ଭୁବନେଶ୍ୱର : ସରକାର ଧାର୍ଯ୍ୟ କରିଥିବା ପରିମାଣ ତୁଳନାରେ ଚାଷୀମାନେ ଅଧିକ ଧାନ ଉତ୍ପାଦନ କରୁଥିବାରୁ ସରକାର ଅଧିକ ପରିମାଣର ଧାନ କିଣିବାକୁ ବିଧାନସଭାରେ ଦାବି କରିଛନ୍ତି ବିଧାୟକ ସାରଦା ପ୍ରସାଦ ପ୍ରଧାନ । ପ୍ରଶ୍ନକାଳରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାର ଜଳସେଚିତ ଜମିରୁ ଏକର ପିଛା ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଜମିରୁ ଏକର ପିଛା ୧୩ କୁଇଣ୍ଟାଲ ଧାନ କିଣିବାକୁ ସ୍ଥିର କରିଛନ୍ତି । ହେଲେ ଉପକୂଳ ଜିଲ୍ଲାର ଚାଷୀମାନେ ଏହାଠାରୁ ଅଧିକ ଧାନ ଫଳାଉଛନ୍ତି । ତେଣୁ ସରକାର ସବୁତକ ଧାନ ଖରିଦ କରନ୍ତୁ ।
ଶ୍ରୀ ପ୍ରଧାନ କହିଛନ୍ତି ଧାନଚାଷ କ୍ଷେତ୍ରରେ ତିନି ଟି ବିଭାଗ ଯଥା କୃଷି, ସମବାୟ ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ୱୟ ରହିବାକଥା । ପଶ୍ଚିମଓଡିଶାରେ ଧାନ କିଣା ହେବାର ଦେଢ ମାସ ପରେ ଉପକୂଳ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳୁଛି । ଯାହା ଫଳରେ ଏଠାରୁ କମ୍ ପରିମାଣରେ ଧାନ କିଣାଯାଉଛି । ମାହାଙ୍ଗା ର୍ନିବାଚନମଣ୍ଡଳୀରେ ଚାଷୀମାନଙ୍କ ଠାରୁ ୨୦୨୨-୨୩ରେ ୩ଲକ୍ଷ ୬୦ହଜାର କୁଇଣ୍ଟାଲ ଧାନ କିଣାଯାଇଥିବାବେଳେ ୨୦୨୩-୨୪ ଏହା ୨ଲକ୍ଷ ୬୦ ହଜାର କୁଇଣ୍ଟାଲକୁ ହ୍ରାସ ପାଇଛି । ଯେହେତୁ ଚଳିତବର୍ଷ ନୂଆସରକାର ଧାନ ଦର ବୃଦ୍ଧି କରିଛନ୍ତି ତେଣୁ ଚାଷୀମାନେ ଅଧିକ ପରିମାଣରେ ଧାନ ବିକ୍ରି ପାଇଁ ଆଗ୍ରହୀ ଅଛନ୍ତି । ସରକାର ୨୦୨୨-୨୩ ବର୍ଷରେ କିଣିଥିବା ଧାନ ଠାରୁ ଅଧିକ ୧୦ ପ୍ରତିଶତ ଟାର୍ଗେଟ ରଖନ୍ତୁ ।
ସେହିଭଳି ମଣ୍ଡିଗୁଡିକରେ ଚାଷୀମାନେ ଧାନ ଓଜନ ପାଇଁ ୪/୫ ଦିନ ଧରି ଅପେକ୍ଷା କରୁଥିବା ପ୍ରସଙ୍ଗ ଉଠାଇ ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ ଚାଷୀମାନେ ଦିନକୁ ହଜାରେ କୁଇଣ୍ଟାଲ ଧାନ ଧରି ଆସୁଥିବାବେଳେ ମିଲରମାନେ ୨୦୦ କୁଇଣ୍ଟାଲ ନେବାପାଇଁ ଗାଡି ଧରି ଆସି ପହଞ୍ଚୁଛନ୍ତି । ତେଣୁ ଚାଷୀମାନେ ମଣ୍ଡିରେ ଧାନ ଓଜନ ପାଇଁ ଅପେକ୍ଷା କରୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସମବାୟ ସମିତିଗୁଡିକ ଚାଷୀଙ୍କ ଠାରୁ ଧାନ ଓଜନ କରି ରଖିଦିଅନ୍ତୁ । ମିଲରମାନେ ଯେତେବେଳେ ଚାହିଁବେ ନେଇପାରିବେ ।
ଶ୍ରୀ ପ୍ରଧାନଙ୍କ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଯେ ଉପକୂଳରେ ବିଳମ୍ବରେ ଧାନ ଅମଳ ହେଉଥିବାର ଚାଷୀମାନଙ୍କୁ ପରେ ଟୋକନ ମିଳୁଛି । ତେବେ ଚଳିତବର୍ଷ କେତେ ଧାନ ଉତ୍ପାଦନ ହୋଇଛି ଓ ଚାଷୀମାନେ କେତେ ଧାନ ବିକ୍ରି କରିବେ ତାହାର ସର୍ଭେ କରାଯାଉଥିବା ମନ୍ତ୍ରୀ କହିଥିଲେ ।