ଭୁବନେଶ୍ୱର : ପାଞ୍ଜି ଗଣନାରେ ତାଳମେଳ ରହୁନଥିବାରୁ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରିବାରେ ଲୋକେ ହୀନସ୍ତା ହେଉଛନ୍ତି । ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଏବଂ ପିଲାମାନଙ୍କ ଜନ୍ମଦିନ ପାଳନରେ ସମସ୍ୟା ଉପୁଜୁଛି । ଏମିତିକି ବିବାହ, ବ୍ରତପୋନୟନ ଆଦି ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ବିଭ୍ରାଟ ବଢି ଚାଲୁଛି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ବ୍ୟାପାରରେ ହସ୍ତକ୍ଷେପ କରି ସ୍ୱତନ୍ତ୍ର ପଞ୍ଜିକା ପ୍ରଣୟନ ପାଇଁ ଦାବି ଉଠୁଛି ।
ଏଠାରେ ଉଲ୍ଲେଖନୀୟ ଯେ ଗତ ଅକ୍ଟୋବର ୩୧ ତାରିଖରେ ରାଜ୍ୟ ସରକାର ଦୀପାବଳୀ/କାଳୀପୂଜା ପାଇଁ ସରକାରୀ ଛୁଟି କିଛି ପଞ୍ଜିକା ଗଣନା ଆଧାରରେ କରିଥିବାବେଳେ ନଭେମ୍ବର ପହିଲାରେ କିନ୍ତୁ ଆଉ କିଛି ପଞ୍ଜିକା ଆଧାରରେ ଦୀପାବଳୀ ଓ କାଳୀପୂଜା ପର୍ବ ପାଳନ ହେଲା । ଏଥିଯୋଗୁଁ ସାଧାରଣ ଲୋକେ ଦ୍ୱନ୍ଦରେ ରହିବା ସହିତ ମନ୍ଦିରରେ ପୂଜା ଓ ମଣ୍ଡପରେ ଉତ୍ସାବାନୁଷ୍ଠାନରେ ବ୍ୟାଘାତ ଉପୁଜିଥିଲା ।
ଏବେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ କହୁଛନ୍ତି ଯେ ପଞ୍ଜିକା ସଂକ୍ରାନ୍ତରେ ତାଙ୍କ ସହ କେହି ଆଉ ଆଲୋଚନା କରୁନାହାନ୍ତି । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଭା ଓ ମୁକ୍ତିମଣ୍ଡପ ପଣ୍ଡିତସଭାର ବରିଷ୍ଠ ସଦସ୍ୟମାନେ ମଧ୍ୟ ଅନୁରୂପ ଅଭିଯୋଗ କରୁଛନ୍ତି । ଶ୍ରୀମନ୍ଦିରର ଅନେକ ସେବାୟତ କହୁଛନ୍ତି ଯେ କେତେକ ନିଯୋଗ ନିର୍ଦ୍ଦିଷ୍ଟ ପଞ୍ଜିକାରମାନଙ୍କୁ ସ୍ୱୀକୃତି ଦେଉଛନ୍ତି । ତେବେ ପ୍ରକାଶ ପାଉଥିବା ବିଭିନ୍ନ ପଞ୍ଜିକାରେ ଅନେକ କ୍ଷେତ୍ରରେ ସାମଞ୍ଜସ୍ୟ ରହୁନଥିବାରୁ ସେଥିରେ କିଭଳି ସମାନତା ଅଣାଯାଇ ପାରିବ ସେ ଦିଗରେ ବିଶେଷ କିଛି ଉଦ୍ୟମ ହେଉନାହିଁ । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ସ୍ୱତନ୍ତ୍ର ପଞ୍ଜିକା ପ୍ରକାଶନର ଦାୟିତ୍ୱ ନେବାକୁ ମତପ୍ରକାଶ ପାଉଛି ।
କେବଳ ଶ୍ରୀଜଗନ୍ନାଥ ମନ୍ଦିରର ପୂଜାର୍ଚ୍ଚନା ପାଇଁ ନୁହେଁ ଅନ୍ୟ ଉପାସନାପୀଠଗୁଡିକର ପୂଜାର୍ଚ୍ଚନା ସଂକ୍ରାନ୍ତରେ ପାଞ୍ଜିରେ ତିଥି ବାର ନିର୍ଦ୍ଧାରଣ କରାଯାଇଥାଏ । ପୁରୀ ପାଇଁ ଶ୍ରୀଜଗନ୍ନାଥ ପଞ୍ଜିକା ଉପରେ ନିର୍ଭର କରାଯାଉଥିବାବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନାମରେ ମଧ୍ୟ ସ୍ୱତନ୍ତ୍ର ପଞ୍ଜିକା ରହିଛି । ଏହାଛଡା ଆଉ ଅନେକ ପଞ୍ଜିକା ବି ଓଡିଶାରେ ପ୍ରକାଶ ପାଉଛି ।
କୋହେନୂର, ଖଡିରତ୍ନ, ବିରଜା, ଭାଗ୍ୟଦୀପ, ରାଧାରମଣ ପଞ୍ଜିକା ଛଡା ଆମଓଡିଶା ବି ଅନ୍ୟ ଏକ ପାଞ୍ଜି ଛାପୁଛି । କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନାମରେ ବି ପାଞ୍ଜି ଛପାଯାଉଛି । ଗୋଟିଏ ଗୋଟିଏ ପାଞ୍ଜି ବି ଭିନ୍ନ ଭିନ୍ନ ନାଁରେ ବାହାରୁଛି । ବିଦେଶରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ ଘେନି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଉଦବେଗପ୍ରକାଶ କରି ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ନକରିବାକୁ ତାଗିଦ କରୁଥିବାବେଳେ ରାଜ୍ୟ ସରକାର ମଧ୍ୟ ଦାୟିତ୍ୱ ନେଇ ଏକ ନିର୍ଭୁଲ ପଞ୍ଜିକା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ପଠାଣି ସାମନ୍ତଙ୍କ ମୂଳ ଗଣନା ଆଧାରରେ ବର୍ତ୍ତମାନର ପଞ୍ଜିକାରମାନେ ଆଲୋଚନା ପର୍ଯ୍ୟାଲୋଚନା କରି ପାଞ୍ଜି ପ୍ରସ୍ତୁତ କରିଥାନ୍ତି । ଏହି ପାଞ୍ଜିର ତଥ୍ୟକୁ ନେଇ ସରକାର ବି ତାଙ୍କ ବାର୍ଷିକ କ୍ୟାଲେଣ୍ଡରେ ଛୁଟି ଦିବସ ଘୋଷଣା କରନ୍ତି । ତେବେ ସରକାରୀ କ୍ୟାଲେଣ୍ଡର ଓ ପାଞ୍ଜି ଗଣନାର ତଥ୍ୟ ମଧ୍ୟରେ ତାଳମେଳ ରହୁନଥିବାରୁ ପ୍ରଶାସନିକ କଳ ଅସୁବିଧାରେ ପଡୁଥିବାବେଳେ ସାଧାରଣ ଲୋକଙ୍କ ଭକ୍ତିଭାବନା ଉପରେ କୁଠାରଘାତ ହେଉଛି । ଏହି ଆଧ୍ୟାତ୍ମିକ ସମସ୍ୟାକୁ ଆଖିଆଗରେ ରଖି ଲୋକଙ୍କୁ ପାଞ୍ଜି ଠକେଇରୁ ମୁକ୍ତ କରିବା ଦାୟିତ୍ୱ ସରକାରଙ୍କର ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । ପୂର୍ବରୁ ପାଞ୍ଜି ଛପାଯାଉଥିଲେ ମଧ୍ୟ ଦୋଳପୂର୍ଣ୍ଣିମା ଅବସରରେ ଅବଧାନମାନେ ଠାକୁରଙ୍କ ବିନା ନିକଟରେ ନୂଆ ପାଞ୍ଜି ପାଠ କରିଥାନ୍ତି । (ତଥ୍ୟ)