ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ) ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଓଡିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ସେପ୍ଟେମ୍ବର ୨୦୨୪ରେ ପିଏମଏଓ୍ବାଇ-୨.୦ର ଶୁଭାରମ୍ଭ ପରଠାରୁ ସହରାଞ୍ଚଳର ହିତାଧିକାରୀଙ୍କୁ ସୁଲଭ ଓ ଗୁଣାତ୍ମକ ବାସଗୃହ ଯୋଗାଇବାରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ମାର୍ଚ୍ଚ ୨୦୨୫ ଠାରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପୁନର୍ବାର ପ୍ରମାଣିତ କରିଛି। ପିଏମଏଓ୍ବାଇ-୨.୦ ଅଧୀନରେ ଓଡ଼ିଶାରେ ମୋଟ ୨୪,୬୨୫ଟି ଘର ମଞ୍ଜୁର ହୋଇଥିବାବେଳେ, ସେଥିମଧ୍ୟରୁ ୨୩,୪୬୪ଟି ପ୍ରସ୍ତାବିତ ସ୍ଥାନର ଜିଓ-ଟ୍ୟାଗିଂ କାର୍ଯ୍ୟ ସମାପ୍ତ ହୋଇଛି।
୫ ମେ’ ୨୦୨୬ ସୁଦ୍ଧା ୩,୧୩୪ଟି ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ, ୨,୦୦୮ଟି ଘରର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ ହୋଇସାରିଛି। ଅବଶିଷ୍ଟ ଘରଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଲକ୍ଷ୍ୟ ପୂରଣ ହେବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି।
ଏହି ସଫଳତା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସକ୍ରିୟ ପଦକ୍ଷେପ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ସହ ଫଳପ୍ରସୂ ସମନ୍ୱୟ ଏବଂ ତୃଣମୂଳ ସ୍ତରରେ ଦ୍ରୁତ କାର୍ଯ୍ୟାନ୍ୱୟନର ସ୍ପଷ୍ଟ ପ୍ରତିଫଳନ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧିକାରୀମାନଙ୍କୁ ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ପିଏମଏଓ୍ବାଇ-୨.୦ର ଅବଶିଷ୍ଟ ଲକ୍ଷ୍ୟକୁ ସମୟସୀମା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି।

