Home Administration ସରୁନି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ସରୁନି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ସରକାରୀ କର୍ମଚାରୀମାନଙ୍କ ବିରୋଧରେ ଚାଲିଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହେଉନଥିବାରୁ ଅଭିଯୁକ୍ତ କର୍ମଚାରୀଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି ।

ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ସରକାରୀ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଓସିଏସ୍‍ (ସିସିଏ) ରୁଲ୍‍ ରହିଛି । ଏହାଛଡ଼ା ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଆଦର୍ଶ ଆଚରଣ ବିଧି ରହିଛି । ଯେଉଁମାନେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଇନ୍‍ ଅନୁଯାୟୀ ଦଣ୍ଡବିଧାନ କରାଯିବାର ବ୍ୟବସ୍ଥା ଅଛି ।

ଏମିତିକି ସରକାରୀ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ଥିଲେ କିମ୍ବା ତଦନ୍ତ ଚାଲିଥିଲେ ଅଥବା ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ଥିଲେ ନିଲମ୍ବନ କରିବାକୁ ମଧ୍ୟ ଆଇନ୍‍ରେ ବ୍ୟବସ୍ଥା ଅଛି । କେଉଁ କ୍ଷେତ୍ରରେ ଜଣେ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯିବ, ସେ କେତେଦିନ ପର୍ଯ୍ୟନ୍ତ ନିଲମ୍ବିତ ହୋଇ ରହିପାରିବେ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କେତେଦନ ଭିତରେ ସରିବ ସେ ସଂକ୍ରାନ୍ତରେ ଆଇନ୍‍ରେ କିଛି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । ଏହାର ଫାଇଦା ନେଇ ବହୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତଦନ୍ତ ବର୍ଷବର୍ଷ ଧରି ଗଡ଼ିବା ଏବଂ ସରକାରୀ କର୍ମଚାରୀ ମଧ୍ୟ ବର୍ଷବର୍ଷ ଧରି ନିଲମ୍ବିତ ରହି ବିନା କାମରେ ସରକାରୀ ତହବିଲରୁ ଦରମାର ୭୫ ପ୍ରତିଶତ ପର୍ଯ୍ୟନ୍ତ ଭତ୍ତା ପାଇ ଚାଲୁଛନ୍ତି । ଏହା ରାଜକୋଷ ଉପରେ ଚାପ ସୃଷ୍ଟି କରୁଛି ।

ଏହି ସମସ୍ୟାକୁ ଆଖି ଆଗରେ ରଖି ମୁଖ୍ୟ ଶାସନ ସଚିବ ବାରମ୍ବାର ନିର୍ଦ୍ଦେଶନାମା ଜାରି କରିଆସୁଛନ୍ତି । ୧୯୯୫ ମସିହାରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଯେଉଁ କ୍ଷେତ୍ରରେ ୨ବର୍ଷରୁ ଅଧିକ ସମୟ ଧରି ବିଭାଗୀୟ ତଦନ୍ତ ଚାଲୁଛି ସେଗୁଡ଼ିକର ପ୍ରତି ମାସରେ ସମୀକ୍ଷା କରାଯିବା ଆବଶ୍ୟକ । ୧୯୯୮ ମସିହାରେ ମୁଖ୍ୟ ଶାସନ ସଚିବ ଅନ୍ୟ ଏକ ନିର୍ଦ୍ଦେଶନାମାରେ ଦଶନ୍ଧି ଦଶନ୍ଧି ଧରି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ତଦନ୍ତ ଗଡ଼ୁଥିବାରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହ ଏଗୁଡ଼ିକର ତ୍ୱରିତ ଫଇସଲା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ୱେ ବି ବିଶେଷ କାର୍ଯ୍ୟାନୁଷ୍ଠାନ ନହେବାରୁ ୨୦୧୦ ମାର୍ଚ୍ଚ ମାସରେ ମୁଖ୍ୟ ଶାସନ ସଚିବ ଅନ୍ୟୃ ଏକ ନିର୍ଦ୍ଦେଶନାମା ଜାରି କରି କେଉଁ କ୍ଷେତ୍ରରେ ଜଣେ କର୍ମଚାରୀଙ୍କୁ ନିଲମ୍ବନ କରାଯିବ ଏବଂ ନିଲମ୍ବନ କରାଯିବାର କେତେଦିନ ମଧ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ୯୦ଦିନ ଭିତରେ ତଦନ୍ତ ଶେଷ ହେବ ସେଥିଘେନି ସ୍ପଷ୍ଟ ଆଦେଶ ଦେଇଥିଲେ । କେବଳ ସେତିକି ନୁହେଁ, ପ୍ରତି ମାସରେ ବିଭିନ୍ନ ଦପ୍ତର ଓ ବିଭାଗ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ନିଲମ୍ବନ ଘଟଣାଗୁଡ଼ିକର ସମୀକ୍ଷା କରିବା ପାଇଁ ନିର୍ଦ୍ଦିଷ୍ଟ ଭାବେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ନିର୍ଦ୍ଦେଶାଳୟ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କୁ କହିଥିଲେ ।

ଅବଶ୍ୟ କେତେ କ୍ଷେତ୍ରରେ ମୁଖ୍ୟ ଶାସନ ସଚିବଙ୍କ ଏହି ଆଦେଶନାମାର ଅନୁସରଣ କରାଯାଇ ନିୟମିତ ସମୀକ୍ଷା କରାଯାଉଛି । କିନ୍ତୁ ସଂଖ୍ୟାଧିକ କ୍ଷେତ୍ରରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବର୍ଷବର୍ଷ ଧରି ଗଡ଼ୁଛି ଏବଂ ନିଲମ୍ବିତ କର୍ମଚାରୀ ବି ବିନା କାମରେ ବର୍ଷବର୍ଷ ଧରି ରାଜକୋଷରୁ ପ୍ରତି ମାସରେ ଭତ୍ତା ଉଠାଉଛନ୍ତି । ଏମିତିକି କେତେକ ନିଲମ୍ବିତ କର୍ମଚାରୀ ନିଲମ୍ବନ ସମୟରେ ବେନାମୀ ବ୍ୟବସାୟରେ ମଧ୍ୟ ସଂପୃକ୍ତ ରହି ଅଧିକ ମୁନାଫା କମାଉଛନ୍ତି ।

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଯେଉଁ କ୍ଷେତ୍ରରେ ତଦନ୍ତକାରୀ ଅଧିକାରୀମାନେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଦନ୍ତ ଶେଷ କରୁନାହାନ୍ତି ସେମାନଙ୍କ ବିରୋଧରେ ବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଏହାଛଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ନିଲମ୍ବନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବି ସରକାରଙ୍କ ନିର୍ଦ୍ଦେଶର ଖିଲାପ ଅଭିଯୋଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରିବ । (ତଥ୍ୟ)