ଭୁବନେଶ୍ୱର : ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଥିବାବେଳେ ୨୧ଟି ଜିଲ୍ଲାରେ ସରକାରଙ୍କ ନିୟନ୍ତ୍ରଣରେ ଗୋଟିଏ ହେଲେ ଶୀତଳଭଣ୍ଡାର ନାହିଁ । ସମସ୍ତ ପ୍ରକାର ପ୍ରୋତ୍ସାହନ ସତ୍ୱେ ଉଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହୀ ହେଉନଥିବାରୁ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା ସପକ୍ଷରେ ମତପ୍ରକାଶ ପାଉଛି ।
ସରକାରୀ ହିସାବରେ ରାଜ୍ୟରେ ବର୍ତ୍ତମାନ ସମବାୟ ସ୍ତରରେ ମାତ୍ର ୪ଟି ଶୀତଳଭଣ୍ଡାର ରହିଛି । ଏଗୁଡିକ ସର୍ବନିମ୍ନ ୨୫୦୦ ମେଟ୍ରିକ ଟନ୍ରୁ ସର୍ବାଧିକ ୫୦୦୦ ଟନ୍ ପର୍ଯ୍ୟନ୍ତ ରହିଛି । ପୁରୀ ଜିଲ୍ଲାର ନିମାପଡା ଠାରେ ଥିବା ବହୁମୁଖୀ ଶୀତଳଭଣ୍ଡାରର କ୍ଷମତା ୨୫୦୦ ଟନ୍ ହୋଇଥିବାବେଳେ କଟକ ଜିଲ୍ଲାର ଜଗତ୍ପୁର ଶୀତଳଭଣ୍ଡାରର କ୍ଷମତା ୪୦୦୦ମେଟ୍ରିକ ଟନ୍ ରହିଛି । ସେହିଭଳି ଖୋରଧା ଜିଲ୍ଲାର ଭୁବନେଶ୍ୱର ଓ ରାୟଗଡା ଜିଲ୍ଲାରେ ଗୋଟିଏ କରି ଥିବା ଶୀତଳଭଣ୍ଡାରର କ୍ଷମତା ୫୦୦୦ ଟନ୍ କରି ଅଛି ।
ଏହା ବାଦ୍ ରାଜ୍ୟରେ ନିୟନ୍ତ୍ରିତ ବଜାର କମିଟି ଜରିଆରେ ଆଉ ୪୧ଟି ଛୋଟ ଛୋଟ ଶୀତଳଭଣ୍ଡାର ନିର୍ମାଣ କରାଯାଇଛି । ଏଗୁଡିକର ମୋଟ୍ କ୍ଷମତା ୭୮୭ ଟନ୍ ହୋଇଥିବାବେଳେ ଏଥିରେ ସାଧାରଣତଃ ପନି ପରିବା ହିଁ ରହିପାରିବ । ଏଥି ମଧ୍ୟରେ ଗଞ୍ଜା ଜିଲ୍ଲାର ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ଅଧିନରେ ୫ଟି, ହିଞ୍ଜୁଳିକାଟୁ ଆରଏମ୍ସି ଅଧିନରେ ୮ଟି ବୌଦ ଆରଏମ୍ସି ଅଧିନରେ ୩ଟି, ବଲାଙ୍ଗିର ଜିଲ୍ଲାର ଡୁଙ୍ଗୁରିପାଲି ଆରଏମ୍ସି ଅଧିନରେ ୧୦ଟି, ବରଗଡ ଆରଏମସି ଅଧିନରେ ଦୁଇଟି, ସମ୍ବଲପୁର ଆରଏମ୍ସି ଅଧିନରେ ୭ଟି ଓ ସେହି ଜିଲ୍ଲାର କୁଚିଣ୍ଡା ଆରଏମ୍ସି ଅଧିନରେ ୮ଟି ଶୀତଳଭଣ୍ଡାର ନିର୍ମାଣ କରାଯାଉଛି ।
ବର୍ତ୍ତମାନ ରାଜ୍ୟରେ ଆଳୁ ଠାରୁ ଆରମ୍ଭକରି ପନିପରିବା ପର୍ଯ୍ୟନ୍ତ ସବୁର ଦାମ୍ ଆକାଶଛୁଆଁ ହେବାପରେ ଚାଷୀଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ସମସ୍ତେ ଶୀତଳଭଣ୍ଡାରର ଅଭାବ ଅନୁଭବ କରୁଛନ୍ତି । ଶୀତଳଭଣ୍ଡାର ନଥିବାରୁ ଉତ୍ପାଦିତ ପନିପରିବାକୁ ଚାଷୀମାନେ ସାଇତି ରଖିପାରୁ ନାହାନ୍ତି । ସେହିଭଳି ଉତ୍ପାଦନ ସମୟରେ ଓଡିଶାର ଆଳୁ ଅନ୍ୟ ରାଜ୍ୟକୁ ଅଳ୍ପ ଦରରେ ବିକ୍ରିହୋଇ ଚାଲିଯାଉଛି ।
ତେବେ ରାଜ୍ୟରେ ପନିପରିବା ମହଜୁଦ ଲାଗି ସୌରଚାଳିତ ଶୀତଳଭଣ୍ଡାର ଖୋଲିବା ଯୋଜନା ବସ୍ତୁତଃ ଅଧାବାଟରେ ରହିଯାଇଛି । ଢେଙ୍କାନାଳ ଜିଲ୍ଲାରୁ ପାଇଲଟ ପ୍ରକଳ୍ପ ଭାବେ ଏହାକୁ ଆରମ୍ଭପାଇଁ ଯୋଜନା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ଅଟକିଯାଇଛି । ତେବେ କିଛି ସ୍ୱେଚ୍ଛାସେବୀ ସଂସ୍ଥା ନୟାଗଡ ଜିଲ୍ଲାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ସୌରଚାଳିତ ଛୋଟ ଛୋଟ ଶୀଳତଭଣ୍ଡାର ଯୋଗାଇଦେବା ଯୋଗୁଁ ସେମାନେ ଉତ୍ପାଦିତ ପନିପରିବାକୁ ସେଠାରେ ମହଜୁଦ ରଖି ବେଶ୍ ଲାଭ ପାଇପାରୁଛନ୍ତି ।
ଅନ୍ୟ ପକ୍ଷରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିପୁଳ ସବସିଡ୍ ଘୋଷଣା କରିଥିଲେ ମଧ୍ୟ ଉଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ବିଜୁଳି ବୋଝ ଯୋଗୁଁ ଉଦ୍ୟୋଗୀମାନେ ପଛଘୁଞ୍ଚା ଦେଉଥିବାବେଳେ ସୌରଚାଳିତ ଶୀତଳଭଣ୍ଡାର ବିକଳ୍ପ ବୋଲି ମତପ୍ରକାଶ ପାଉଛି । ତେବେ ସରକାରୀ ସ୍ତରରେ ସୌରଚାଳିତ ଶୀତଳଭଣ୍ଡାରକୁ ଯେଭଳି ପ୍ରୋତ୍ସାହନ ଦିଆଯିବା କଥା ତାହା ହୋଇପାରୁ ନଥିବାରୁ ଆଗାମୀ ଦିନରେ ଶୀତଳଭଣ୍ଡାର ପ୍ରତିଶ୍ରୁତି ପୂରଣ ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବାକୁ ଯାଉଥିବା ଖୋଦ ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)