବର୍ଷ ମଧ୍ୟରେ ଜଣେ ହେଲେ ସାଇବର ଅପରାଧି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ଗତ ତିନି ବର୍ଷରେ ରାଜ୍ୟରେ ୩୨୪୦ଟି ସାଇବର ଅପରାଧ ପଞ୍ଜିକୃତ ହୋଇଛି ।

ସାଇବର ଅପରାଧ ସଂକ୍ରାନ୍ତୀୟ ସର୍ବଶେଷ ରିପୋର୍ଟ ଅନୁଯାୟୀ ୨୦୧୯ ମସିହାରେ ରାଜ୍ୟରେ ୯୫୬ଟି ସାଇବର ମାମଲା ରୁଜୁ ହୋଇଥିବାବେଳେ ଜଣେ ହେଲେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନଥିଲେ । ତେବେ ୫୮ଟି ମାମଲାରେ ଚାର୍ଜସିଟ୍‍ ଦାଖଲ ହୋଇଥିବାବେଳେ ୭୦ଜଣଙ୍କୁ ଗିରଫ କରାଯାଇଥିଲା ।

ଅନୁରୂପ ଭାବେ ୨୦୨୦ ମସିହାରେ ସାଇବର ଅପରାଧ ବୃଦ୍ଧି ପାଇ ପଞ୍ଜିକୃତ ମାମଲା ସଂଖ୍ୟା ୧୦୭୯ ହୋଇଥିାବବେଳେ ସେହିବର୍ଷ ୬୦ଟି ମାମଲାରେ ଚାର୍ଜସିଟ୍‍ ଦାଖଲ ହୋଇଥିବାବେଳେ ୭୪ଜଣ ଗିରଫ ହୋଇଥିଲେ । ତେବେ ସେହିବର୍ଷ ବି ଜଣେ ହେଲେ ଦୋଷୀ ସାବ୍ୟସ୍ତ ହୋଇନଥିଲେ କି ଦଣ୍ଡ ପାଇନଥିଲେ । ୨୦୨୧ ବର୍ଷରେ ୧୨୦୫ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଥିବାବେଳେ ୭୪ଟି ମାମଲାରେ ଚାର୍ଜସିଟ୍‍ ଦାଖଲ ହୋଇଥିଲା ଏବଂ ମାତ୍ର ୬୪ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ପୂର୍ବ ଦୁଇବର୍ଷ ଭଳି ଏବର୍ଷରେ ବି ଜଣେ ହେଲେ କେହି ଦୋଷୀ ସାବ୍ୟସ୍ତ ହୋଇନଥିଲେ ।

ସର୍ବଭାରତୀୟ ସୂଚନା ଅନୁଯାୟୀ ୨୦୧୯ରେ ମୋଟ୍‍ ୬୨୨୯ଟି ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୮ଟି ମାମଲାରେ ଦୋଷ ସାବ୍ୟସ୍ତ ହୋଇଥିଲା ଏବଂ ୪୦ଜଣଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରାଯାଇଥିଲା । ୨୦୨୦ରେ ୧୦,୩୯୫ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୨୧ଟିରେ ଦୋଷ ସାବ୍ୟସ୍ତ ହେବା ସହିତ ୨୪୬ଜଣ ଦଣ୍ଡିତ ହୋଇଥିଲେ ।

ତେବେ ୨୦୨୧ ବର୍ଷରେ ଦେଶରେ ସାଇବର ଠକେଇ ଜନିତ ପଞ୍ଜିକୃତ ମାମଲା ସଂଖ୍ୟା ୧୪,୦୦୭ ଥିବାବେଳେ ୩୦ଟି ମାମଲାରେ ଦୋଷ ସାବ୍ୟସ୍ତ ହୋଇଥିଲା ଏବଂ ୭୩ଜଣଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହୋଇଥିଲା ।

ତେଲେଙ୍ଗାନାରେ ୨୦୧୯ରେ ଓଡିଶା ଅପେକ୍ଷା କମ୍‍ ସଂଖ୍ୟକ ସାଇବର ଠକେଇ ମାମଲା ରୁଜୁ ହେଉଛି । ସେହିବର୍ଷ ତେଲେଙ୍ଗାନାରେ ମାତ୍ର ୨୮୨ ଟି ସାଇବର ଠକେଇ ମାମଲା ରୁଜୁ ହୋଇଥିବାବେଳେ ୨ଟି ମାମଲାରେ ଦୋଷ ସାବ୍ୟସ୍ତ ହୋଇଥିଲା ଏବଂ ୩ଜଣ ଦଣ୍ଡିତ ହୋଇଥିଲେ । ୨୦୨୦ରେ ତେଲେଙ୍ଗାନାରେ ୩୩୧୬ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୨ ମାମଳାରେ ଦୋଷ ସାବ୍ୟସ୍ତ ହେବା ସହିତ ୨୦୨ ଜଣ ଦଣ୍ଡ ପାଇଥିଲେ । ସେହିଭଳି ୨୦୨୧ରେ ତେଲେଙ୍ଗାନାରେ ୭୦୦୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୫ଜଣ ଦଣ୍ଡିତ ହୋଇଥିଲେ । (ତଥ୍ୟ)