ଭୁବନେଶ୍ୱର : ସହରାଞ୍ଚଳ ରୂପାନ୍ତରଣ ସଂପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି । ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶଗ୍ରହଣ କରି ସମ୍ମିଳନୀର ଶୁଭାରମ୍ଭ ଘୋଷଣା କରିଥିଲେ । ଏହି ସମ୍ମିଳନୀରେ ୧୧ଟି ଦେଶ ଏବଂ ଭାରତର ୨୦ଟି ରାଜ୍ୟର ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଦେଶ ବିଦେଶରୁ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସମୃଦ୍ଧ ଐତିହ୍ୟରେ ଭରପୂର ଓ ସୁନ୍ଦର ସୁନ୍ଦର ମନ୍ଦିର ଥିବା ଓଡିଶାକୁ ସ୍ୱାଗତ କରି କହିଥିଲେ ଯେ, ଏବେ ସମାଜର ସବୁ ବର୍ଗଙ୍କ ସୁବିଧା ସୁଯୋଗ ପାଇଁ ମାର୍ଗ ସୃଷ୍ଟି କରିବା ଦିଗରେ ରୂପାନ୍ତରଣମୂଳକ ଅଭିଯାନ ଜାରି ରହିଛି । ଓଡ଼ିଶାର ଉଦାହରଣ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସହରାଂଚଳଗୁଡିକର ଅନ୍ତର୍ଭୁକ୍ତିକରଣ ବିକାଶ ଆଧାରରେ ଓଡିଶାର ପୁନର୍ଗଠନ ଜାରି ରହିଛି । ବିଭିନ୍ନ ଗୋଷ୍ଠୀ ସମ୍ପ୍ରଦାୟର ସଶକ୍ତୀକରଣ ହେଉଛି ଆମର ପ୍ରାଥମିକତା । ଆମର ସଫଳତା କେବଳ ରୂପାନ୍ତରଣ ନୁହେଁ, ବରଂ ସହରାଞ୍ଚଳ ଜୀବନ ଉପରେ ଏହାର ଗଭୀର ପ୍ରଭାବ ପକାଉଛି ।
ପୂର୍ବରୁ ପରିମଳ ବ୍ୟବସ୍ଥାରେ ଉନ୍ନତି ପାଇଁ ନୀରବ ସଂଘର୍ଷ କରୁଥିବା ଓଡିଶାରେ ଏବେ ଏ କ୍ଷେତ୍ରରେ ଆଶାତୀତ ଉନ୍ନତି ଘଟିଥିବା ସହ ଆମେ ସମ୍ମାନ ଏବଂ ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମର “ଡ୍ରିଙ୍କ ଫ୍ରମ୍ ଟ୍ୟାପ୍” ମିଶନ ହେଉଛି ଲୋକମାନଙ୍କୁ ସୁସ୍ଥତାର ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଏକ ପ୍ରତିବଦ୍ଧତା । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ, ବିଭିନ୍ନ ଗୋଷ୍ଠୀ ତଥାସମ୍ପ୍ରଦାୟ ନେତୃତ୍ୱାଧୀନ ନଗର ଉନ୍ନୟନ କେବଳ ଓଡ଼ିଶାର କାହାଣୀ ନୁହେଁ, ବରଂ ଆଗକୁ ଏକ ବିଶ୍ୱସ୍ତରୀୟ ରୂପାନ୍ତରଣର ମାର୍ଗ ଦର୍ଶାଉଛି । ସହରାଞ୍ଚଳ ରୂପାନ୍ତରଣ ଉପରେ ଆନ୍ତର୍ଜାତିକ ସମ୍ମିଳନୀଓଡିଶାରେ ଆୟୋଜନ, ଏ କ୍ଷେତ୍ରରେ ଆମର ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆମର ଅନୁଭୂତିରୁ ଶିଖିବା, ନିଜର କାହାଣୀ ତିଆରି କରିବା ଏବଂ ସମସ୍ତଙ୍କ ପାଇଁ ଉନ୍ନତ ସହରାଂଚଳ ବ୍ୟବସ୍ଥାର ଭବିଷ୍ୟତ ନିର୍ମାଣ ପାଇଁ ଆମେ ସମସ୍ତଙ୍କର ସହଯୋଗ ଆଶା କରୁଛୁ ବୋଲି ସେ ପ୍ରକାଶ କହିବା ସହିତ ସମସ୍ତଙ୍କର ଅନ୍ତର୍ଭୁକ୍ତିକରଣରେ ସହରାଂଚଳ ବିକାଶ ପାଇଁ ସେ ଆହ୍ୱାନ ଦେଇଥିଲେ । ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗୋଷ୍ଠୀ ସମୁଦାୟମାନଙ୍କ ମତ ଓ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇ ସ୍ୱପ୍ନର ସହର ନିର୍ମାଣ କରିବାକୁ ଗୁରୁତ୍ୱ ଦିଆଯାଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
ସମ୍ମିଳନୀରଏହି ଉଦଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀ, ମୁଖ୍ୟ ଶାସନ ସଚିବ,ଓଡିଶା ପ୍ରଦୀପ କୁମାର ଜେନା,ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାଥନନ୍, ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାହୁଳ କାପୁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ “ଓଡ଼ିଶା ଅର୍ବାନ ଏକାଡେମୀ”କୁ ଲୋକାର୍ପଣ କରିଥିଲେ । ଏହି ଏକାଡେମୀ ଏହାର ସମସ୍ତ ଅଂଶୀଦାରମାନଙ୍କୁ ତାଲିମ ଏବଂ ଦକ୍ଷତା ବିକାଶ ପ୍ରଦାନ କରିବାରେ ଏକ ଉତ୍କର୍ଷ କେନ୍ଦ୍ର ହେବ । ଏହି ସମ୍ମିଳନୀରେ ଓଡ଼ିଶା ଇନକ୍ଲୁସିଭ୍ ପରିମଳ ନୀତି-୨୦୨୪ଉନ୍ମୋଚନ କରାଯିବା ସହ ସହରାଞ୍ଚଳ ପରିଚାଳନାରେ ଗୋଷ୍ଠୀଗତ ଭାଗିଦାରିତା ଉପରେ ଏକ କଫି ଟେବୁଲ୍ ପୁସ୍ତକ ଉନ୍ମୋଚିତ ହୋଇଥିଲା ।