ଭୁବନେଶ୍ୱର : ନିୟମଗିରି ପର୍ବତାମାଳାରେ ଥିବା ମୂଲ୍ୟବାନ ଖଣିଜ ସାମଗ୍ରୀ ଉପରେ କମ୍ପାନୀମାନେ ଲୋଲୁପ ଦୃଷ୍ଟି ପକାଉଥିବାବେଳେ ଏଠାରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆମାନଙ୍କ ଯେଭଳି ବିକାଶ ହେବାକଥା ତାହା ହୋଇପାରୁ ନାହିଁ । ଏବେ ବି ଏଠାରେ ବସବାସ କରୁଥିବା ଡଙ୍ଗରିଆମାନେ ସ୍ଥାୟୀ ସଡକ, ବିଦ୍ୟୁତ୍ ଆଲୋକ ଓ ପାଇପ୍ ଯୋଗେ ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ସେବା ପାଇବାରୁ ବହୁ ଦୂରରେ ।
ଡଙ୍ଗରିଆମାନେ ବିକାଶ ଠାରୁ ଦୂରରେ ରହୁଥିବାରୁ ସେମାନଙ୍କର ସରଳତାର ସୁଯୋଗ ନେଇ ଏକାଧିକ ସଂସ୍ଥା ଏବେ ନିୟମଗିରିରେ ଗଚ୍ଛିତ ଖଣିଜ ସମ୍ପଦକୁ ହାତେଇବାପାଇଁ ବିଭିନ୍ନ ଉପାୟରେ ଉଦ୍ୟମ କରୁଛନ୍ତି । ଡଙ୍ଗରିଆମାନେ ବି ନିଜର ଭିଟାମାଟିର ସୁରକ୍ଷାପାଇଁ ଲଢୁଛନ୍ତି । ହେଲେ ସର୍ବନିମ୍ନ ମୌଳିକ ସୁବିଧାରୁ ଦୂରରେ ରହିଥିବାରୁ ଅନେକ ସ୍ଥାନରେ ସେମାନଙ୍କୁ ପ୍ରଲୋଭିତ ତଥା ପ୍ରଭାବିତ କରିବାରେ ଲୋକେ ସଫଳ ହେଉଛନ୍ତି ।
ନିୟମଗିରି ପର୍ବତମାଳାର ଡଙ୍ଗରିଆମାନଙ୍କ ସିଂହଭାଗ ରହିଛନ୍ତି ରାୟଗଡା ଜିଲ୍ଲାରେ । ନିକଟରେ ବିଧାନସଭାରେ ସରକାର ଦେଇଥିବା ସୂଚନା ଅନୁଯାୟୀ ଏହି ଜିଲ୍ଲାରେ ବିଷମକଟକ, ମୁନିଗୁଡା ଓ କଲ୍ୟାଣସିଂହପୁର ବ୍ଲକରେ ରହିଛି ୮୫ଟି ଡଙ୍ଗରିଆ ଗାଁ । ତେବେ ଏହିସବୁ ଗାଁ ମଧ୍ୟରୁ ଏବେ ବି ୩୬ଟି ଗାଁର ଡଙ୍ଗରିଆମାନେ ସ୍ଥାୟୀ ସଡକ ସୁବିଧା ପାଉଥିବାବେଳେ ୪୪ଟି ଗାଁର ଲୋକେ ବିଦ୍ୟୁତ୍ ଆଲୋକଠାରୁ ଦୂରରେ । ସେହିଭଳି ୫୯ଟି ଗାଁର ଲୋକଙ୍କ ପାଇଁ ପାଇପ୍ ଯୋଗେ ପାନୀୟଜଳ ଅପହଞ୍ଚ ।
ତେବେ କେତେକ ସରକାରଙ୍କ ଉଦ୍ୟମ ଓ କେତେକ ସଂସ୍ଥାଙ୍କ ସହଯୋଗ ଯୋଗୁଁ ଅଢେଇ ହଜାରରୁ ଅଧିକ ଡଙ୍ଗରିଆ ଆତ୍ମନିର୍ଭର ହୋଇଥିବା କୁହାଯାଉଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ୧୨୬୪ଜଣ ବିଷମକଟକରେ ଥିବା ୩୩ଟି ଗାଁର । ହେଲେ ଏହି ୩୩ଟି ଗାଁ ମଧ୍ୟରୁ ୩୨ଟି ଗାଁ ଲୋକେ ପାଇପ୍ ଯୋଗେ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇଥିବାବେଳେ ୭ଟି ଗାଁର ଲୋକେ ବିଜୁଳି ଦେଖି ନାହାନ୍ତି ।
କଲ୍ୟାଣସିଂହପୁର ବ୍ଲକର ୩୧ଟି ଗାଁର ୭୫୦ ଜଣ ଡଙ୍ଗରିଆ ଆତ୍ମନିର୍ଭର ହୋଇଥିବା ସରକାରୀ ଭାବେ କୁହାଯାଉଥିବାବେଳେ ଏହି ଗାଁ ମଧ୍ୟରୁ ୨୨ଟି ଗାଁର ଲୋକେ ପାଇପ୍ ଯୋଗେ ପାନୀୟଜଳ ଓ ୨୦ଟି ଗାଁର ଲୋକେ ବିଦ୍ୟୁତ୍ ସେବାଠାରୁ ଢେର ଦୂରରେ ରହିଛନ୍ତି । ମୁନିଗୁଡା ବ୍ଲକରେ ମଧ୍ୟ ସମାନ ସ୍ଥିତି । ଡଙ୍ଗରିଆମାନେ ବସବାସ କରୁଥିବା ଏଠାକାର ୨୧ଟି ଗାଁରୁ ୨୭ଟି ଗାଁ ଲୋକେ ବିଜୁଳି ଦେଖି ନାହାନ୍ତି । ତେବେ ଏଠାରେ ୫୮୯ଜଣ ଆତ୍ମନିର୍ଭର ହୋଇଥିବା ସରକାରୀ ଭାବେ କୁହାଯାଉଛି ।
ତେବେ ନିୟମଗିରି ପାର୍ବତ୍ୟମାଳାରେ ଆଦିବାସୀମାନଙ୍କର ବିକାଶ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ ହେବାରେ ଲାଗିଛି । ୨୦୨୪-୨୫ ବର୍ଷରେ ରାଜ୍ୟ ଯୋଜନା ଓପିଇଏଲ୍ପିରେ ରାୟଗଡା ଜିଲ୍ଲାର ଡିକେଡିଏ ଚଟିକଣା ପାଇଁ ପ୍ରାୟ ୧କୋଟି ୨୫ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ସେହି ଜିଲ୍ଲାର ଡିକେଡିଏ ପରାସଲି ରେ ପ୍ରାୟ ୭୨ଲକ୍ଷ ଟଙ୍କା ବ୍ୟୟ ହୋଇଛି । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ କେକେଡିଏରେ ୮୬ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଛି । ଏହି ବର୍ଷ କେନ୍ଦ୍ରୀୟ ଯୋଜନାରେ ଏହିସବୁ ଅଞ୍ଚଳ ପାଇଁ ଆଦୌ ଅର୍ଥ ମିଳିନାହିଁ ।
ନିୟମଗିରି ପାର୍ବତ୍ୟମାଳାରେ ବସବାସ କରୁଥିବା ଡଙ୍ଗରିଆମାନେ ବିଲୁପ୍ତପ୍ରାୟ ଜନଜାତି ତାଲିକାରେ ଥିବାବେଳେ ନିଜର ଭିଟାମାଟିର ସୁରକ୍ଷାପାଇଁ ସେମାନେ ଲଢେଇ ଜାରି ରଖିଛନ୍ତି । ଏହି ଜନଜାତି ବର୍ଗଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ପରିମାଣର ଅର୍ଥ ଯୋଗାଇ ଦେଉଥିବାବେଳେ ସେମାନଙ୍କର ଯେଭଳି ବିକାଶ ହେବାକଥା ତାହା ହୋଇପାରୁ ନାହିଁ । ଏହାକୁ ନେଇ ଏବେ ଅର୍ଥ ବ୍ୟୟ ଦାୟିତ୍ୱରେ ଥିବା ପ୍ରଶାସନ ଓ ଜନଜାତିଙ୍କ ବିକାଶ ପାଇଁ କାର୍ଯ୍ୟରତ ବେସରକାରୀ ଅନୁଷ୍ଠାନଗୁଡିକ ଉପରେ ସନ୍ଦେହ ଉପୁଜିଲାଣି । (ତଥ୍ୟ)

