ଭୁବନେଶ୍ୱର : ଉତ୍କର୍ଷ ଓଡିଶା ସମ୍ମିଳନୀରେ ଓଡିଶାରେ ନିବେଶ ପାଇଁ ଆଗେଇ ଆସିଥିବା ପୁଞ୍ଜିପତିମାନଙ୍କ ଲାଗି ଶିଳ୍ପପ୍ରତିଷ୍ଠା ସହଜ ହେବ । ଓଡିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍କୋ) ପାଖରେ ୧୪ହଜାର ଏକରରୁ ଅଧିକ ଜମି ଶିଳ୍ପପାଇଁ ମହଜୁଦ ଥିବାରୁ ଏହା ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ ପାଉଛି ।
ଶିଳ୍ପ ପ୍ରତିଷ୍ଠାପାଇଁ ପ୍ରଥମେ ଜମି ଆବଶ୍ୟକ ପଡୁଥିବାବେଳେ ଅନେକ ଶିଳ୍ପସଂସ୍ଥା ଜମି ନପାଇ ଓଡିଶା ଛାଡିଥିବାର ନଜିର ରହିଛି । କାରଣ ସେତେବେଳେ ସରକାରଙ୍କ ହାତରେ ଜମି ନଥିବାରୁ ଶିଳ୍ପ ପ୍ରତିଷ୍ଠାପାଇଁ ସର୍ବସାଧାରଣଙ୍କ ଜମି ଅଧିଗ୍ରହଣ କରିବାକୁ ପଡୁଥିଲା । ଲୋକେ କେଉଁଠାରେ ଭିଟାମାଟି ଛାଡିବାକୁ ରାଜି ହେଉନଥିଲେ ତ ଆଉ କେଉଁଠାରେ ଜମିର ମୂଲ୍ୟକୁ ନେଇ ଟଣାଓଟରା ଚାଲୁଥିଲା । ଜନଆନ୍ଦୋଳନକୁ ସାମ୍ନା କରିନପାରି ପୋସ୍କୋ ଭଳି କେତେକ କମ୍ପାନୀ ଓଡିଶା ଛାଡିଥିଲେ ।
ତେବେ ଏଣିକି ଆଉ ସେଭଳି ହେବନାହିଁ ବୋଲି କୁହାଯାଉଛି । କାରଣ ଅତୀତରୁ ଶିକ୍ଷାଗ୍ରହଣ କରିବାପରେ ରାଜ୍ୟ ସରକାର ଶିଳ୍ପପାଇଁ ଜମି ମହଜୁଦ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଇଡ୍କୋ ପାଖରେ ୧୪ହଜାର ଏକରରୁ ଅଧିକ ଜମି ରହିଛି । ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଏହି ଜମି ମହଜୁଦ ଥିବାରୁ ସରକାରଙ୍କ ସହିତ ରାଜିନାମା କରୁଥିବା କମ୍ପାନୀମାନଙ୍କୁ ତୁରନ୍ତ ଜମି ଯୋଗାଇ ଦିଆଯିବ ।
ସୂଚନା ଅନୁଯାୟୀ ଇଡ୍କୋ ଅଧିଗ୍ରହଣ କରି ରଖିଥିବା ଜମି ମଧ୍ୟରୁ ସର୍ବାଧିକ ୪୬୧୩ ଏକର ଜମି ଯାଜପୁର ଜିଲ୍ଲାରେ ଥିବାବେଳେ ଜଗତସିଂହପୁର ଜିଳ୍ଲାରେ ୧୫୮୪ ଏକର, ଝାରସୁଗୁଡାରେ ୧୧୪୧ଏକର ଓ କଟକରେ ୮୦୦ ଏକର ଜମି ରହିଛି । କେବଳ ନବରଙ୍ଗପୁର ଓ କନ୍ଧମାଳକୁ ବାଦ୍ ଦେଲେ ଅନ୍ୟ ପ୍ରାୟ ସବୁ ଜିଲ୍ଲାରେ ଇଡ୍କୋ ହାତରେ ଉଣାଅଧିକେ ଜମି ରହିଛି ।
ତେବେ ଓଡିଶାକୁ ଆସୁଥିବା ଶିଳ୍ପପତିମାନେ ଶିଳ୍ପ ସମୃଦ୍ଧ ଯାଜପୁର, ଜଗତ୍ସିଂହପୁର, ଝାରସୁଗୁଡା, କେନ୍ଦୁଝର ଭଳି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହିସବୁ ଜିଲ୍ଲାରେ ଖଣି, ପାଣି ଓ ଭିତ୍ତିଭୂମି ସୁବିଧା ରହିଥିବାରୁ ସେଠାରେ ଶିଳ୍ପ ପ୍ରତିଷ୍ଠାପାଇଁ ନିବେଶକାରୀମାନେ ଆଗଭର ହେଉଛି । ଏହାକୁ ଦୃଷ୍ଟିରେ ରଖି ଇଡ୍କୋ ସେହିସବୁ ଜିଲ୍ଲାରେ ଅଧିକ ପରିମାଣର ଜମି ଅଧିଗ୍ରହଣ କରିବା ସହିତ ଭିତ୍ତିଭୂମି ବିକାଶ କରିବାରେ ଲାଗିଛି ।
ଇତି ମଧ୍ୟରେ ଗତ ୧୦ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ନିବେଶ ସହିତ ଶିଳ୍ପ ପ୍ରତିଷ୍ଠାପାଇଁ ଆଗେଇ ଆସିଥିବା ୭୩୮ଟି ବୃହତ୍ ଶିଳ୍ପ ସରକାରଙ୍କ ସିଙ୍ଗଲୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ପାଇଛନ୍ତି । ଏମାନେ ରାଜ୍ୟରେ ୧୬ଲକ୍ଷ ୧୧ହଜାର ୩୪୪ କୋଟି ଟଙ୍କାର ନିବେଶ କରିବେ । ଏମାନଙ୍କୁ ମଧ୍ୟ ଜମି ଯୋଗାଇଦେବାର ଦାୟିତ୍ୱ ଇଡ୍କୋ ଉପରେ ରହିଛି । ତେବେ ଇଡକୋ ପାଖରେ ୧୪ହଜାର ଏକରରୁ ଅଧିକ ଜମି ରହିବା ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଥିବାରୁ ଆଶାୟୀ ନିବେଶକାରୀ ଆଉ ପୂର୍ବଭଳି ହଇରାଣ ହରକତ ହେବେନାହିଁ ଓ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହଜ ହେବବୋଲି କୁହାଯାଉଛି । (ତଥ୍ୟ)