Home Environment ସରକାର ଶୁଖିଲା ପତ୍ର କିଣନ୍ତୁ

ସରକାର ଶୁଖିଲା ପତ୍ର କିଣନ୍ତୁ

ଭୁବନେଶ୍ୱର : ଜଙ୍ଗଲ ନିଆଁଙ୍କୁ ରୋକିବାପାଇଁ ସରକାର ନିଜେ ଜଙ୍ଗଲରେ ପଡୁଥିବା ଶୁଖିଲା ପତ୍ରକୁ କିଣନ୍ତୁ । ଏହାକୁ କିଲୋପିଛା ୧ଟଙ୍କା ଦରରେ କିଣିବା ଦ୍ୱାରା କେବଳ ଜଙ୍ଗଲ ନିଆଁଙ୍କୁ ରୋକାଯିବନାହିଁ, ବରଂ ସ୍ଥାନୀୟ ଲୋକେ ରୋଜଗାର ପାଇବେ । ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ପରିବେଶବିତ୍‍ ତଥା ପୂର୍ବତନ ବିଧାୟକ ବିଭୂଧେନ୍ଦ୍ର ପ୍ରତାପ ଦାସ ।

ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ଏହି ମର୍ମରେ ଶ୍ରୀ ଦାସ ପତ୍ର ଲେଖିଛନ୍ତି । ଏଥିରେ ଦର୍ଶାଇଛନ୍ତି ଯେ ଜଙ୍ଗଲରେ ଲାଗୁଥିବା ନିଆଁର ଅନ୍ୟତମ କାରଣ ହେଉଛି ପଡୁଥିବା ଶୁଖିଲା ପତ୍ର । ଶୁଖିଲାପତ୍ରକୁ ସଫା କରାଯାଇ ପାରିଲେ ବନାଗ୍ନିକୁ ରୋକାଯାଇ ପାରିବ । ଏଥିପାଇଁ ଜଙ୍ଗଲ ବିଭାଗ ଶୁଖିଲାପତ୍ର ଖରିଦ କରିବା ଆବଶ୍ୟକ । ଏହାକୁ କିଲୋପିଛା ଅତି କମ୍‍ରେ ଏକ ଟଙ୍କା ଦରରେ ଖରିଦ କରିବାକୁ ଶ୍ରୀ ଦାସ ପ୍ରସ୍ତାବ ଦେଇଛନ୍ତି ।

ଏ ସଂକ୍ରାନ୍ତରେ ସେ କହିଛନ୍ତି ଯେ ଜଙ୍ଗଲ ବିଭାଗ ଖରିଦ କରୁଥିବା ପତ୍ରକୁ ଖତରେ ପରିଣତ କରିପାରିବ । ଫଳରେ ବୃକ୍ଷରୋପଣ ପାଇଁ ବିଭାଗ ପ୍ରତିବର୍ଷ ଯେତେ ପରିମାଣର ଖତ ସଂଗ୍ରହ କରୁଛି ତାହାକୁ ଏହାଦ୍ୱାରା ଭରଣା କରାଯାଇ ପାରିବ । ଏଥି ସହିତ ବିଭାଗ ପ୍ରସ୍ତୁତ ଖତକୁ ବିକ୍ରି ମଧ୍ୟ କରିପାରିବ । ଏହାର ଅନ୍ୟତମ ପ୍ରମୁଖ ଦିଗଟି ହେଲା ଯେ ସରକାର ଶୁଖିଲାପତ୍ର ଖରିଦ ଆରମ୍ଭ କଲେ ଜଙ୍ଗଲରେ ଓ ଏହାର ଆଖପାଖରେ ବସବାସ କରୁଥିବା ଲୋକେ ପତ୍ର ସଂଗ୍ରହ କରି ଭଲ ଆୟ କରିପାରିବେ ।

ଲୋକେ ଶୁଖିଲାପତ୍ର ସଂଗ୍ରହ କରିବା ଯୋଗୁଁ ଜଙ୍ଗଲ ସୁରକ୍ଷା ମଧ୍ୟ ହୋଇପାରିବ ଓ ସେମାନେ ଆଉ ଜାଣିଶୁଣି ସେଥିରେ ନିଆଁ ଲଗାଇ ଆଇନ୍‍କୁ ହାତକୁ ନେବେ ନାହିଁ । ଏହାଦ୍ୱାରା ଜଙ୍ଗଲ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବୃଦ୍ଧିପାଇବ ।

ଉଲ୍ଲେଖନୀୟ ଯେ ବର୍ତ୍ତମାନ ରାଜ୍ୟରେ ବ୍ୟାପକ ବନାଗ୍ନି ଯୋଗୁଁ ଏହାକୁ ନେଇ ଉଦ୍‍ବେଗ ପ୍ରକାଶ ପାଇଛି । ଏପରିକି ଏଭଳି ବିପତ୍ତିକୁ ରୋକିବାପାଇଁ ବିଜେପି କେନ୍ଦ୍ରସରକାରଙ୍କ ହସ୍ତକ୍ଷେପ ଲୋଡିଛି । ତେଣେ ରାଜ୍ୟ ସରକାର ନିଆଁ ଲିଭାଇବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଠାରୁ ଆରମ୍ଭ କରି ଜଙ୍ଗଲ ସୁରକ୍ଷା ସମିତିର ସହାୟତା ଲୋଡିଛନ୍ତି । ତେବେ ଲୋକଙ୍କ ହାତକୁ ପଇସା ଗଲେ ସେମାନେ ଜଙ୍ଗଲରୁ ନିଆଁ ଲିଭାଇବାପାଇଁ ଅଧିକ ଆଗ୍ରହୀ ହେବେ ବୋଲି ଶ୍ରୀ ଦାସ କହିଛନ୍ତି ।

ଜଙ୍ଗଲର କେତେକ ସ୍ଥାନରେ ଛାଏଁ ଛାଏଁ ନିଆଁ ଲାଗୁଥିବାବେଳେ ଅଧିକାଂଶ ସ୍ଥାନରେ କିନ୍ତୁ ଲୋକେ ଚାଷ କିମ୍ବା ଶିକାର ପାଇଁ ନିଆଁ ଲଗାଇଥାନ୍ତି । କେତେକ ସ୍ଥାନରେ ଲୋକେ ମଜା ଦେଖିବାପାଇଁ ନିଆଁ ଲଗାଇ ଦେଇଥାନ୍ତି । ତେବେ ଯଦି ଆଖପାଖରେ ଶୁଖିଲାପତ୍ର ନରହିବ ତେବେ ସହଜରେ ନିଆଁ ଲଗାଯାଇ ପାରିବନାହିଁ ଓ କୌଣସି ସ୍ଥାନରେ ନିଆଁ ଦେଖାଦେଲେ ତାହାକୁ ଆୟତ କରାଯାଇ ପାରିବ ବୋଲି ଶ୍ରୀ ଦାସ କହିଛନ୍ତି । (ତଥ୍ୟ)