Home Health ସହରରେ ନିଶା କମ୍ପାନୀର ବିଜ୍ଞାପନ

ସହରରେ ନିଶା କମ୍ପାନୀର ବିଜ୍ଞାପନ

ଭୁବନେଶ୍ୱର : ମଦ, ଗୁଟ୍‍ଖା, ତମାଖୁ ଆଦିର ଉତ୍ପାଦନ କରୁଥିବା ସଂସ୍ଥା ଏହି ସାମଗ୍ରିର ବିଜ୍ଞାପନ ଦେଇପାରିବେ ନାହିଁ ବୋଲି ଆଇନ୍‍ଗତ ବ୍ୟବସ୍ଥା ଥିବାବେଳେ ଏବେ କିନ୍ତୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ନିଶାଦ୍ରବ୍ୟ ପ୍ରସ୍ତୁତକାରୀ ସଂସ୍ଥାମାନଙ୍କର ମାଳ ମାଳ ବିଜ୍ଞାପନ ହୋର୍ଡିଂ ଦେଖିବାକୁ ମିଳୁଛି ।

ଆଇନାନୁଯାୟୀ ସିଧାସଳଖ ଭାବେ ମଦ, ଗୁଟ୍‍ଖା, ତମାଖୁ ଆଦିର ବିଜ୍ଞାପନ ନିଷିଦ୍ଧ ରହିଛି । ତେବେ ଯେଉଁ କମ୍ପାନୀ ଯେଉଁ ବ୍ରାଣ୍ଡ୍‍ର ମଦ ତିଆରି କରୁଛନ୍ତି ସେହି ବ୍ରାଣ୍ଡରେ ସୋଢାପାଣି ପ୍ରସ୍ତୁତ କରି ବଡ ବହ ଅକ୍ଷରରେ ବ୍ରାଣ୍ଡ୍‍ ନାମ ଲେଖିବା ସହିତ ମିଞ୍ଜି ମିଞ୍ଜି ଅକ୍ଷରରେ ଏହି ବିଜ୍ଞାପନ ହୋର୍ଡିଂରେ ସୋଢା ବୋଲି ଲେଖାଯାଉଛି । ସେହିପରି ମାରାତ୍ମକ ପାନମସଲା, ତମାଖୁ, ଗୁଟ୍‍ଖା ଆଦି ପ୍ରସ୍ତୁତ କରୁଥିବା କେତେକ ସଂସ୍ଥା ସେହି ବ୍ରାଣ୍ଡ୍‍ ନାମରେ ବିଜ୍ଞାପନ ଦେଇ ତଳକୁ ଛୋଟ ଛୋଟ ଅକ୍ଷରରେ ଅଳେଇଚ ବା ଅନ୍ୟ କିଛି ସାମଗ୍ରିର ନାମ ଲେଖୁଛନ୍ତି ।

ଏମିତିକି ଅନେକ ଘରୋଇ ଟେଲିଭିଜନ ଚ୍ୟାନେଲରେ ଏହି ତମାଖୁ ପ୍ରସ୍ତୁତକାରୀ ସଂସ୍ଥାଗୁଡିକର ବିଜ୍ଞାପନ ଦିନ ରାତି ପ୍ରସାରଣ କରାଯାଉଛି । ପ୍ରଶାସନକଳର ସମସ୍ତେ ଏଭଳି ବିଜ୍ଞାପନ ଦେଖୁଛନ୍ତି । ପୌରସଂସ୍ଥା ଠାରୁ ଅନୁମତି ନେଇ ରାଜଧାନୀ ଓ କଟକ ସମେତ ରାଜ୍ୟର ପ୍ରାୟ ସବୁ ପୌରାଞ୍ଚଳରେ ବି ଏହି ନିଶା ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥାର ହୋର୍ଡିଂ ଲାଗୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡିଶାରେ ଗୁଟ୍‍ଖା ତମାଖୁ ଆସି ୨୦୧୧ ମସିହାରୁ ନିଷିଦ୍ଧ ହେଉଥିଲେ ବି ଦୋକାନ ବଜାରରେ ଏହି ନିଶା ସାମଗ୍ରି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଛି ଏବଂ ପୁଲିସ୍‍ ଠାରୁ ଆରମ୍ଭକରି ଏହାକୁ ଜବତ କରିବା ଦାୟିତ୍ୱରେ ଥିବା ସଂସ୍ଥାମାନେ ଏଭଳି ମାଳ ମାଳ ନିଷିଦ୍ଧ ସାମଗ୍ରୀ ବିକ୍ରି ଦେଖୁଥିଲେ ମଧ୍ୟ କୌଣସି ଅକୁହା କାରଣ ଯୋଗୁଁ ଆଖିବୁଜି ଦେଉଛନ୍ତି । ଅବଶ୍ୟ ମଝିରେ ମଝିରେ ଚଢାଉ କରାଯାଇ ନକଲି ନିଶା ସାମଗ୍ରୀ ଜବତ ହେଉଥିବା କୁହାଯାଉଛି ।

ଇତି ମଧ୍ୟରେ ତମାଖୁ ନିୟନ୍ତ୍ରଣ ପାଇଁ ସରକାର ଏକ ରାଜ୍ୟସ୍ତରୀୟ ସମନ୍ୱୟ କମିଟି ଗଠନ କରିଛନ୍ତି । ଏଥିରେ ଗୃହ, ଅବକାରୀ, ନଗର ଉନ୍ନୟନ, ଶିଳ୍ପ, ସୂଚନା ଓ ଲୋକସମ୍ପର୍କ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭାଗ ସମ୍ପୃକ୍ତ ଅଛନ୍ତି । ଖୋଦ ସ୍ୱାସ୍ଥ୍ୟ ସଚିବ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଏହାଛଡା ଏହି କମିଟିରେ ପୁଲିସ୍‍ ମହାନିର୍ଦ୍ଦେଶକ, ପୁଲିସ୍‍ କମିଶନର, ଖାଦ୍ୟ ସୁରକ୍ଷା କମିଶନର ଓ ଭେଷଜ ନିର୍ଦ୍ଦେଶକ ପ୍ରଭୃତି ସଦସ୍ୟ ଅଛନ୍ତି । ପୂର୍ବରୁ ୨୦୧୧ ମସିହାରେ ଏଭଳି ଏକ କମିଟି ଗଠନ କରାଯାଇଥିଲା ।

ରାଜଧାନୀର ଛାତି ଉପରେ ଗୁଟ୍‍ଖା, ତମାଖୁ ଓ ମଦ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ତାଙ୍କ ବ୍ରାଣ୍ଡ୍‍ ନାମ ସହିତ ସୋଢା, ଅଳେଇଚ ଆଦି ଛୋଟ ଛୋଟ ଅକ୍ଷରରେ ଲେଖି ନିଜ ନିଶା ସାମଗ୍ରିର ପ୍ରଚାର କରୁଥିବାବେଳେ ଏହି ସମନ୍ୱୟ କମିଟି କିନ୍ତୁ ଏଯାବତ୍‍ ଗୋଟିଏ ହେଲେ ହୋର୍ଡିଂ କିମ୍ବା ବିଜ୍ଞାପନ ଉପରେ ଅଙ୍କୁଶ ଲଗାଇ ନାହିଁ ବୋଲି ନିଶା ନିବାରଣ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂସ୍ଥା ଖୋଲା ଅଭିଯୋଗ କରୁଛନ୍ତି । ଏମିତିକି ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ଜାତ ସାମଗ୍ରୀ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟର ବ୍ୟବହାର ଓ ବିପ୍ପଣନ କରାଯାଇ ପାରିବନାହିଁ ବୋଲି କୋଟ୍‍ପା ଆଇନ୍‍ରେ କଡା ବ୍ୟବସ୍ଥା ଥିବାବେଳେ ତାହାର ବି ଖୋଲା ଉଲ୍ଲଙ୍ଘନ କରାଯାଉଛି । ଅବଶ୍ୟ ଇତି ମଧ୍ୟରେ ରାସ୍ତାକଡରେ ମଦ୍ୟପାନ କରୁଥିବା ଓ ବ୍ରାଉନସୁଗାର ଗଞ୍ଜେଇ ଆଦି ଟାଣୁଥିବା ଲୋକଙ୍କୁ ପୁଲିସ୍‍ ଧରୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)