ଭୁବନେଶ୍ୱର : କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କୃଷି ଉଦ୍ୟୋଗ ପ୍ରତିଷ୍ଠାକୁ ସହଜ କରିବା ସହିତ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ଅଧିକ ଶୃଙ୍ଖଳିତ କରିବା ପ୍ରୟାସରେ ଏହାର ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ କରାଯାଇଛି ।
କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ସଂପର୍କରେ ଆଜି ଏକ ସଂକଳ୍ପନାମା ଜାରି କରାଯାଇଛି । ଏହା ଦ୍ୱାରା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅଧିକ ପୁଂଜିନିବେଶ ହେବା ସହିତ ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ଉଦ୍ୟାନ କୃଷି କ୍ଷେତ୍ରରେ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ନିମନ୍ତେ କୋଲଡ୍ରୁମ୍ ଏବଂ ସୌର କୋଲଡ୍ ରୁମ୍ ପ୍ରତିଷ୍ଠାକୁ କୃଷି ଉଦ୍ୟୋଗ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି କୃଷି କ୍ଷେତ୍ରରେ ସ୍ପିରୁଲିନା ଚାଷକୁ ମଧ୍ୟ କୃଷି ଉଦ୍ୟୋଗ ଭାବରେ ପରିଗଣିତ କରାଯିବ । ଏଥି ସହିତ ୪୦ ହର୍ଷପାୱାର ପର୍ଯ୍ୟନ୍ତ ଟ୍ରାକଫର ନିମନ୍ତେ ପୁଂଜିନିବେଶ ରିହାତିକୁ ଏକ ଲକ୍ଷ ୨୦ ହଜାର ଟଙ୍କା ଏବଂ ୪୦ ହର୍ଷପାୱାରରୁ ଅଧିକ ଟ୍ରାକଫର ନିମନ୍ତେ ସର୍ବାଧିକ ଏକ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରାଯାଇଛି ।
ଏଥି ସହିତ ଆନ୍ତଃବିଭାଗୀୟ କ୍ଷେତ୍ରରେ ଜଡ଼ା, ପାଳୁଅ, ଅର୍ଜୁନ ଓ ଅସନଭିତ୍ତିକ ରେଶମ ପୋକ ପାଳନ ପାଇଁ ବୟନ କ୍ଷେତ୍ରକୁୁ କୃଷି ଉଦ୍ୟୋଗରେ ଅନ୍ତର୍ଭୁକ୍ତ କରାଯାଇଛି । ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ଉଦ୍ୟୋଗୀମାନଙ୍କୁ ଗୋ-ଆହେଡ୍ ପ୍ରଦାନ ପରେ ପୁଂଜିନିବେଶର ଧାରାରେ ନିଜସ୍ୱ ପାଣ୍ଠି ବା ବ୍ୟାଙ୍କ ଋଣ ପ୍ରଦାନରେ କୌଣସି ପରିବର୍ତ୍ତନ ପାଇଁ କେବଳ ଜିଲ୍ଲାସ୍ତରୀୟ କମିଟିର ଅନୁମୋଦନ ପରେ ଅନୁମତି ପ୍ରଦାନ କରାଯିବ ।
କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଉଦ୍ୟୋଗ ପରିସରଟିକୁ ଯଦି ଭଡ଼ାରେ ନିଆଯାଇଥାଏ, ତେବେ ଭଡ଼ା ପଂଜିକୃତ ରାଜିନାମା ସର୍ବନିମ୍ନ ୯ ବର୍ଷ ପାଇଁ କରିବାକୁ ପଡ଼ିବ । ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ୨୦୦ ବର୍ଗଫୁଟର ଲେବର ସେଡ୍, ୫୦ ଲକ୍ଷରୁ ଊଦ୍ଧ୍ୱର୍ ଓ ଏକ କୋଟିରୁ କମ୍ ପ୍ରକଳ୍ପ ପାଇଁ ୨୫୦ ବର୍ଗଫୁଟର ଲେବର ସେଡ୍ ଓ ଏକ କୋଟିରୁ ଊଦ୍ଧ୍ୱର୍ ପ୍ରକଳ୍ପ ପାଇଁ ୩୦୦ ବର୍ଗଫୁଟ ପର୍ଯ୍ୟନ୍ତ ଲେବର ସେଡ୍ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ସେହିପରି ଅଫିସ୍ ଗୃହ ନିର୍ମାଣ ନିମନ୍ତେ ଏକ କୋଟି ଟଙ୍କାର ପ୍ରକଳ୍ପ ପର୍ଯ୍ୟନ୍ତ ୨୦୦ ବର୍ଗଫୁଟ ଏବଂ ଏକ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପ୍ରକଳ୍ପ ପାଇଁ ୩୦୦ ବର୍ଗଫୁଟ ଅଫିସ ଗୃହ ପାଇଁ ଅନୁମୋଦନ କରାଯାଇଛି । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ନିମନ୍ତେ ଗଠିତ ରାଜ୍ୟସ୍ତରୀୟ କମିଟିରେ ନାବାର୍ଡର ସିଜିଏମ୍ ଏବଂ ଏସ୍ଏଲ୍ବିସିର ଆବାହକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।
ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଓ ବିପୁଳ କର୍ମସଂସ୍ଥାନ ସୃଷ୍ଟି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ରାଜ୍ୟରେ କୃଷି ଏବଂ ଆନୁଷଙ୍ଗିକ କୃଷି ସହ ଜଡ଼ିତ କୃଷକମାନଙ୍କର ଆୟବୃଦ୍ଧି ଘଟିଛି ।