Home Culture ସରଳାଦେବୀଙ୍କ ଜୟନ୍ତୀ ତାରିଖକୁ ନେଇ ଦ୍ୱନ୍ଦ

ସରଳାଦେବୀଙ୍କ ଜୟନ୍ତୀ ତାରିଖକୁ ନେଇ ଦ୍ୱନ୍ଦ

ଭୁବନେଶ୍ୱର : ମାତ୍ର ୧୭ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ସପରିବାର ଝାସ ଦେଇ ଚହଳ ସୃଷ୍ଟି କରିଥିବା ଓଡିଶାର ପ୍ରଥମ ମହିଳା ସତ୍ୟାଗ୍ରହୀ ବନ୍ଦୀ ବହ୍ନିକନ୍ୟା ସରଳାଦେବୀଙ୍କ ଜନ୍ମ ଦିନକୁ ନେଇ ବିବାଦ ଚାଲିଛି । ଏଥିଯୋଗୁଁ ଅଗଷ୍ଟ ୯ତାରିଖରେ ଗୋଟିଏ ଗୋଷ୍ଠି ସରଳାଦେବୀଙ୍କ ଜୟନ୍ତୀ ପାଳନ କରୁଥିବାବେଳେ ଆଉଗୋଟିଏ ଗୋଷ୍ଠି ଅଗଷ୍ଟ ୧୯ତାରିଖରେ ଏହାର ପ୍ରତିପାଳନ କରୁଛନ୍ତି ।

ଏ ବିବାଦ ଗତ କିଛିବର୍ଷ ଧରି ମୁଣ୍ଡ ଟେକିଛି । ତେବେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଅଗଷ୍ଟ ୧୯ ତାରିଖରେ ସରଳାଦେବୀଙ୍କ ଜୟନ୍ତୀ ପାଳନ କରୁଥିବାବେଳେ ତାଙ୍କର କିଛି ଉତ୍ତରାଧିକାରୀ ମଧ୍ୟ ସେହି ଦିନରେ ଏହା କଟକ ଓ ଜଗତସିଂହପୁରରେ ପାଳନ କରୁଛନ୍ତି । ଅନ୍ୟ ପକ୍ଷରେ ସରଳାଦେବୀଙ୍କ ନାମରେ ଗଢାଯାଇଥିବା ଅନ୍ୟ ଏକସଂସ୍ଥା ପକ୍ଷରୁ ଭୁବନେଶ୍ୱରରେ ଅଗଷ୍ଟକ୍ରାନ୍ତି ଦିବସରେ ସରଳାଦେବୀଙ୍କ ଜୟନ୍ତୀ ପାଳିତ ହେଉଛି । ତେବେ ଚଳିତ ବର୍ଷ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଉଭୟ ଭୁବନେଶ୍ୱର ଓ କଟକରେ ଭିନ୍ନ ଭିନ୍ନ ଦିନରେ ଅନୁଷ୍ଠିତ ହେଉଥିବା ଏହି ଜୟନ୍ତୀ ସମାବେଶରେ ଯୋଗ ଦେଉଥିବା ଜଣାପଡିଛି । ବାଚସ୍ପତିଙ୍କ ବ୍ୟତିତ ଆଉ କେତେକ ରାଜନେତା ଓ ମନ୍ତ୍ରୀ ମଧ୍ୟ ଏସବୁ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ।

୧୯୦୪ ମସିହାରେ ଜନ୍ମିତ ସରଳା ଦେବୀ ଜଗତ୍‍ସିଂହପୁର ଅର୍ନ୍ତଗତ ଚାଟରା ଜମିଦାର ପରିବାରର ଭାଗିରଥୀ ମହାପାତ୍ରଙ୍କୁ ବିବାହ କରିଥିଲେ । ଭାଗିରଥୀ ବାବୁ ଅସହଯୋଗ ଆନ୍ଦୋଳନରେ ଭାଗନେଇ ଓକିଲାତି ଛାଡି ଦେଇଥିଲେ । ଗାନ୍ଧୀଜୀଙ୍କ ପରାମର୍ଶକ୍ରମେ ୧୯୨୧ ମସିହାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ଗଠି ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ସେ ବହୁବର୍ଷ ଧରି କାମ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ କାଳରେ ଓଡିଶାର ପ୍ରଥମ ମହିଳା ଭାବେ ସରଳା ଦେବୀଙ୍କ କାରାବରଣ ଅବିସ୍ମରଣୀ ହୋଇ ରହିଛି ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପରେ ୧୯୩୭ ମସିହାରେ ହୋଇଥିବା ଓଡିଶା ବିଧାନସଭାର ପ୍ରଥମ ନିର୍ବାଚନରେ କଟକରୁ ସରଳା ଦେବୀ ଓ ଗଞ୍ଜାମରୁ ଏ ଲକ୍ଷ୍ମୀବାଈଙ୍କ ଭଳି ଦୁଇଜଣ ମହିଳା କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ । ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସରଳା ଦେବୀଙ୍କ ସହ ତାଙ୍କ ସ୍ୱାମୀ ଓ ପୁତ୍ର ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଜେଲ୍‍ ଯାଇଥିଲେ । ଓଡିଆ ସାହିତ୍ୟକୁ ତାଙ୍କର ଅନବଦ୍ୟ ଅବଦାନ ରହିଆସିଛି । ଏହାଛଡା ବିଧାନସଭାରେ ଅନେକ ପ୍ରଗତିଶୀଳ ବିଲ୍‍ ଅଣାଇବା ଓ ଓଡିଆ ଭାଷାରେ ବିଧାନସଭାର କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ତାଙ୍କର ମଧ୍ୟ ବିଶେଷ ଭୂମିକା ରହିଛି । ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ, ଉତ୍କଳଗୌରବ ମଧୁସୂଦନ, ମା’ରମାଦେବୀ ଆଦିଙ୍କ ସହ ତାଙ୍କର ଆତ୍ମିକ ସମ୍ପର୍କ ଥିଲା । ଜଗତ୍‍ସିଂହପୁରରେ ଅଳକା ଆଶ୍ରମ ଥିଲା ତାଙ୍କ ହାତଗଢା ଅନୁଷ୍ଠାନ ।

ସରଳାଦେବୀ ରଚନାବଳୀ, ଜଗତ୍‍ସିଂହପୁରର ଅତୀତ ଓ ବର୍ତ୍ତମାନ, ଅଲିଭା ଅନଳଶିଖା ସରଳାଦେବୀ, ମହିୟଶୀ ମହିଳା ସରଳା, ଆଜାଦୀ କା ଅମୃତ ମହୋତ୍ସବ, ଅଗ୍ରଗଣ୍ୟା, ୟର୍ଲିଂ ୱିମେନ୍ସ ରାଇଜିଂ ଇନ୍‍ ଓଡିଶା ଆଦି ବହୁ ପୁସ୍ତକରେ ସରଳା ଦେବୀ ୧୯୦୪ ଅଗଷ୍ଟ ୧୯ତାରିଖରେ ଜନ୍ମ ହୋଇଥିଲେ ବୋଲି ଉଲ୍ଲେଖ ରହିଛି । ଏହାଛଡା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସରଳା ଦେବୀଙ୍କ ଅତ୍ୟନ୍ତ ଅନ୍ତରଙ୍ଗ ଅନ୍ନପୂର୍ଣ୍ଣା ମହାରଣା ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଦେବେନ୍ଦ୍ର ରାଜୁ, ଡକ୍ଟର ପ୍ରତିଭା ଶତପଥୀ, ବନଜା ଦେବୀ, ଡକ୍ଟର ଅଜୟ କୁମାର ମିଶ୍ର, ଡକ୍ଟର ଭୋଳାନାଥ ରାଉତ, ମହେନ୍ଦ୍ର ଆଚାର୍ଯ୍ୟ, ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଭଳି କୃତବିଦ୍ୟ ଲେଖକମାନଙ୍କ ବିଭିନ୍ନ ପୁସ୍ତକରେ ତାଙ୍କ ଜନ୍ମତାରିଖ ଅଗଷ୍ଟ ୧୯ ରହିଛି । ସରଳାଦେବୀଙ୍କ ରଚନାବଳୀରେ ମଧ୍ୟ ସମାନ ତଥ୍ୟ ଥିବାବେଳେ ଆଉ କେତେକ ପୁସ୍ତକରେ ଅଗଷ୍ଟ ୯ ଲେଖାଯାଇଛି । (ତଥ୍ୟ)