Home Assembly ସରଗରମ ହେବ ବଜେଟ୍‍ ଅଧିବେଶନ

ସରଗରମ ହେବ ବଜେଟ୍‍ ଅଧିବେଶନ

ଭୁବନେଶ୍ୱର : ଓଡିଶା ବିଧାନସଭାର ଆଗାମୀ ବଜେଟ୍‍ ଅଧିବେଶନ ବେଶ୍‍ ସରଗରମ ହେବ ବୋଲି ପ୍ରାକ୍‍ ସୂଚନା ମିଳୁଛି । ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟ ବିରୋଧିଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବାପାଇଁ ନକ୍ସା ପ୍ରସ୍ତୁତ କରୁଥିବାବେଳେ ବିରୋଧି ଦଳର ସମସ୍ତ ପ୍ରସଙ୍ଗର ଠିକଣା ଉତ୍ତର ରଖିବାପାଇଁ ସରକାର ମଧ୍ୟ ପ୍ରସ୍ତୁତ ।

ବିରୋଧି ବିଧାୟକମାନଙ୍କ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ବାରବାଟୀ ଷ୍ଟାଡିୟମକୁ ପ୍ରାୟ ଅଧଘଣ୍ଟା ଧରି ଅନ୍ଧାର ହେବାରୁ ଆର୍ନ୍ତଜାତିକ କ୍ରିକେଟ ମ୍ୟାଚ୍‍ରେ ଯେଭଳି ସମସ୍ୟା ଉପୁଜିଲା ସେ ସଂକ୍ରାନ୍ତରେ ସରକାରଙ୍କୁ ସିଧାସଳଖ ଜବାବ ମଗାଯିବ । ଏହାଛଡା ଧାନମଣ୍ଡିରେ ବିଭିନ୍ନ ଜିଲ୍ଲାରେ ଉପୁଜିଥିବା ସମସ୍ୟା ବିଶେଷକରି କଟ୍‍ନୀ, ଛଟ୍‍ନୀକୁ ମଧ୍ୟ ବିରୋଧି ବିଧାୟକମାନେ ପ୍ରମୁଖ ପ୍ରସଙ୍ଗ କରିବେ ।

କୋଟିଆ ଓ ପୋଲାଭରମ ପ୍ରସଙ୍ଗ ମଧ୍ୟ ବିଧାନସଭାରେ ବିରୋଧିମାନେ ଉଠାଇବେ । ମହାନଦୀ ଜଳ ବିବାଦର ସମାଧାନ ହେଉନଥିବାରୁ ମହାନଦୀ ଯେଉଁ ବିପଦଜନକ ସ୍ଥିତିକୁ ଆସିଛି ସେ ସମ୍ପର୍କରେ ବି ଆଲୋଚନା ହୋଇପାରେ । ଏହାଛଡା କଣାସ ଓ ବାଙ୍କି ସମେତ ରାଜ୍ୟର ଆଉ କେତେକ ଅଞ୍ଚଳରେ ଜଳ ପ୍ରଦୂଷଣ ଯୋଗୁଁ ଯେଭଳି ରୋଗବ୍ୟାଧି ବ୍ୟାପୁଛି ସେ ସ୍ରଂକାନ୍ତରେ ବି ବିରୋଧିମାନେ ପ୍ରଶ୍ନ ଉଠାଇବା ଏକ ପ୍ରକାର ନିଶ୍ଚିତ ।

ଜଳସେଚନ ସହିତ କୃଷି ବି ଅନ୍ୟତମ ପ୍ରସଙ୍ଗ ହୋଇପାରେ । ଜଣେ କଂଗ୍ରେସ ବିଧାୟକ କହିଛନ୍ତି ଯେ ୨୫ବର୍ଷ ତଳେ କଂଗ୍ରେସ ଶାସନରୁ ବିଦାୟ ନେବା ବେଳକୁ ରାଜ୍ୟର ଋଣବୋଝ ପ୍ରାୟ ୧୮,୦୦୦ କୋଟି ଟଙ୍କା ଥିବାବେଳେ ଏବେ ତାହା ୧,୨୫,୦୦୦ କୋଟି ଟଙ୍କାକୁ ଟପିବାକୁ ଯାଉଛି । ରାଜ୍ୟର ତଥା ଦେଶର ବଢି ଚାଲିଥିବା ଋଣବୋଝ ଯୋଗୁଁ ଅର୍ଥନୀତି ବିପର୍ଯ୍ୟସ୍ତ ହେଉଛି ।

ମୁଦ୍ରାସ୍ଫିତି, ଦରଦାମ ବୃଦ୍ଧି, ବେକାରୀ ଓ ବେରୋଜଗାରୀ ସମସ୍ୟା, ଦାଦନ ପ୍ରସଙ୍ଗ ସହିତ ଆଇନ୍‍ଶୃଙ୍ଖଳା ଓ ନିଶାନିବାରଣ ସମେତ ବିଭିନ୍ନ ପ୍ରସଙ୍ଗ ବି ଉଠାଇବା ପାଇଁ କଂଗ୍ରେସ ବିଧାୟକମାନେ ସଜବାଜ ହେଉଛନ୍ତି ।

ସରକାରୀ ଚାକିରି କ୍ଷେତ୍ରରେ ଖାଲି ପଡିଥିବା ସମସ୍ତ ପଦବୀକୁ ସୀମିତ ସମୟରେ ପୂରଣ କରିବା ସହିତ ବିଶ୍ୱବିଦ୍ୟାଳୟଗୁଡିକରେ ନିୟମିତ କୁଳପତି, ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି, କଲେଜ ଓ ସ୍କୁଲମାନଙ୍କରେ ଲାଗି ରହିଥିବା ଶିକ୍ଷକ ସମସ୍ୟାର ସମାଧାନ, ଡାକ୍ତରଖାନା, ମେଡିକାଲ କଲେଜ ଆଦିରେ ଖାଲି ପଡିଥିବା ଡାକ୍ତର ଓ ଡାକ୍ତରୀ ଶିକ୍ଷକ ସମେତ ଅନ୍ୟାନ୍ୟ ପଦ ପଦବୀ ପୂରଣକୁ ମଧ୍ୟ ବିରୋଧିଦଳ ଉଠାଇବା ସମ୍ଭାବନା ଅଧିକ ।

ଏହାଛଡା ରାଜ୍ୟର ଆଇନ୍‍ଶୃଙ୍ଖଳା ପରିସ୍ଥିତି, ନିଶା ପ୍ରସାରଣ ଜନିତ ବିପତ୍ତି, ସଡକ ଦୁର୍ଘଟଣା ବୃଦ୍ଧି ଆଦି ପ୍ରସଙ୍ଗ ଉପରେ ବି ପ୍ରଶ୍ନ ଆସିପାରେ । ଏମିତିକି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ମଧ୍ୟ ବିଭିନ୍ନ ଦଳରୁ ପ୍ରସଙ୍ଗ ଉଠିବାର ସୂଚନା ମିଳୁଛି ।

ବିଧାନସଭାର ବଜେଟ୍‍ ଅଧିବେଶନ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଶାସକ ବିଜେପି ଏବଂ ବିରୋଧିଦଳରେ ଥିବା ବିଜେଡି ଓ କଂଗ୍ରେସ ବିଧାୟକଦଳ ବୈଠକରେ ଦଳୀୟ ରଣନୀତି ଚୂଡାନ୍ତ ହେବ । ତେବେ ବିଧାନସଭା ଅଧିବେଶନ ଯେଭଳି ସୁରୁଖୁରୁରେ ଚାଲେ ସେଥିଘେନି ବାଚସ୍ପତି ମଧ୍ୟ ସର୍ବଦଳୀୟ ବୈଠକ ଆହୂତ କରିବେ । (ତଥ୍ୟ)