Home Education ସରକାରୀ ସ୍କୁଲ ପ୍ରତି ବିମୁଖ

ସରକାରୀ ସ୍କୁଲ ପ୍ରତି ବିମୁଖ

ଭୁବନେଶ୍ୱର : ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହ୍ରାସ ପାଉଛି । ଉଭୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏଭଳି ସ୍ଥିତି ପରିଲକ୍ଷିତ ହୋଇଥିବାବେଳେ ଏଥିପାଇଁ ଶିକ୍ଷକ ଅଭାବ ସହିତ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷାନୁଷ୍ଠାନକୁ ଅନେକାଂଶରେ ଦାୟୀ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୨୭,୪୧,୧୮୦ ଜଣ ପିଲା ନାମ ଲେଖାଇଥିବାବେଳେ ଏହା ପରବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୬ଲକ୍ଷ ୪୨ହଜାରକୁ ହ୍ରାସ ପାଇଥିଲା । ସେହିଭଳି ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୦୨୨-୨୩ ବର୍ଷରେ ପ୍ରାଥମିକ ବିଦ୍ୟାଳୟରେ ୨୮,୯୭ ଜଣ ପିଲା ନାମ ଲେଖାଇଥିବାବେଳେ ଏହା ପରବର୍ଷ ନାମ ଲେଖଇଥିବା ପିଲାଙ୍କ ସଂଖ୍ୟା ୨୭,୪୪୮କୁ ହ୍ରାସ ପାଇଥିଲା ।

ତେବେ ଆଶ୍ୱାସନାର ବିଷୟ ହେଉଛି ଯେ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକରେ ଏହି ଦୁଇବର୍ଷରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଛନ୍ତି । ୨୦୨୨-୨୩ ବର୍ଷରେ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୧୬ଲକ୍ଷ ୬୬ହଜାର ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ଏହା ପରବର୍ଷ ଏହି ସଂଖ୍ୟା ୧୬ଲକ୍ଷ ୮୬ହଜାରକୁ ଟପି ଯାଇଥିଲା । ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କିନ୍ତୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିଲା ।

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିର କାରଣ ହେଉଛି ଅଷ୍ଟମଶ୍ରେଣୀରୁ ଏକକ ଶିକ୍ଷା ବ୍ୟବସ୍ଥା ଲାଗୁ ହେବା । ଯେଉଁ ଛାତ୍ରଛାତ୍ରୀମାନେ ଓଡିଆ ମାଧ୍ୟମ ଘରୋଇ ବିଦ୍ୟାଳୟରେ ପଢୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଷ୍ଟମ ଶ୍ରେଣୀରୁ ସରକାରୀ ବିଦ୍ୟାଳୟକୁ ଚାଲି ଆସୁଛନ୍ତି । କିନ୍ତୁ ଇଂରାଜୀମାଧ୍ୟମ ବିଦ୍ୟାଳୟ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉନାହିଁ ।

ସରକାରୀ ବିଦ୍ୟାଳୟଗୁଡିକରେ ପ୍ରାଥମିକ ଶ୍ରେଣୀରେ ନାମ ଲେଖାଇବାପାଇଁ ସରକାର ବ୍ୟାପକ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ପିଲାଙ୍କ ନାମଲେଖା କମିବା ଏବେ କର୍ତ୍ତୃପକ୍ଷଙ୍କ ବଡ ଆହ୍ୱାନ ହୋଇଛି । ପ୍ରଥମ ଶ୍ରେଣୀରେ ନାମଲେଖାଇବାପାଇଁ ସରକାରୀ ବିଦ୍ୟାଳୟଗୁଡିକରେ ଉତ୍ସବର ଆୟୋଜନ ହେବା ସହିତ ମାଗଣା ପାଠ୍ୟପୁସ୍ତକ, ମଧ୍ୟାହ୍ନଭୋଜନ, ପୋଷାକ, ଜୋତା, ମୋଜା, ସ୍କୁଲବ୍ୟାଗ୍‍ ଆଦି ଯୋଗାଇ ଦିଆଯାଉଛି । ଏଥି ସହିତ ଶିକ୍ଷା ସହାୟକ ଓ ଶିକ୍ଷକମାନେ ଘରକୁ ଘର ବୁଲି ପିଲା ସଂଗ୍ରହ କରୁଛନ୍ତି । ଏହା ସତ୍ୱେ ବି ସରକାରୀ ବିଦ୍ୟାଳୟ ପ୍ରତି ଦିନକୁ ଦିନ ଅଭିଭାବକମାନଙ୍କ ଆଗ୍ରହ କମୁଛି । ଘରୋଇ ବିଦ୍ୟାଳୟରେ ମୋଟା ଅଙ୍କର ମାସିକ ଦରମାରେ ପଛେ ପିଲାଙ୍କୁ ପଢାଉଛନ୍ତି ହେଲେ ସରକାରୀ ବିଦ୍ୟାଳୟକୁ ଛାଡୁ ନାହାନ୍ତି ।

ଏ ସଂକ୍ରାନ୍ତରେ ଶିକ୍ଷାବିତ୍‍ମାନଙ୍କ ମତ ହେଉଛି ସରକାରୀ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକ ଅଭାବ ସାଙ୍ଗକୁ ପାଠପଢାର ମାନ ହ୍ରାସ । ଏହାଛଡା ସ୍ୱଚ୍ଛଳ, ସରକାରୀ କର୍ମଚାରୀତ ଦୂରର କଥା ସରକାରୀ ବିଦ୍ୟାଳୟରେ ପାଠ ପଢାଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପିଲାମାନେ ବି ସେହି ସ୍କୁଲକୁ ପଢିବାକୁ ଆସୁ ନାହାନ୍ତି । ତେଣୁ ସରକାରୀ ସ୍କୁଲ ଉପରୁ ଅଭିଭାବକଙ୍କ ଆସ୍ଥା ହ୍ରାସ ପାଉଛି । ଯେଉଁ ଅଞ୍ଚଳରେ କୌଣସି ବେସରକାରୀ ସ୍କୁଲ ନାହିଁ କିମ୍ବା ଯେଉଁମାନେ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢାଇବାକୁ ସକ୍ଷମ ନୁହନ୍ତି ସେମାନେ ହିଁ ସରକାରୀ ସ୍କୁଲକୁ ନିଜ ନିଜର ପିଲାଙ୍କୁ ପଠାଉଛନ୍ତି । (ତଥ୍ୟ)