Home General ସହରୀ ବିକାଶ ପାଇଁ କର୍ମଚାରୀ ସଙ୍କଟ

ସହରୀ ବିକାଶ ପାଇଁ କର୍ମଚାରୀ ସଙ୍କଟ

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଜଳ ଯୋଗାଣ ଠାରୁ ପରିମଳ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଉନ୍ନତ ସେବା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ଏସବୁ କାର୍ଯ୍ୟର ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି । ବିଭିନ୍ନ ବର୍ଗରେ ୩୫୪୪ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥି ମଧ୍ୟରୁ ୨ହଜାରରୁ ଅଧିକ ପଦବୀ ଖାଲି ପଡିଛି ।
ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ ରହିଛି ଏହିସବୁ ପଦ ପଦବୀ । ସହରାଞ୍ଚଳର ବିକାଶ ପାଇଁ ରହିଛି ୮୭ଟି ଟାଉନପ୍ଲାନିଂ ଅଫିସର ପଦବୀ । ହେଲେ ଏଥିରୁ ୪୮ଟି ଖାଲି ପଡିଛି । ୧୧୭୪ଟି ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମଧ୍ୟରୁ ୬୫୪ଟି ଖାଲି ପଡିଛି । ଖାଲି ପଡିଥିବା ପଦବୀ ମଧ୍ୟରୁ ୫୫୬ଟିର ଆଉ ଆବଶ୍ୟକତା ନାହିଁ ବୋଲି ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଦର୍ଶାଇଥିବାବେଳେ ୯୮ଟି ପଦବୀକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ।

ସେହିଭଳି ସହରାଞ୍ଚଳରେ ମୂଲ୍ୟାୟନ ପାଇଁ ୭୪ଟି ପଦବୀ ମଧ୍ୟରୁ ୭ଟି ଖାଲି ପଡିଛି । ଏମପିଏଲ୍‍-୧ ରେ ଥିବା ୧୦୩୩ଟି ପଦବୀ ମଧ୍ୟରୁ ୫୧୪ଟି ଖାଲି ପଡିଥିବାବେଳେ ଏମପିଏଲ୍‍-୨ରେ ଥିବା ୮୩୭ ପଦବୀ ମଧ୍ୟରୁ ୪୭୭ଟି ଖାଲି ରହିଛି । ୩୩ଟି ଅଫିସ୍‍ ଏଷ୍ଟାବ୍ଲିଶମେଣ୍ଟ ପଦବୀ ସମ୍ପୂର୍ଣ୍ଣ ଖାଲି ପଡିଛି । ୩୦୬ଟି ସହରାଞ୍ଚଳ ସ୍ଥପତି ପଦବୀ ମଧ୍ୟରୁ ୩୦୦ଟି ଖାଲି ପଡିଛି ।

ତଳ ସ୍ତରରେ ଏତେ ସଂଖ୍ୟାରେ ପଦ ପଦବୀ ଖାଲି ପଡିଥିବାବେଳେ ଅଧିକାଂଶ ଯୋଜନାର କାର୍ଯ୍ୟକାରିତା ପାଇଁ ବିଭିନ୍ନ ସ୍ତରରେ ଏବେ ଠିକା କର୍ମଚାରୀଙ୍କ ଉପରେ ସରକାରଙ୍କୁ ନିର୍ଭର କରିବାକୁ ପଡୁଛି । ବିଶେଷକରି ବିଭିନ୍ନ ଆଉଟସୋର୍ସିଂ ସଂସ୍ଥା ଯୋଗାଉଥିବା କର୍ମଚାରୀ ହିଁ ଏବେ ସହରାଞ୍ଚଳ ପାଇଁ ଭରସା ପାଲଟିଛନ୍ତି । ତେବେ ନୂଆ ସରକାର ଆସିବାପରେ ପୂର୍ବ ସରକାରଙ୍କ ଦ୍ୱାରା ବିଭିନ୍ନ ସଂସ୍ଥା ଜରିଆରେ କାର୍ଯ୍ୟ କରୁଥିବା ୬ଶହରୁ ଉର୍ଦ୍ଧ୍ୱ ଠିକା କର୍ମଚାରୀଙ୍କୁ ବିଦା କରିଥିବାବେଳେ ଏବେ ନୂଆ ସଂସ୍ଥା ଜରିଆରେ କର୍ମଚାରୀ ନିଯୁକ୍ତି ପାଇଁ ଯୋଜନା ହେଉଛି । ତେବେ କୌଣସି କାରଣରୁ ସଂସ୍ଥା ଚୂଡାନ୍ତ ହୋଇପାରୁ ନଥିବାରୁ ନୂଆ ନିଯୁକ୍ତି ବିଳମ୍ବ ହେବାରେ ଲାଗିଛି ।

ରାଜ୍ୟ ସରକାର ସହରାଞ୍ଚଳରେ ଏବେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଜରିଆରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏହାବାଦ୍‍ ଜଳ ଯୋଗାଣ ପାଇଁ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳ ଲୋକଙ୍କ ହାତକୁ କାମ ଯୋଗାଇବା ସହିତ ବିଦ୍ୟୁତ୍‍କରଣ ଠାରୁ ପରିମଳ ପର୍ଯ୍ୟନ୍ତ ଏକାଧିକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।

ଏଭଳି ସ୍ଥିତିରେ ତଳ ସ୍ତରରେ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିଯିବା ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ହେଲାଣି । ସରକାର ନିୟମିତ ପଦବୀ ପୂରଣ କରିବା ବଦଳରେ ଆଉଟସୋର୍ସିଂ ସଂସ୍ଥା ଉପରେ ଗୁରୁତ୍ୱ ଦେଉଥିବାରୁ ଯୋଜନାର ଶତ ପ୍ରତିଶତ ସଫଳତାକୁ ନେଇ ମଧ୍ୟ ଯୋଜନାବିତ୍‍ମାନେ ସନ୍ଦିହାନ ଅଛନ୍ତି । (ତଥ୍ୟ)