Home Education ସହଯୋଗୀ ଶିକ୍ଷା ବ୍ୟବସ୍ଥା ପାଇଁ ଆହ୍ୱାନ

ସହଯୋଗୀ ଶିକ୍ଷା ବ୍ୟବସ୍ଥା ପାଇଁ ଆହ୍ୱାନ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ସହ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସମୀକ୍ଷା ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ  ଶ୍ରୀ ପ୍ରଧାନ ସମଗ୍ର ଭାରତବର୍ଷରେ ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷର ରୋଡମ୍ୟାପ୍ ଉପରେ ନିଜ ମତ ରଖିଛନ୍ତି ।

 ସେ କହିଛନ୍ତି ଯେ ଶିକ୍ଷା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ପରିକଳ୍ପନାର ଏକ ପ୍ରମୁଖ ସ୍ତମ୍ଭ ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ହେଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ । ଜାତୀୟ ଶିକ୍ଷା ନୀତିର ପାଖାପାଖି ୪ ବର୍ଷ ମଧ୍ୟରେ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅଗ୍ରଗତି ହୋଇଛି । ଭାରତକୁ ଏକ ଜ୍ଞାନ ମହାଶକ୍ତିରେ ପରିଣତ କରିବା ପାଇଁ ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି । ଶିକ୍ଷାକୁ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବା ଦିଗରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।   

ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷା ଏବଂ ସମସ୍ତ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ସହ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ହେବ । ସେ ଆହୁରି କହିଛନ୍ତି ଯେ ଭାରତ ହେଉଛି ଏକ ଯୁବବର୍ଗଙ୍କ ଦେଶ । ବିଶେଷ ଭାବରେ ବିଶ୍ୱ ଯେତେବେତେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହେଉଛି ସେହି ସମୟରେ ଯୁବକଙ୍କୁ ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ନାଗରିକ କରିବା ଆମର ଆହ୍ୱାନ ।

ଆମକୁ ମିଳିତ ଉଦ୍ୟମରେ ଏପରି ଏକ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ପଡିବ ଯେଉଁ ଶିକ୍ଷା ଉଭୟ ରୁଟେଡ୍ ଏବଂ ଭବିଷ୍ୟତବାଦୀ ହେବ । ସାମଗ୍ରିକ ଆଭିମୁଖ୍ୟ ସହିତ ବିଦ୍ୟାଳୟ ଗୁଡ଼ିକରେ ବୈଷୟିକ ଜ୍ଞାନକୌଶଳ ପ୍ରସ୍ତୁତ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।  

ଶିକ୍ଷା ପରିସଂସ୍ଥାନକୁ ସୁଦୃଢ଼ କରିବା ସହ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବେଷ୍ଟ୍ ପ୍ରାକ୍ଟିସକୁ ବଢ଼ାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଥିଲେ । କାପାସିଟି ବଲଡିଂକୁ ମଜଭୂତ୍ କରିବା, ସହଯୋଗୀ ଶିକ୍ଷା ବ୍ୟବସ୍ଥା ଗଠନ କରିବା ଏବଂ ଶିକ୍ଷାକୁ ବିକଶିତ ଭାରତର ମୁଖ୍ୟ ସ୍ତମ୍ଭ ଭାବରେ ଉପଯୋଗ କରିବା ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଷ୍ଟେକହୋଲ୍ଡରଙ୍କୁ ଆହ୍ୱାନ କରିଛନ୍ତି । ଏହାବ୍ୟତିତ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧିର ଗୁରୁତ୍ୱ, ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ପଞ୍ଚବାର୍ଷିକ କାର୍ଯ୍ୟଯୋଜନା ଉପରେ ଆଲୋଚନା ହେବ । ୧୦୦ ଦିନିଆ ଆକ୍ସନ ପ୍ଲାନ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସମଗ୍ର ଶିକ୍ଷା ଅଧୀନରେ ଭିତ୍ତିଭୂମି କାର୍ଯ୍ୟ, ଆଇସିଟି ଏବଂ ସ୍ମାର୍ଟ ଶ୍ରେଣୀଗୃହର ଅଗ୍ରଗତି ସ୍ଥିତି ଉପରେ ଚର୍ଚ୍ଚା ହେବ । ସେହିପରି ଭିଏସକେ ଏବଂ ୨୦୦ ଚ୍ୟାନେଲର ସେଟିଂ, ୨୦୨୩-୨୪ ପାଇଁ ୟୁଡିଆଇଏସଇ+ ର ଚୂଡ଼ାନ୍ତୀକରଣ, ଡାଏଟ୍ ଉପରେ ଆଲୋଚନା ଏବଂ ବିଦ୍ୟାଳୟ ଗୁଡ଼ିକରେ ତମାଖୁ ନିୟନ୍ତ୍ରଣ ଏବଂ ଟିଓଏଫଇଆଇ ନିର୍ଦ୍ଦେଶାବଳୀ ପ୍ରତିରୋପଣ ଆବଶ୍ୟକତା ଉପରେ ଆଲୋଚନା ହେବ ।

ଏହି ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଏନସିଇଆରଟି, ଏସସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସିବିଏସଇର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ ।