Home General ସରକାର କିଣୁ ନାହାନ୍ତି ଇ-ଯାନ

ସରକାର କିଣୁ ନାହାନ୍ତି ଇ-ଯାନ

ଭୁବନେଶ୍ୱର : ରାଜ୍ୟ ସରକାର ଇତି ମଧ୍ୟରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପାହ୍ୟାର ଅଧିକାରୀଙ୍କ ଗାଡି ଖର୍ଚ୍ଚ ବାବଦ ବ୍ୟୟବରାଦ ବୃଦ୍ଧି କରିଥିବାବେଳେ ଇ-ଯାନ କିଣିବାପାଇଁ କିନ୍ତୁ ନିଷ୍ପତ୍ତି ହୋଇପାରୁ ନାହିଁ । ରାଜ୍ୟ ରାଜଭବନ ନିଜର ସମସ୍ତ ଯାନକୁ ଇ-ଯାନରେ ରୂପାନ୍ତରିତ କରିଥିବାବେଳେ ହାତଗଣତି କେତୋଟି ବିଭାଗ ଗୋଟିଏ ଦୁଇଟି ଇ-ଯାନ କିଣିଛନ୍ତି । ହେଲେ ସମସ୍ତ ସରକାରୀ ଯାନକୁ ଇ-ଯାନରେ ବଦଳାଯାଇ ପାରୁନାହିଁ ।

ରାଜ୍ୟ ରାଜଭବନରେ ଇତି ମଧ୍ୟରେ ସମସ୍ତ ଚାରି ଚକିଆ ଓ ଦୁଇ ଚକିଆ ଯାନକୁ ଇ-ଯାନରେ ରୂପାନ୍ତରିତ କରାଯାଇଛି । ସେହିଭଳି ପରିବହନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗର ହାତଗଣତି କେତୋଟି ଇ-ଯାନ ଚଳାଚଳ କରୁଛି । କିନ୍ତୁ ସଂଖ୍ୟାଧିକ ସରକାରୀ ଗାଡି ଡିଜେଲ କିମ୍ବା ପେଟ୍ରୋଲ ଚାଳିତ । ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସରକାରୀ ଯାନ ଚଢୁଥିବାବେଳେ ଅଧିକାଂଶ ସରକାରୀ ଅଧିକାରୀଙ୍କ ପାଇଁ ଭଡାଗାଡିର ବ୍ୟବସ୍ଥା ହୋଇଛି । ଏଥିପାଇଁ ମାସକୁ କୋଟି କୋଟି ଟଙ୍କା ବ୍ୟୟ ହେଉଛି ।

ଇତି ମଧ୍ୟରେ ମନ୍ତ୍ରୀମାନଙ୍କର ମାସିକ ଗାଡି ବାବଦ ବ୍ୟୟ ବରାଦ ୪୨ହଜାର ଟଙ୍କାରୁ ବୃଦ୍ଧି କରାଯାଇ ୫୦,୪୦୦ ଟଙ୍କା ହୋଇଥିବାବେଳେ ପ୍ରମୁଖ ସଚିବମାନଙ୍କର ୩୦ ରୁ ୩୬ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଜିଲ୍ଲାପାଳ ଓ ଏସ୍‍ପିମାନଙ୍କର ଗାଡି ଖର୍ଚ୍ଚ ୩୭ହଜାରରୁ ୪୪,୪୦୦ ଟଙ୍କାକୁ ବଢିଥିବାବେଳେ ବ୍ଲକ ସ୍ତରର ଅଧିକାରୀମାନଙ୍କ ଏହି ଖର୍ଚ୍ଚ ୩୧ହଜାର ଟଙ୍କାରୁ ୩୭ ହଜାର ଟଙ୍କାକୁ ବଢିଛି ।

ତେବେ ରାଜ୍ୟ ସରକାର ଇ-ଯାନ ଖରିଦ ପାଇଁ ସରକାରୀ କର୍ମଚାରୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେଉଥିବାବେଳେ ସାଧାରଣ ଲୋକଙ୍କ ପାଇଁ କିଲୋୱାଟ ପିଛା ସବସିଡ୍‍ ପ୍ରଦାନ କରୁଛନ୍ତି । ଏଥି ସହିତ ଇ-ଯାନ ପାଇଁ ପଞ୍ଜିକରଣ ଓ ସଡକ ଟିକସ ଛାଡର ବ୍ୟବସ୍ଥା ରହିଛି । ଏଥିପ୍ରତି ଆଗ୍ରହୀ ହୋଇ ସାଧାରଣ ଲୋକେ ଇ-ଯାନକୁ ଆପଣେଇ ନେଉଥିବାବେଳେ ଖୋଦ ସରକାରୀ ବିଭାଗଗୁଡିକ କିନ୍ତୁ ଏ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ରାଜ୍ୟରେ ଖୁବଶୀଘ୍ର ନୂତନ ଇ-ଯାନ ନୀତି କାର୍ଯ୍ୟକାରୀ ହେବ ଏବଂ ସରକାରୀ କର୍ମଚାରୀଙ୍କ ସମେତ ବିଭାଗଗୁଡିକ ଇ-ଯାନ କିଣିବେ ବୋଲି ଶକ୍ତି ମନ୍ତ୍ରୀ ଘୋଷଣା କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହି ନୂତନ ନୀତି ଆସିପାରି ନାହିଁ ।

ଇତି ମଧ୍ୟରେ କେତେକ ରାଷ୍ଟ୍ରାୟତ ସଂସ୍ଥା, କର୍ପୋରେଟ ସଂସ୍ଥାମାନେ ନିଜ ନିଜ କର୍ମଚାରୀଙ୍କୁ ପରିବେଶ ଅନୁକୂଳ ଇ-ଯାନ କିଣିବାପାଇଁ ପ୍ରୋତ୍ସାହିତ କରୁଥିବାବେଳେ ବିନା ସୁଧରେ ଋଣ ନେଉଥିବା ସରକାରୀ କର୍ମଚାରୀମାନେ ବି ଇ-ଯାନ କିଣୁଛନ୍ତି । ହେଲେ ସରକାରୀ ବିଭାଗଗୁଡିକ କିନ୍ତୁ ନିଜର ପେଟ୍ରୋଲ ଓ ଡିଲେଜ ଯାନ ବଦଳରେ ପରିବେଶ ଅନୁକୂଳ ଇ-ଯାନ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ତେବେ ସରକାରୀ ବିଭାଗଗୁଡିକ ଗାଡି ଯୋଗାଣ କରୁଥିବା ସଂସ୍ଥାର ଲବି ଯୋଗୁଁ ଇ-ଯାନ କିଣାଯାଇ ପାରୁନଥିବା କୁହାଯାଉଛି । ଏହାଛଡା ସରକାର ନିଜେ ଇ-ଯାନ କିଣୁନଥିବାରୁ ସରକାରୀ ସ୍ତରରେ ଚାର୍ଜିଷ୍ଟେସନ ପ୍ରତିଷ୍ଠା କାର୍ଯ୍ୟ ଆଗେଇ ପାରୁନାହିଁ । ଏହା ପ୍ରଭାବ ଇ-ଯାନ କିଣିଥିବା ସାଧାରଣ ଲୋକଙ୍କ ଉପରେ ପଡୁଛି ଏବଂ ଯେଉଁ ହାରରେ ରାଜ୍ୟରେ ଏହା ବିକ୍ରି ହେବାକଥା ତାହା ହୋଇପାରୁ ନାହିଁ ବୋଲି ପରିବହନ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)