ଭୁବନେଶ୍ୱର : ଚୋରା ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଅବକାରୀ ବିଭାଗକୁ ପଶ୍ଚିମବଙ୍ଗରୁ ଯେଭଳି ସହାୟତା ମିଳିବା କଥା ତାହା ମିଳୁନାହିଁ । ରାଜ୍ୟ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ପଶ୍ଚିମବଙ୍ଗ ନିଶା ମାଫିଆଙ୍କ ଦ୍ୱାରା ନିଶା କାରବାର ବୃଦ୍ଧି ଓ ସେମାନଙ୍କୁ ରୋକିବା ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ସେ ସଂକ୍ରାନ୍ତରେ ବିଜେଡି ବିଧାୟକ ସଂଜୀବ କୁମାର ମଲ୍ଲିକ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି ।
ଶ୍ରୀ ମଲ୍ଲିକ କହିଥିଲେ ଯେ ବାଂଲାଦେଶରୁ ଡ୍ରଗ୍ସ ପଶ୍ଚିମବଙ୍ଗର ମୂର୍ଷିଦାବାଦକୁ ଆସୁଛି । ସେଠାରୁ ଲାଲଗୋଲାକୁ ଯାଇ ମିଶ୍ରଣ ହେଉଛି । ଦୀଘା ଏବେ ଏହି ମାରାତ୍ମକ ନିଶା ସାମଗ୍ରୀର ହବ୍ ପାଲଟିଛି । ଦୀଘାରୁ ନିଶା ସାମଗ୍ରୀ ଜଳେଶ୍ୱର ବାଟ ଦେଇ ଓଡ଼ିଶାକୁ ପଶୁଛି । ଭଦ୍ରକ ଜିଲ୍ଲାରେ ଏବେ ୫୦ ନିଶା ବେପାରୀ ନିଶା ଯୋଗାଉଛନ୍ତି । ପ୍ରଥମେ ଏହି ନିଶା ବେପାରୀମାନେ ଛୋଟ ଛୋଟ ସ୍କୁଲ, କଲେଜ ପଢ଼ୁଆ ପିଲାଙ୍କୁ ଟାର୍ଗେଟ୍ କରି ନିଶା ଖୁଆଉଛନ୍ତି ଓ ପରେ ସେମାନଙ୍କ ହାତରେ ନିଶା କାରବାର କରୁଛନ୍ତି ।
ଶ୍ରୀ ମଲ୍ଲିକ କହିଥିଲେ ଯେ ଅବକାରୀ ଆଇନ ଅନୁଯାୟୀ ଏବେ ୫ ଗ୍ରାମ ତଳକୁ ଡ୍ରଗ୍ସ ଜବତ ହେଲେ ପୋଲିସ ମାମଲା ହେଉନାହିଁ । ଏହାର ସୁଯୋଗ ନେଇ ନିଶା ବେପାରୀମାନେ ସେମାନଙ୍କ କାରବାର ଜୋରଦାର କରୁଛନ୍ତି । ତେଣୁ ୫ ଗ୍ରାମ ପାଇଁ ଥିବା ଏହି ସୀମାରେଖାକୁ ୨ ଗ୍ରାମ କରାଯାଉ । ଏହା ନ ହେଲେ ଆଗାମୀ ବଂଶଧର ନିଶା କବଳରେ ପଡି ଛାରଖାର ହୋଇଯିବେ ।
ଶ୍ରୀ ମଲ୍ଲିକଙ୍କ ବକ୍ତବ୍ୟର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ ପଶ୍ଚିମବଙ୍ଗରୁ ଜଳେଶ୍ୱର ବାଟ ଦେଇ ଡ୍ରଗ୍ସ ଆସୁଥିବା ବେଳେ ରାଜ୍ୟ ଅବକାରୀ ବିଭାଗ ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ହେଲେ ପଶ୍ଚିମବଙ୍ଗ ଏଥିରେ ସହାୟତା କରୁନାହିଁ । ରାଜ୍ୟରୁ ବ୍ରାଉନସୁଗାର ଜବତ ସଂକ୍ରାନ୍ତରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ୨୦୧୯ ମସିହାରେ ୨କିଲୋ ୬୪୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୨୦୨୦ରେ ୩୫ କିଲୋ ୬୧୫ ଗ୍ରାମ, ୨୦୨୧ରେ ୫୫ କିଲୋ ୪୪୮ ଗ୍ରାମ ଓ ଚଳିତବର୍ଷ ଏପ୍ରିଲ ୨୨ ତାରିଖ ସୁଦ୍ଧା ୧୨ କିଲୋ ୨୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।
୨୦୨୦-୨୧ ମସିହାରେ ଅବକାରୀ ଧରପଗଡ ସମୟରେ ୩୯,୩୬ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ୩୨,୭୬୬ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ୨୦୨୧-୨୨ରେ ୮୬୬୩ଟି ମାମଲା ରୁଜୁ ହୋଇଥିବା ବେଳେ ୭୧୭୦ ବ୍ୟକ୍ତି ଗିରଫ ହୋଇଛନ୍ତି । ଏହି ପ୍ରଶ୍ନ ଉପରେ ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ ଅତିରିକ୍ତ ପ୍ରଶ୍ନ ଛଳରେ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ ନିଶା କାରବାର ହେଉଥିବା ବେଳେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମତ ଦେଇଥିଲେ । (ତଥ୍ୟ)