Home Administration ସରକାର କିଣିବେ ହ୍ରାଇବ୍ରିଡ ଯାନ

ସରକାର କିଣିବେ ହ୍ରାଇବ୍ରିଡ ଯାନ

ଭୁବନେଶ୍ୱର : ରାଜ୍ୟ ସରକାର ପରିବେଶ ଅନୁକୂଳ ହାଇବ୍ରିଡ୍‍ ଯାନ ଖରିଦ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଯାନ ଖରିଦକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅର୍ଥ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି ।

ଉଲ୍ଲେଖନୀୟ ଯେ ଭାରତ ସରକାର ପେଟ୍ରୋଲ, ଡିଜେଲ ଚାଳିତ ଯାନ ବଦଳରେ ବିଦ୍ୟୁତ୍‍ ଚାଳିତ ଯାନ କିମ୍ବା ହ୍ରାଇବ୍ରିଡ୍‍ ଯାନ ଖରିଦ ପାଇଁ ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ହାଇବ୍ରିଡ୍‍ ଯାନ କିଣିବାକୁ ସ୍ଥିର କରିଛନ୍ତି । ତଦନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗ ବଜାରରେ ଉପଲବ୍ଧ ହାଇବ୍ରିଡ୍‍ ଯାନ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ ପାଇଁ ପରିବହନ କମିଶନରଙ୍କୁ କହିଛନ୍ତି ।

ଜାରି ବିଜ୍ଞପ୍ତି ଅନୁଯାୟୀ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ସର୍ବୋଚ୍ଚ ବେତନ ସ୍ତରରେ ଥିବା ଅନ୍ୟ ଅଧିକାରୀମାନେ ଟୟୋଟା ଇନୋଭା, ଟାଟା ହେକ୍ସା, ମହିନ୍ଦ୍ରା ଏକ୍ସୟୁଭି ୫୦୦ ଭଳି ଯାନ କିଣିପାରିବେ ଯାହାର ଦର ଯାନ ପିଛା ୨୫ଲକ୍ଷ ଟଙ୍କା ଏବଂ ଏହା ଗୋଟିଏ ଲିଟରରେ ୯ କିଲୋମିଟର ଯାଇପାରିବ । ଅନୁରୂପ ଭାବେ ଜିଲ୍ଲା ଜଜ୍‍, ପ୍ରମୁଖ ସଚିବ କିମ୍ବା ସଚିବ ପାହ୍ୟାର ଅଧିକାରୀମାନେ ମାରୁତି ସିଆଜ ଏବଂ ହୋଣ୍ଡା ସିଟି ଭଳି କାର ବ୍ୟବହାର କରିପାରିବେ ଯାହାର ଦର ଯାନ ପିଛା ୧୫ଲକ୍ଷ ଟଙ୍କା ଏବଂ ଲିଟର ପ୍ରତି ଏହା ୧୨ କିଲୋମିଟର ଯାଇପାରିବ ।

ସେହିଭଳି ଜିଲ୍ଲାପାଳ ଏବଂ ଏସ୍‍ପିମାନେ ମହିନ୍ଦ୍ରା ସ୍କୋର୍ପିଓ, ହ୍ୟୁଣ୍ଡାଇ କ୍ରେଟା ଏବଂ ମହିନ୍ଦ୍ରା ମାରାଜୋ ଭଳି ଗାଡି ବ୍ୟବହାର କରିପାରିବେ ଯାହାର ଦର ୧୫ଲକ୍ଷ ଟଙ୍କା ମଧ୍ୟରେ ରହିବ ଏବଂ ଏହା ଗୋଟିଏ ଲିଟରରେ ଅତି କମ୍‍ରେ ୧୦ କିଲୋମିଟର ଯାଇପାରୁଥିବ । ତେବେ ରାଜ୍ୟ ସରକାର ହାଇକୋର୍ଟ ଜଜ୍‍ମାନଙ୍କୁ ଏହି ବିଜ୍ଞପ୍ତି ପରିଧିରୁ ବାହାରେ ରଖିଛନ୍ତି ।

ଉପରୋକ୍ତ ମାନଦଣ୍ଡ ବାହାରେ କୌଣସି ଦପ୍ତର ଗାଡି ଖରିଦ କରିପାରିବେ ନାହିଁ । ସେହିଭଳି ଅର୍ଥ ବିଭାଗ ପକ୍ଷରୁ ୨୦୧୯ ନଭେମ୍ବର ୬ତାରିଖରେ ଜାରି ବିଜ୍ଞପ୍ତି ଆଧାରରେ ଭଡାରେ ଗାଡି ଅଣାଯାଇ ପାରିବ । ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାରଙ୍କ ସହିତ ଅନେକ ରାଜ୍ୟ ସରକାର ଇ-ଯାନ ଓ ହାଇବ୍ରିଡ୍‍ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି । ଏହାଦ୍ୱାରା ଇନ୍ଧନ ବ୍ୟବହାର ହ୍ରାସ ପାଇବ । ତଦନୁଯାୟୀ ଓଡିଶା ସରକାର ହାଇବ୍ରିଡ୍‍ ଯାନ ଖରିଦ ପାଇଁ ସ୍ଥିର କରିଛନ୍ତି ।

ହାଇବ୍ରିଡ୍‍ ଯାନରେ ଦୁଇ ପ୍ରକାର ଜାଳେଣୀ ବ୍ୟବହାର ହୋଇଥାଏ ଯେମିତିକି ବୁଡାଜାହାଜ ଉଭୟ ପେଟ୍ରୋଲ/ଡିଜେଲ ବ୍ୟବହାର କରୁଥିବାବେଳେ ଜଳ ଭିତରେ ରହିବା ସମୟରେ ବ୍ୟାଟେରୀ ବ୍ୟବହାର କରିଥାଏ । କମ୍‍ ଜାଳେଣୀ ଖର୍ଚ୍ଚପାଇଁ ହାଇବ୍ରିଡ୍‍ ଟ୍ରେନଗୁଡିକରେ ଏଭଳି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । ହ୍ରଇବ୍ରିଡ ଯାନରେ ବ୍ୟାଟେରୀକୁ ପ୍ଲଗରେ ବସାଇ ଚାର୍ଜ କରାଯାଏ ନାହିଁ । ଏହା ବଦଳରେ ବ୍ରେକିଂ ଏବଂ ଆଭ୍ୟନ୍ତରୀୟ ଇଞ୍ଜିନ ଦ୍ୱାରା ଏହା ସ୍ୱୟଂ ଚାର୍ଜ ହୋଇଥାଏ । (ତଥ୍ୟ)