Home Excise ସହରରୁ ଗାଁ ବଢୁଛି ନିଶା

ସହରରୁ ଗାଁ ବଢୁଛି ନିଶା

ଭୁବନେଶ୍ୱର : ଓଡିଶାରେ ନିଶାଡିଙ୍କ ସଂଖ୍ୟା ଉଦ୍‍ବେଗଜନକ ଭାବେ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ବଢି ଚାଲିଥିବାବେଳେ ମଦ ଓ ଅନ୍ୟାନ୍ୟ ନିଶାର ପ୍ରସାର ଏବଂ ସରକାରଙ୍କ ରାଜସ୍ୱ ଆୟ ମଧ୍ୟ ହୁ ହୁ ହୋଇ ବଢୁଛି ।

୨୦୦୦ ମସିହା ବେଳକୁ ଓଡିଶାର ବାର୍ଷିକ ଅବକାରୀ ରାଜସ୍ୱ ପରିମାଣ ୧୪୦ କୋଟି ଟଙ୍କାରୁ କମ୍‍ ଥିବାବେଳେ ୨୦୨୩-୨୪ ବର୍ଷରେ ଅବକାରୀ ସାମଗ୍ରୀରୁ ଭାଟ୍‍କୁ ମିଶାଇ ସରକାର ୧୦,୧୮୨ କୋଟି ୨୪ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଏହାର ପରିମାଣ ଆହୁରି ଅଧିକ ବଢିପାରେ ।

ମଦମୁକ୍ତି ଆନ୍ଦୋଳନ ସହିତ ଚାରି ଦଶନ୍ଧି ଧରି ଜଡିତ ଥିବା ପୁରୁଖା କର୍ମୀ, ଅବସରପ୍ରାପ୍ତ ଅବକାରୀ ଓ ପୁଲିସ୍‍ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ରାଜ୍ୟରେ ଯେତେ ପରିମାଣର ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ସରକାରଙ୍କ ଲାଇସେନ୍ସପ୍ରାପ୍ତ ଦୋକାନ ମାଧ୍ୟମରେ ମିଳୁଛି ତାହାର ୫ରୁ ୧୦ଗୁଣ ଚୋରା ବଜାରରେ ଶସ୍ତା ଦରରେ ଉପଲବ୍ଧ ହେଉଛି । ଯେତେ ପରିମାଣର ଚୋରା ମଦ, ଗଞ୍ଜେଇ ଓ ଅନ୍ୟ ନିଶା ସାମଗ୍ରୀ ଜବତ କରାଯାଉଛି ତାହାର ଢେର ଅଧିକଗୁଣ ଚୋରା ବେପାରୀମାନେ ନିଶାଡିଙ୍କୁ ଯୋଗାଇ ପ୍ରଚୁର ମୁନାଫା ଉଠାଉଛନ୍ତି ।

ସରକାରୀ ତଥ୍ୟ ମୁତାବକ ୨୦୨୦-୨୧ ବର୍ଷରେ ରାଜ୍ୟରେ ୪କୋଟି ୬ଲକ୍ଷ ଲଣ୍ଡନପ୍ରୁଫ୍‍ ଲିଟର ଭାରତ ତିଆରି ବିଦେଶୀ ମଦ କାରବାର ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ଏହାର ପରିମାଣ ପାଖାପାଖି ୫କୋଟି ୯୦ଲକ୍ଷ ଲିଟରରେ ପହଞ୍ଚିଛି । ସେହିଭଳି ୨୦୨୧-୨୨ ବର୍ଷରେ ସରକାରଙ୍କ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ୭୧ଲକ୍ଷ ଲଣ୍ଡନପ୍ରୁଫ୍‍ ଲିଟର ଦେଶୀମଦ ଉଠାଇଥିବାବେଳେ ଗତବର୍ଷ ଏହାର ପରିମାଣ ୯୮ଲକ୍ଷ ଲିଟରକୁ ଟପିଯାଇଛି ।

କେବଳ ସେତିକି ନୁହେଁ, ଓଡିଶାରେ ବିୟର ବ୍ୟବହାର ମଧ୍ୟ ହୁ ହୁ ହୋଇ ବଢୁଛି । ୨୦୨୦-୨୧ ବର୍ଷରେ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ୪କୋଟି ୭୧ଲକ୍ଷ ଲିଟର ବିୟର ମଦୁଆମାନଙ୍କ ପାଇଁ ଉଠାଇଥିବାବେଳେ ଗତ ଆର୍ଥିକବର୍ଷରେ ଏହାର ପରିମାଣ ପାଖପାଖି ୧୬କୋଟି ଲିଟରରେ ପହଞ୍ଚିଛି । ସେହିପରି ଓଡିଶାରେ ବାହାରଭାଟି ମଦର ବ୍ୟବହାର ମଧ୍ୟ ବଢି ବଢି ଗତ ଆର୍ଥିକ ବର୍ଷରେ ପାଖାପାଖି ୭କୋଟି ଲିଟରରେ ପହଞ୍ଚିଥିଲା । ମୋଟାମୋଟି ଭାବେ ଏହି ୪କିସମର ମଦ ଓ ବିୟର ୨୦୨୩-୨୪ ବର୍ଷରେ ଓଡିଶାରେ ଉଠାଣ ହୋଇଛି ପାଖାପାଖି ୩୦କୋଟି ଲିଟର ।

ଚଢାଉବେଳେ ଅନେକ ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ଓ ଦେଶୀ ମଦଦୋକାନରେ ନକଲି ମଦ ଧରାପଡୁଛି । ଖୋଦ ରାଜଧାନୀରେ ନିଜେ ଅବକାରୀ କମିଶନରଙ୍କ ଉପସ୍ଥିତିରେ ଏଭଳି ନକଲି ବିଦେଶୀ ମଦର ଶହ ଶହ ବୋତଲ ବୁଲଡୋଜର ଚଢାଇ ନଷ୍ଟ କରାଯାଇଛି । ଏହାଛଡା ହଜାର ହଜାର ଲିଟର ଦେଶୀମଦ ସମେତ ଅନ୍ୟାନ୍ୟ ମଦ ମଧ୍ୟ ବେଆଇନ୍‍ ଭାଟିରୁ ଧରାପଡିଛି । କେତେକ କ୍ଷେତ୍ରରେ କିଛି ଅସାଧୁ ମଦ ବ୍ୟବସାୟୀ ସହରାଞ୍ଚଳରୁ ଗାଁ ଗହଳ ପର୍ଯ୍ୟନ୍ତ ବିଭିନ୍ନ ଦୋକାନରେ ଚୋରା ମଦର ବେପାର କୋଚିଆମାନଙ୍କ ମାଧ୍ୟମରେ କରାଉଛନ୍ତି ।

ବେସରକାରୀ ଭାବେ ଆଶଙ୍କା କରାଯାଉଛି ଯେ ଓଡିଶାରେ ଏବେ ମଦୁଆଙ୍କ ସଂଖ୍ୟା କୋଟିଏ ୬୦ଲକ୍ଷ ଟପିଲାଣି । ବ୍ରାଉନସୁଗାର, ଗଞ୍ଜେଇ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀ ଗାଁ ଗହଳରୁ ରାଜଧାନୀ ପର୍ଯ୍ୟନ୍ତ ଚାରିଆଡେ ଛାଇହୋଇ ଯାଉଛି । ଗଞ୍ଜେଇ ଚାଷକୁ ମୂଳରୁ ନରୋକି ଅଳ୍ପ କେତେକ ସ୍ଥାନରେ ପରବର୍ତ୍ତୀ ସମୟରେ ଗଞ୍ଜେଇଗଛ ନଷ୍ଟ କରାଯାଉଥିଲେ ମଧ୍ୟ ବିଭିନ୍ନ ରାଜ୍ୟ ଏମିତିକି ବିଦେଶକୁ ଗଞ୍ଜେଇ ଚାଲାଣ କ୍ଷେତ୍ରରେ ଓଡିଶାର ଦୁର୍ନାମ ବଢି ଚାଲିଛି । ସୁବର୍ଣ୍ଣ ଓଡିଶା ଓ ବିକଶିତ ଓଡିଶା ଗଠନ ପାଇଁ ଓଡିଶାକୁ ନିଶାମୁକ୍ତ କରିବା ଲାଗି ବିଜେପି ନିର୍ବାଚନ ପ୍ରତିଶ୍ରୁତି କେତେଦୂର ପାଳନ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)