ଭୁବନେଶ୍ୱର : ନିରାମୟ ଯୋଜନାରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ମିଳୁଥିବା ଔଷଧ ଏବେ ସହଜରେ ଉପଲବ୍ଧ ହେଉନାହିଁ । ରୋଗୀମାନଙ୍କ ପାଇଁ ୭୪୧ ପ୍ରକାରର ଔଷଧ ଖରିଦ ହେଉଥିବାବେଳେ ଡାକ୍ତରଖାନାରେ କିନ୍ତୁ ଅଧିକାଂଶ ଔଷଧ ମିଳୁନାହିଁ । ଏହା ଫଳରେ ଡାକ୍ତରମାନେ ପ୍ରଶ୍ନବାଣର ସମ୍ମୁଖୀନ ହେଉଛନ୍ତି ।
ରାଜ୍ୟ ସରକାର ଔଷଧ ଖରିଦ ବାବଦୀୟ ବ୍ୟୟ ଯଦିଓ ହ୍ରାସ କରି କରିଛନ୍ତି ତଥାପି ଗତ ଆର୍ଥିକ ବର୍ଷରେ ପାଖାପାଖି ୪୫୦ କୋଟି ଟଙ୍କାର ଔଷଦ ଖରିଦ କରିଛନ୍ତି । ଟେଣ୍ଡର ଜରିଆରେ ୭୪୧ ପ୍ରକାରର ଔଷଧ ଖରିଦ ହୋଇଥିବା ଦର୍ଶାଯାଉଛି । ହେଲେ ସରକାରୀ ଚିକିତ୍ସାଳୟଗୁଡିକରେ ଏବେ ଅଧିକାଂଶ ଔଷଧ ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଔଷଧଟିକେ ସହଜରେ ଉପଲବ୍ଧ ହେଉନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟସରକାର ୨୦୧୭-୧୮ବର୍ଷରେ ସକାର ପ୍ରାୟ ୧୬୫ କୋଟି ଟଙ୍କାର ଔଷଧ ଖରିଦ କରିଥିବାବେଳେ ଏହା ବୃଦ୍ଧି ପାଇ ୨୦୨୩-୨୪ବର୍ଷରେ ୬୩୦ କୋଟି ଟଙ୍କାକୁ ଅତିକ୍ରମ କରିଥିଲା । ହେଲେ ୨୦୨୪-୨୫ ବର୍ଷରେ ଏହା ୪୪୯ କୋଟି ୪୩ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା । କିନ୍ତୁ ଏହି ସମୟ ମଧ୍ୟରେ ଔଷଧର କିସମ ବୃଦ୍ଧି ପାଇ ୭ଶହକୁ ଅତିକ୍ରମ କରିଥିଲା ।
ଡାକ୍ତରମାନଙ୍କ କହିବାକଥା ଯେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀମାନେ ନିୟମିତ ଭାବେ ଔଷଧ ଆବଶ୍ୟକ କରୁଛନ୍ତି । ସେମାନଙ୍କୁ ବଟିକା ସହିତ ଇନ୍ସୁଲିନ୍ ବି ଦେବାକୁ ପଡୁଛି । ଗୋଟିଏ ଥରରେ ରୋଗୀମାନଙ୍କୁ ଅତି କମରେ ମାସକ ପାଇଁ ଔଷଧ ଦିଆଯାଉଥିବାବେଳେ କେତେକ ସ୍ଥଳରେ ବୟସ୍କ ରୋଗୀମାନେ ଦୁଇ ମାସର ଔଷଧ ଦେବାକୁ ଦାବି କରୁଛନ୍ତି । ହେଲେ ଔଷଧ ଯୋଗାଣ ହ୍ରାସ ପାଇଥିବାରୁ ସେମାନଙ୍କୁ ଔଷଧ ଦେବା ସମ୍ଭବପର ହେଉନାହିଁ ।
ସରକାରୀ ଡାକ୍ତରଖାନାରେ ଚିକିତ୍ସକମାନେ ରୋଗୀଙ୍କୁ ବାହାରୁ ଔଷଧ ଲେଖିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏପରିକି ଯେଉଁ ଡାକ୍ତରମାନେ ବାହାରୁ ଔଷଧ ଲେଖିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ତେଣୁ ଡାକ୍ତରମାନେ କେବଳ ସରକାରୀ ଡାକ୍ତରଖାନାରେ ମିଳୁଥିବା ଔଷଧ ଲେଖୁଛନ୍ତି । ମଧୁମେହ, ଉଚ୍ଚ ରକ୍ତଚାପ ଆଦି ପାଇଁ ଡାକ୍ତରମାନେ ଔଷଧ ଲେଖାଥିବା ଷ୍ଟାମ୍ପ ତିଆରି କରିଦେଇଛନ୍ତି । ଷ୍ଟାମ୍ପ ମାରି ରୋଗୀଙ୍କୁ ନିରାମୟ କେନ୍ଦ୍ରକୁ ପଠାଇ ଦେଉଛନ୍ତି । ହେଲେ ନିରାମୟ କେନ୍ଦ୍ରରେ ଔଷଧ ମିଳୁନଥିବାରୁ ରୋଗୀମାନେ ଫେରୁଛନ୍ତି ।
କେବଳ ଏହି ଦୁଇ କିସମର ରୋଗୀ ନୁହଁନ୍ତି, ଅନେକ ରୋଗ ପାଇଁ ପୂର୍ବରୁ ମିଳୁଥିବା ଔଷଧ ଏବେ ସହଜରେ ଉପଲବ୍ଧ ହେଉନାହିଁ । ବିଶ୍ୱସ୍ତ ସୂତ୍ରରୁ ସୂଚନା ଅନୁଯାୟୀ ପୂର୍ବରୁ ଅତି କମ୍ରେ ୨ଶହ ପ୍ରକାରର ଔଷଧ ଉପଲବ୍ଧ ହେଉଥିବାବେଳେ ଏବେ ତାହା ଢେର କମିଯାଇଛି । ନୂଆ ଔଷଧ ଖରିଦ ପାଇଁ ଟେଣ୍ଡର ହୋଇପାରୁ ନାହିଁ କି ଯେଉଁମାନେ ଟେଣ୍ଡର ହାତେଇଛନ୍ତି ପଇସା ପାଉନଥିବାରୁ ସେମାନେ ବି ଠିକଣା ଭାବେ ଔଷଧ ଯୋଗାଣ କରୁନାହାନ୍ତି । ଔଷଧ ନିଗମ ଏକ୍ଷେତ୍ରରେ ଏକ ପ୍ରକାର ନାଚାର ସ୍ଥିତିରେ ।
ନିରାମୟରେ ଡାକ୍ତରଙ୍କ ଚିଠା ଅନୁଯାୟୀ ଔଷଧ ମିଳୁନଥିବାରୁ ରୋଗୀମାନେ ଧିରେ ଧିରେ ଔଷଧ ଦୋକାନ ମୁହାଁ ହେବାରେ ଲାଗିଛନ୍ତି । ଯେଉଁମାନେ ଜାଣିଛନ୍ତି ସେମାନେ କେନ୍ଦ୍ର ସରକାରଙ୍କ ଜନଔଷଧି କେନ୍ଦ୍ରକୁ ଯାଉଛନ୍ତି । ନିରାମୟ ଯୋଜନାରେ ବଜେଟ୍ର ୧୦ ପ୍ରତିଶତ ଅର୍ଥ ଜିଲ୍ଲାମାନଙ୍କୁ ଏବଂ ୩୦ ପ୍ରତିଶତ ମେଡିକାଲ କଲେଜକୁ ଯୋଗାଇ ଦିଆଯାଉଛି । ଏହି ଅର୍ଥରୋ ସେମାନେ ଆବଶ୍ୟକ ଔଷଧ କିଣି ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ରୋଗୀମାନେ ସହଜରେ ଏହାର ସୁବିଧା ପାଇପାରୁ ନଥିବା ଦେଖିବାକୁ ମିଳୁଛି । (ତଥ୍ୟ)