Home Education ସରକାରୀ ବିଶ୍ୱବିଦ୍ୟାଳୟର ବିକଳ ଚିତ୍ର

ସରକାରୀ ବିଶ୍ୱବିଦ୍ୟାଳୟର ବିକଳ ଚିତ୍ର

ଭୁବନେଶ୍ୱର : ଓଡ଼ିଶାକୁ ଉଚ୍ଚଶିକ୍ଷାର ‘ହବ୍‍’ରେ ପରିଣତ କରିବା ଲାଗି ତୁହାକୁ ତୁହା ଘୋଷଣା ସହିତ ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ବିକଳ ଚିତ୍ର ସଦ୍ୟ ପ୍ରକାଶିତ ‘ଏନ୍‍ଆଇଆରଏଫ୍‍’ ର‌୍ୟାଙ୍କିଙ୍ଗରୁ ସ୍ପଷ୍ଟ ହୋଇଛି ।

ରାଜ୍ୟ ସରକାରଙ୍କର ଏବେ ପାଖାପାଖି ଦୁଇ ଡଜନ ବିଶ୍ୱବିଦ୍ୟାଳୟ ଥିବାବେଳେ ସେଥିରୁ କେବଳ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୧୭ଟି ପରିଚାଳିତ । ଏହି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ଭିତରୁ ଅନ୍ୟୁନ ୧୩ଟିରେ କୁଳପତି ପଦବୀ ଖାଲି ପଡ଼ିଥିବା ଯୋଗୁ କେଉଁଠି ଗୋଟିଏ ଗୋଟିଏ ବିଶ୍ୱବିଦ୍ୟାଳୟର କୁଳପତି ଏକାଧିକ ବିଶ୍ୱବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ରହୁଛନ୍ତି ତ ଆଉ କେଉଁଠି ବିଶ୍ୱବିଦ୍ୟାଳୟର ବରିଷ୍ଠ ଶିକ୍ଷକ କିମ୍ବା ପିଜି କାଉନ୍‍ସିଲ ଚେୟାରମ୍ୟାନଙ୍କୁ ଅସ୍ଥାୟୀ ଭାବେ ଏହି ଦାୟିତ୍ୱରେ ରଖାଯାଇଛି ।

ଓଡ଼ିଶାରେ ଥିବା ଏହି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ୧୯୧୧ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୨୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । କେବଳ ସେତିକି ନୁହେଁ, ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଥିବା ୨୯୬୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀରୁ ବି ପ୍ରାୟ ୨୨୦୦ ପଦବୀ ଖାଲି ପଡିଛି । ଅତିଥି ଶିକ୍ଷକ ଓ ଠିକା କର୍ମଚାରୀଙ୍କୁ ଆଶ୍ରା କରି ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ବଞ୍ôଚ ରହିଥିବାବେଳେ ଅନେକ ସ୍ଥଳରେ ଏହି ଠିକା କର୍ମଚାରୀମାନଙ୍କୁ ବି ନିୟମିତ ପାରିଶ୍ରମିକ ଦିଆଯାଇପାରୁ ନାହିଁ । ଏ ପରିପ୍ରେକ୍ଷୀରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବାବେଳେ ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଘୁଷୁଡ଼ି ଘୁଷୁଡ଼ି ଚାଲିଛି । ଏଥିରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏନ୍‍ଆଇଆରଏଫ୍‍ ର‌୍ୟାଙ୍କିଙ୍ଗରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ।

ସରକାରୀ ତଥ୍ୟ ମୁତାବକ ଏହି ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ୨୭୪ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ସେଥିରେ ଏବେ ପ୍ରାୟ ୪୦ଜଣ ପ୍ରଫେସର କାର୍ଯ୍ୟରତ ଅଛନ୍ତି । ଅନ୍ୟୁନ ୮ଟି ବିଶ୍ୱବିଦ୍ୟାଳୟରେ ଜଣେ ହେଲେ ପ୍ରଫେସର ନଥିବାବେଳେ ସେଠାରେ କିଭଳି ଅଧ୍ୟାପନା, ପରୀକ୍ଷା ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟ ହେଉଥିବ ତାହା ସହଜରେ ଅନୁମେୟ । ଏହାଛଡ଼ା ଏହି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ଥିବା ୫୫୦ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀରୁ ବି ୪୦୦ରୁ ଅଧିକ ଖାଲି ପଡିଛି । ପଦବୀ ପୂରଣ କରିବା ପରିବର୍ତ୍ତେ ‘ରେସଲାଇଜେସନ୍‍’ ନାମରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ବିଭିନ୍ନ ପାହ୍ୟାର ଶିକ୍ଷକ ପଦବୀ ଉଚ୍ଛେଦ ପାଇଁ କିନ୍ତୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଶିକ୍ଷକ ନଥିଲେ ପିଲାମାନେ ଇଣ୍ଟରନେଟ୍‍ର ଉପଯୋଗ କରି ସ୍ମାର୍ଟଫୋନ୍‍ ମାଧ୍ୟମରେ ପାଠ ପଢ଼ିପାରିବେ ବୋଲି କେହି କେହି ବିତଣ୍ଡା ଯୁକ୍ତି କରି ବସ୍ତୁତଃ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିପନ୍ନ କରିବାରେ ସହାୟକ ହେଉଛନ୍ତି ।

ସାମଗ୍ରିକ ଭାବେ ଦେଶର ୫୦ଟି ସରକାରୀ ବିଶ୍ୱବିଦ୍ୟାଳୟର ଏନ୍‍ଆଇଆରଏଫ୍‍ ର‌୍ୟାଙ୍କିଙ୍ଗ କରାଯାଇଥିବାବେଳେ ସେଥିରେ ଓଡ଼ିଶା ସର୍ବପୂରାତନ ଉତ୍କଳ ବିଶ୍ୱବିଦ୍ୟାଳୟ ୪୮ତମ ସ୍ଥାନରେ ରହିଛି । ଏହା ତୁଳନାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, କିଟ୍‍ ବିଶ୍ୱବିଦ୍ୟାଳୟ ଓ ରାଉରକେଲାର ନିଟ୍‍ ଢେର ଭଲ ସ୍ଥାନରେ ରହିଛନ୍ତି । ସୋଆ ଓ କିଟ୍‍ ଭଳି ଘରୋଇ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିଥିବା ବେଳେ ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା ସମେତ ଅନ୍ୟ ସରକାରୀ ବିଶ୍ୱବିଦ୍ୟାଳୟମାନେ କାହିଁକି ପଛରେ ରହୁଛନ୍ତି ସେ ସଂକ୍ରାନ୍ତରେ ଛାତ୍ର ଓ ଶିକ୍ଷକ ସଂଗଠନ, ରାଜନୈତିକ ଦଳ ଓ ଶିକ୍ଷାବିତ୍‍ମାନେ ଯେଭଳି ଉଦ୍‍ବେଗ ପ୍ରକାଶ କରିବା କଥା ତାହା କିନ୍ତୁ ଦେଖାଯାଉ ନାହିଁ । ରାଜ୍ୟର ଆର୍ôଥକ ସଂକଟକୁ ଟଳାଇବା ପାଇଁ ସରକାର ଆପଣାଇଥିବା ମିତବ୍ୟୟିତା ବ୍ୟବସ୍ଥାରେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷକ ଓ କର୍ମଚାରୀ ମରୁଡ଼ି ଅବସ୍ଥା ଦେଇ ଗତ କରିବାକୁ ବାଧ୍ୟ ହେଉଛନ୍ତି । ଅଥଚ ମୂଳ ସମସ୍ୟାର ସମାଧାନ ନକରି ସରକାର କିନ୍ତୁ ଅଧିକରୁ ଅଧିକ ସଂଖ୍ୟକ ବିଶ୍ୱବିଦ୍ୟାଳୟ ଖୋଲି ଚାଲିଛନ୍ତି । (ତଥ୍ୟ)