Home General ସହରାଞ୍ଚଳରେ ୧୩ହଜାରରୁ ଅଧିକ ବାସହୀନ

ସହରାଞ୍ଚଳରେ ୧୩ହଜାରରୁ ଅଧିକ ବାସହୀନ

ଭୁବନେଶ୍ୱର : ଶୀତଦିନରେ ବାସହୀନମାନେ ଯେଭଳି କଷ୍ଟ ନପାଆନ୍ତି ସେଥିପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଥିବାବେଳେ ଏବେ ବି ରାଜ୍ୟର ସହରାଞ୍ଚଳରେ ୧୩ହଜାରରୁ ଅଧିକ ଘର ଦ୍ୱାର ନଥିବା ବ୍ୟକ୍ତି ରହିଛନ୍ତି । ଏମାନଙ୍କ ୧୨ହଜାରରୁ ଅଧିକ ଲୋକଙ୍କର ସ୍ଥାୟୀ ଭାବେ ଘରଦ୍ୱାର ନଥିବା ଜଣାଯାଇଛି ।

ରାଜ୍ୟର ୧୧୪ ପୌରାଞ୍ଚଳରେ ଲକ୍ଷ୍ନୌର ଏଏମ୍‍ଏସ୍‍ ଓ କୋଲକତାର ଷ୍ଟେସାଲିଟ୍‍ ନାମ ଦୁଇଟି ସଂସ୍ଥା ଦ୍ୱାରା ବାସହୀନମାନଙ୍କର ସର୍ବେକ୍ଷଣ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ ସର୍ବାଧିକ ୭୯୧୧ ବାସହୀନ କେନ୍ଦ୍ରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବା ୧୦ଟି ଜିଲ୍ଲାରେ ରହିଛନ୍ତି । ସେହିଭଳି ଉତ୍ତରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଆସୁଥିବା ଜିଲ୍ଲାଗୁଡିକରେ ୧୦୮୦ ବାସହୀନ ଥିବାବେଳେ ଦକ୍ଷିଣାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବା ୧୦ଟି ଜିଲ୍ଲାରେ ୪୬୬୦ ବାସହୀନ ରହିଛନ୍ତି ।

ମୋଟ୍‍ ୧୩,୬୫୧ ବାସହୀନଙ୍କ ମଧ୍ୟରୁ ୯୦୯ ଜଣ ଅସ୍ଥାୟୀଭାବେ ବାସହୀନ ଅଟନ୍ତି । ବିଭିନ୍ନ ଋତୁରେ ଏମାନେ କାମ ଅନ୍ୱେଷଣରେ ସହରାଞ୍ଚଳକୁ ଆସୁଥିବା ସମୟରେ ହି ରହିବାପାଇଁ ଘରଟିଏ ପାଇନଥାନ୍ତି । ତେବେ ସରକାରୀ ଆକଳନ ଠାରୁ ରାଜ୍ୟର ସହରାଞ୍ଚଳରେ ବାସହୀନଙ୍କ ସଂଖ୍ୟା ଢେର ଅଧିକ ବୋଲି ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ ରାତ୍ରୀ ସମୟରେ ରାଜଧାନୀ ସମେତ ରାଜ୍ୟର ଅନ୍ୟ ସହରାଞ୍ଚଳରେ ଦୋକାନ ବାରଣ୍ଡା ଓ ରାସ୍ତାକଡରେ ଶୋଇଥିବା ଲୋକଙ୍କୁ ଲକ୍ଷ୍ୟକଲେ ଏହି ସଂଖ୍ୟା ଢେର ଅଧିକ ବୋଲି ଯେ କେହି କହିବ ।

ତେବେ ରାଜଧାନୀ ଭଳି ସହରାଞ୍ଚଳରେ ବିଭିନ୍ନ ଯୋଜନାରେ ଘରଟିଏ ପାଇବା ସହିତ ଅନ୍ୟାନ୍ୟ ସରକାରୀ ଯୋଜନାରୁ ଉପକୃତ ହେବାପାଇଁ କିଛି ଲୋକେ ବି ନିଜକୁ ବାସହୀନ ତାଲିକାରେ ସାମିଲ କରାଇ ନେଉଛନ୍ତି । ଏପରିକି ସହରାଞ୍ଚଳର ବିଭିନ୍ନ ବସ୍ତିରେ ଏକାଧିକ ଘର କରିଥିବା ବ୍ୟକ୍ତି ବି ନିଜକୁ ବାସହୀନ ବୋଲି ଦର୍ଶାଇବାକୁ ପଛାଉ ନାହାନ୍ତି ।

ତେବେ ଶୀତଦିନରେ ବାସହୀନମାନେ ଯେଭଳି ରାତ୍ରୀ ସମୟରେ ବାହାରେ ନଶୁଅନ୍ତି କିମ୍ବା କଷ୍ଟ ନପଆନ୍ତି ସେଥିପାଇଁ ରାଜ୍ୟ ସହରାଞ୍ଚଳ ବିକାଶ ପ୍ରତିଷ୍ଠାନ (ସୁଡା) ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ବାସହୀନ ଲୋକେ ଯେଭଳି ରାତ୍ରୀ ସମୟରେ ଭଲରେ ଶୋଇ ପାରିବେ ସେଥିପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ସହିତ ସେଠାରେ ଅନ୍ୟାନ୍ୟ ସୁବିଧା ସୁଯୋଗର ବନ୍ଦୋବସ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । (ତଥ୍ୟ)