ଭୁବନେଶ୍ୱର : ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ବିଏମ୍ସି କାର୍ଯ୍ୟକାରୀ କରୁଥିବା ‘ସହାୟ’ ଯୋଜନା ଏବେ ଅଣଓଡିଆ ଭିକାରୀଙ୍କ ଯୋଗୁଁ ଏକପ୍ରକାର ଅସହାୟ ଅବସ୍ଥାରେ । ସହରର ବଭିନ୍ନ ଛକ ବିଶେଷକରି ଖାରବେଳଭବନ ପାଶ୍ୱର୍ରେ ଥିବା ପାୱାରହାଉସ୍ ଛକରେ ମାଳ ମାଳ ଭିକାରୀ ହାତ ପତାଉଛନ୍ତି । ମହିଳାଙ୍କ ଠାରୁ ଆରମ୍ଭ କରି ଶିଶୁଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ଅଛନ୍ତି ।
ସହରକୁ ଭିକାରୀମୁକ୍ତ ପାଇଁ ବେସରକାରୀ ସଂସ୍ଥା ସହାୟତାରେ ବିଏମ୍ସି ଆରମ୍ଭ କରିଥିବା ସହାୟ ଯୋଜନାରେ ଭିକାରୀମାନଙ୍କୁ ନେଇ ଆଶ୍ରୟସ୍ଥଳୀରେ ରଖିବା ସହିତ ସେମାନଙ୍କ ଆତ୍ମନିର୍ଭର ପାଇଁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରୁଛନ୍ତି । ଏହି ଯୋଜନାକୁ ଭିକ୍ଷାବୃତ୍ତି ସହିତ ଜଡିତ ଅନେକ ଲୋକେ ସାବାସୀ ବି ଜଣାଇଛନ୍ତି ।
ତେବେ ଯୋଜନା କାର୍ଯ୍ୟକାରୀ ହେବାର କିଛି ଦିନ ପରେ ଏବେ ରାଜଧାନୀରେ ପୁଣିଥରେ ଭିକାରୀମାନଙ୍କ ପ୍ରାର୍ଦୁଭାବ ଆରମ୍ଭ ହୋଇଛି । ରାଜ୍ୟ ବାହାରର ଏହି ଅଣଓଡିଆ ଭିକାରୀମାନେ ବିଭିନ୍ନ ଛକ ସ୍ଥାନରେ ଛିଡାହୋଇ ହାତ ପତାଉଛନ୍ତି । ବିଶେଷକରି ପାୱାସହାଉସ୍, କଳିଙ୍ଗହସ୍ପିଟାଲ, ସିଟି ଓମେନ୍ସ, ଡେଲ୍ଟା ଆଦି ଛକରେ ଏମାନେ ଦଳ ଦଳ ହୋଇ ବୁଲୁଛନ୍ତି । ଭିକ ମାଗୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା ଓ ସେମାନଙ୍କ କାଖରେ ଛୋଟ ପିଲାମାନେ ରହୁଛନ୍ତି । କେତେକ ଛକରେ କିନ୍ନରଙ୍କ ଭିକ୍ଷାବୃତ୍ତି ବି ଲୋକଙ୍କୁ ଅତିଷ୍ଠ କଲାଣି ।
ଏମାନେ ପ୍ରଥମେ ବିଭିନ୍ନ ସାମଗ୍ରୀ ବିଶେଷକରି ଖେଳନା, କଲମ ଆଦି ହାତରେ ଧରି ରାସ୍ତାକୁ ଓହ୍ଲାଉଛନ୍ତି । ଦିନେ ଦୁଇ ଦିନ ଏହାକୁ ବିକି ସ୍ଥାନୀୟ ଅଞ୍ଚଳ ସହିତ ପରିଚିତ ହେବାପରେ ଭିକ୍ଷାବୃତ୍ତି ଆରମ୍ଭ କରୁଛନ୍ତି । ଦୁଇ ଚକିଆ ଚାଳକଙ୍କ ନିକଟରେ ସିଧାସଳଖ ପହଞ୍ଚି ଯାଉଥିବାବେଳେ ଚାରିଚକିଆ ଗାଡିର କାଚ ବାଡଉଛନ୍ତି । ଲୋକେ ଚାହିଁଲା ମାତ୍ରେ କାଖରେ ଥିବା କୁନି ପିଲାଟି ଆଡକୁ ହାତ ଦେଖାଇ ତାହାପାଇଁ କିଛି ଦେବାକୁ କହୁଛନ୍ତି । ଲୋକେ ବି କଅଁଳ ପିଲାର ବିକଳିଆ ମୁହଁକୁ ଦେଖି ଦାନ କରୁଛନ୍ତି । ତେବେ ପୁଲିସ୍ ନଜରକୁ ଏହା ଆସିବାପରେ ଏବେ ବିଭିନ୍ନ ଛକରେ ଭିକାରୀ-ପୁଲିସ୍ ଗୋଡାଗୋଡି ଦୃଶ୍ୟ ଦେଖିବାକୁ ମିଳୁଛି । ପୁଲିସ ଗାଡି ଦେଖିଲାମାତ୍ରେ ଏହି ମହିଳା ଭିକାରୀମାନେ ପିଲାଙ୍କୁ ଧରି ନିକଟରେ ଥିବା ଗଳି କନ୍ଦିକୁ ଦୌଡି ପଳାଉଛନ୍ତି ।
ସେହିଭଳି ନିଜକୁ ଆସାମର ବ୍ୟକ୍ତି ଓ ବନ୍ୟାରେ ସର୍ବସ୍ୱ ଭାସିଯାଇଛି ବୋଲି କହି ଛୋଟ ଛୋଟ ପିଲାଙ୍କୁ ଧରି ମହିଳାମାନେ ବିଭିନ୍ନ ୟୁନିଟ୍ରେ ଏବେ ହାତ ପାତି ବୁଲୁଛନ୍ତି । ଘର ତିଆରି ପାଇଁ ଟଙ୍କା, ପିଲାଙ୍କ ପାଇଁ ଜାମା ପଟା ଓ ଖାଇବା ସାମଗ୍ରୀ ଦେବାକୁ କହୁଛନ୍ତି । ଏହି ମହିଳାମାନେ ହାତରେ ଧରିଥିବା କାଗଜରେ ଆସାମ ଅଧିବାସୀ ବୋଲି ଲେଖାଥିବାବେଳେ ସେମାନେ ସ୍ପଷ୍ଟ ହିନ୍ଦୀରେ କଥା ହେଉଛନ୍ତି । ଯେହେତୁ ଏମାନେ ରାସ୍ତା ଉପରେ ହାତ ପାତୁନାହାନ୍ତି ତେଣୁ ପ୍ରଶାସନ ନଜରକୁ ସହଜରେ ଆସୁନାହାନ୍ତି ।
ରାଜଧାନୀରେ ଭିକାରୀମାନଙ୍କ ବିରୁଦ୍ଧରେ ଚାଲିଥିବା ଏହି ଧରପଗଡ ଯୋଗୁଁ ଓଡିଆ ଭିକାରୀମାନେ ପଦାକୁ ବାହାରୁନଥିବାବେଳେ ଅଣଓଡିଆମାନେ ଏବେ ପ୍ରଶାସନ ପାଇଁ ନାକେଦମ ଅବସ୍ଥା ସୃଷ୍ଟି କଲେଣି । ଏମାନେ ବିଭିନ୍ନ ପ୍ରକାର ବ୍ୟବସାୟ ସହିତ ଜଡିତ ଥିବା ଓ ପରିବାର ନେଇ ସହରର ବିଭିନ୍ନ ସ୍ଥାନରେ ଡେରା ପକାଇ ଥିବାରୁ ସେମାନଙ୍କୁ ସହଜରେ ଠାବ କରିବା ଓ ସୁଧାର ଗୃହରେ ନେଇ ରଖିବା ଏତେଟା ସହଜ ହେଉନାହିଁ । ଏହି ଅଣଓଡିଆ ଭିକାରୀମାନେ ଏବେ ସରକାରଙ୍କ ସହାୟ ଯୋଜନାକୁ ଏକ ପ୍ରକାର ଅସହାୟ ଅବସ୍ଥାକୁ ନେଇ ଆସିଲେଣି । (ତଥ୍ୟ)