Home News in Odia ସହରାଞ୍ଚଳରେ ମିଳିବ ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟ ସୁବିଧା

ସହରାଞ୍ଚଳରେ ମିଳିବ ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟ ସୁବିଧା

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ “ସୁଯୋଗ” ପ୍ଲାଟଫର୍ମ ଜରିଆରେ ନାଗରିକଙ୍କୁ ସୁଗମ, ସୁରକ୍ଷିତ ଓ ନାଗରିକକୈନ୍ଦ୍ରିକ ପେମେଣ୍ଟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପେମେଣ୍ଟ ଆଗ୍ରିଗେଟର୍ ସେବା ଏସବିଆଇ ଇପେ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।।

ରାଜ୍ୟ ସରକାରଙ୍କ ପକ୍ଷରୁ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦୁ ସାହୁ ଏବଂ ଏସବିଆଇ ପକ୍ଷରୁ ସୁଶାନ୍ତ କୁମାର ଦାଶ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚି ଉଷା ପାଢ଼ୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏସବିଆଇ ଓଡ଼ିଶା ସର୍କଲ୍‌ର ମୁଖ୍ୟ ମହାପ୍ରବନ୍ଧକ ରାକେଶ ଯାଦବ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ସହଭାଗିତା ଫଳରେ ନାଗରିକମାନେ “ସୁଯୋଗ” ପ୍ଲାଟଫର୍ମ ଜରିଆରେ ବିଭିନ୍ନ ପୌର ସେବା, ଟିକସ, ଫି’ ଏବଂ ୟୁଟିଲିଟି ଚାର୍ଜ ପାଇଁ ଅନଲାଇନରେ ପେମେଣ୍ଟ କରିପାରିବେ । ଏଥିପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ଡିଜିଟାଲ ୱାଲେଟ ଭଳି ବିଭିନ୍ନ ଡିଜିଟାଲ୍ ପେମେଣ୍ଟ ବିକଳ୍ପ ଉପଲବ୍ଧ ହେବ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ନାଗରିକଙ୍କ ପାଇଁ ସରକାରୀ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ ଓ ସହଜଲଭ୍ୟ କରିବା ସହିତ ନିୟମିତ ପୌର କାରବାର ପାଇଁ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତାକୁ କମାଇବା । ଏହା ସହରାଞ୍ଚଳ ଶାସନରେ ସ୍ୱଚ୍ଛତା, ଦକ୍ଷତା ଓ ପେମେଣ୍ଟ ପ୍ରକ୍ରିୟାର ସୁଗମତାକୁ ଆହୁରି ବଢ଼ାଇବ ।

ଏହି ପେମେଣ୍ଟ ବ୍ୟବସ୍ଥାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ସଂଗୃହୀତ ଅର୍ଥର ସୁଗମ ସେଟଲମେଣ୍ଟ ବ୍ୟବସ୍ଥା । ପେମେଣ୍ଟ ଗେଟୱେ ଜରିଆରେ ପ୍ରାପ୍ତ ଅର୍ଥ ସମ୍ପୃକ୍ତ ପୌର ସଂସ୍ଥା ଗୁଡ଼ିକର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାକୁ ବ୍ୟବସାୟିକ ଦିବସ ଆଧାରରେ ସିଧାସଳଖ ସେଟଲମେଣ୍ଟ କରାଯିବ । ଫଳରେ ସଂଗ୍ରହର ସ୍ୱଚ୍ଛ ହିସାବ, ମେଳକରଣ ଓ ଟ୍ରାକିଂ ସମ୍ଭବ ହେବ l ଏହା ଡିଜିଟାଲ୍ ପେମେଣ୍ଟ ସେବାରେ ଅଧିକ ସ୍ୱଚ୍ଛତା ଆଣିବା ସହ ନାଗରିକଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିବ l ଏହି ସହଭାଗିତା ଡିଜିଟାଲ୍ ମାଧ୍ୟମରେ ନାଗରିକ ସେବାର ଦକ୍ଷତା, ସୁବିଧା ଓ ସହଜଲଭ୍ୟତାକୁ ଆହୁରି ବଢ଼ାଇବାରେ ସହାୟକ ହେବ ବୋଲି ଏସିଏସ ଶ୍ରୀମତୀ ପାଢ଼ୀ କହିଥିଲେ।