ଭୁବନେଶ୍ୱର : ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଆଇନ୍ ଅଦାଲତରେ ମାମଲା ଫଏସଲା କାର୍ଯ୍ୟ ବିଳମ୍ବିତ ହେଉଥିବା ଅଭିଯୋଗ ଆଣି ହାଇକୋର୍ଟରୁ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ଫୋରମରେ ଅନେକ ମାମଲା ଚାଲିଛି । ଏ ପ୍ରସଙ୍ଗରେ ବି ଓକିଲ ସଂଘ ଓ ଆଇନ୍ଜୀବୀ ପରିଷଦକୁ ବକ୍ତବ୍ୟ ରଖିବାପାଇଁ ନୋଟିସ୍ ହୋଇଛି । ଏହା ସତ୍ୱେ ବି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ଅନେକ ସ୍ଥାନରେ ପ୍ରାୟ ପ୍ରତିମାସରେ ଆନ୍ଦୋଳନ ଚାଲୁଛି ।
ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦୀର୍ଘବର୍ଷ ଧରି ଆନ୍ଦୋଳନ ଚାଲିଛି । ଦକ୍ଷିଣ ଓଡିଶାରେ ମଧ୍ୟ ଅନୁରୂପ ଦାବି ନେଇ ଓକିଲମାନେ ଆନ୍ଦୋଳନ କରୁଥିବାବେଳେ ରାଜଧାନୀ ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଭୁବନେଶ୍ୱରର ଓକିଲମାନେ ବି ପ୍ରାୟ ୩୦ବର୍ଷ ଧରି ଅଡି ବସିଛନ୍ତି । ଏମିତିକି ଏ ପ୍ରସଙ୍ଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ବିଚାରପତିମାନଙ୍କ ନିକଟରେ ବି ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରାଯାଉଛି ।
ଓଡିଶାରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ରାଜ୍ୟ ସରକାର ମଧ୍ୟ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ପାଲଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଥିଲେ । ଏହି କମିଶନ ପିଛା କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ରାଜକୋଷରୁ ଖର୍ଚ୍ଚ କରାଯାଇଥିବା କୁହାଯାଉଛି । କମିଶନ ବି ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଆଇନ୍ଜୀବୀଙ୍କ ସମେତ ଅନ୍ୟମାନଙ୍କ ମତାମତ ଶୁଣି ସରକାରଙ୍କୁ ତାଙ୍କର ବିସ୍ତୃତ ରିପୋର୍ଟ ଦେଇଛନ୍ତି । କିନ୍ତୁ ଏହି ରିପୋର୍ଟକୁ ଏଯାବତ୍ ଜନାର୍ପିତ କରାଯାଇନାହିଁ କିମ୍ବା ଏହି ରିପୋର୍ଟର ସୁପାରିଶ୍ କ’ଣ ରହିଛି ସେ ସଂକ୍ରାନ୍ତରେ ମଧ୍ୟ ବିଧାନସଭା କିମ୍ବା କ୍ୟାବିନେଟ୍ରେ ଆଲୋଚନା ହୋଇନାହିଁ ।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡିଶାରେ ଅଧିକ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ସପକ୍ଷରେ ଅଛନ୍ତି । ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପୂର୍ବରୁ ଚିଠି ଲେଖିଛନ୍ତି । ଏହାର ଜବାବରେ ପଶ୍ଚିମଓଡିଶାର କେଉଁ ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯିବ ଏବଂ ସେଥିପାଇଁ ଭିତ୍ତିଭୂମି ବିକାଶ ଲାଗି କ’ଣ ଯୋଜନା ରହିଛି ତାହା ବିସ୍ତୃତଭାବେ ରାଜ୍ୟ ସରକାର କେନ୍ଦ୍ରକୁ ଜଣାନ୍ତୁ ବୋଲି କେନ୍ଦ୍ର ଆଇନ୍ ମନ୍ତ୍ରୀ ଏକାଧିକ ବିବୃତ୍ତି ଜାରି କରିସାରିଛନ୍ତି ।
ଆଇନ୍ଜୀବୀଙ୍କ କୋର୍ଟ ବନ୍ଦ ଆନ୍ଦୋଳନ ଯୋଗୁଁ ମାମଲା ଫଏସଲାରେ ବ୍ୟାଘାତ ଉପୁଜିବା ସହ ନ୍ୟାୟ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ଲୋକେ ହଇରାଣ ହରକତ ହେଉଥିବା କୁହାଯାଉଛି । ତେବେ ଏହି ଆନ୍ଦୋଳନ ଯେଉଁଥିପାଇଁ ହେଉଛି ତାହାର ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପଶ୍ଚିମଓଡିଶାରୁ ଓକିଲାମାନେ ଆସି ସେ ଅଞ୍ଚଳରେ ହାଇକୋର୍ଟ ପ୍ରତିଷ୍ଠା ଦାବି ନେଇ କଟକ, ଭୁବନେଶ୍ୱର ଓ ନୂଆଦିଲ୍ଲୀରେ ବାରମ୍ବାର ଧାରଣା ଦେଇଛନ୍ତି । ବ୍ରହ୍ମପୁର, ରାୟଗଡା, କୋରାପୁଟରେ ମଧ୍ୟ ସେଠାକାର ଓକିଲମାନେ ନିଜ ନିଜ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଅଟଳ ରହିଛନ୍ତି । ଭୁବନେଶ୍ୱରର ଓକିଲମାନେ ପ୍ରତିମାସ ଶେଷ ଶୁକ୍ରବାରରେ ହାଇକୋର୍ଟ ସ୍ଥାନାନ୍ତର ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ।
ଏବେ ଓଡିଶା ହାଇକୋର୍ଟରେ ମାମଲାର ଚାପା ସ୍ୟାଟ୍ ଉଚ୍ଛେଦ ପରେ ଢେର ବଢିଯାଇଛି । ମାମଲାର ସଂଖ୍ୟା ଦୃଷ୍ଟିରୁ ଅନ୍ୟୁନ ୪୪ଜଣ ବିଚାରପତିଙ୍କ ଆବଶ୍ୟକତା ଥିବାକଥା ଅଭିଜ୍ଞ ଆଇନ୍ଜୀବୀମାନେ କହୁଛନ୍ତି । ତେବେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟାବୃଦ୍ଧି ତ ଦୂରରକଥା, ଏଥିପାଇଁ ଥିବା ୩୩ଟି ଅନୁମୋଦିତ ବିଚାରପତି ପଦବୀରୁ ପ୍ରାୟ ଏକ ତୃତୀୟାଂଶ ଖାଲିପଡିଛି । ନ୍ୟାୟ ପାଇଁ ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳରୁ ଲୋକେ ବ୍ୟାପକ ଅର୍ଥ ବ୍ୟୟ କରି କଟକ ଦଉଡି ଏକ ପ୍ରକାର ଦଣ୍ଡିତ ହେଉଛନ୍ତି ବୋଲି ସେ ଅଞ୍ଚଳର ଆନ୍ଦୋଳନକାରୀ ଓକିଲମାନେ ଅଭିଯୋଗ କରିଆସୁଛନ୍ତି । (ତଥ୍ୟ)