ଭୁବନେଶ୍ୱର : ସରକାରୀ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ ଲାଗି ଅନେକ କ୍ଷେତ୍ରରେ ବାହାର ସଂସ୍ଥାମାନଙ୍କର ସହାୟତା ନିଆଯାଉଥିବାରୁ ବ୍ୟାପକ ବିଭ୍ରାଟ ଉପୁଜୁଥିବା ଘେନି ଗୁରୁତର ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ରାଜ୍ୟ ବାହାରର ସଂସ୍ଥାମାନଙ୍କ ଦ୍ୱାରା ଏଭଳି ଚୟନ ପ୍ରକ୍ରିୟାରେ ମଧ୍ୟ ଦୁର୍ନୀତି ଓ ପକ୍ଷପାତିତା ହେଉଥିବା ଘେନି ଅନେକ ଆଶାୟୀ ପ୍ରାର୍ଥୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି ।
ବିଭିନ୍ନ ପାହ୍ୟାର ସରକାରୀ କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଂସ୍ଥାମାନ ରହିଛନ୍ତି । ଜିଲ୍ଲା ସ୍ତରରେ ନିଯୁକ୍ତି ଲାଗି ବି ଆଇନ୍ଗତ ବ୍ୟବସ୍ଥା ରହିଛି । ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ବିଜ୍ଞାପନ ପ୍ରକାଶ କାର୍ଯ୍ୟ ସରକାରୀ ଭାବେ ହେଉଥିବା ବେଳେ ପରୀକ୍ଷା ପରିଚାଳନା, ମୂଲ୍ୟାୟନ ଓ ଯୋଗ୍ୟତା ତାଲିକା ପ୍ରସ୍ତୁତ କାର୍ଯ୍ୟରେ ରାଜ୍ୟ ସରକାରଙ୍କ କେତେକ ଦପ୍ତର ବାହାରର ସଂସ୍ଥାମାନଙ୍କୁ ଦାୟିତ୍ୱ ଦେଉଛନ୍ତି । ଏମାନେ ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ଓ ଯୋଗ୍ୟତା ତାଲିକା ପ୍ରସ୍ତୁତ କରି ଧରାଇ ଦେଉଛନ୍ତି ଏବଂ ସେହି ଆଧାରରେ ଅନେକ ସ୍ଥଳରେ ନିଯୁକ୍ତି ଦିଆଯାଉଛି ।
ବିଭିନ୍ନ ଅନୁଦାନପ୍ରାପ୍ତ ଓ ଅର୍ଦ୍ଧ ସରକାରୀ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା ହେଉଛି । ଏହାଫଳରେ ନିଯୁକ୍ତିଦାତା ସରକାରୀ ସଂସ୍ଥା ଉପରେ ଚାପ ଓ ଉତ୍ତରଦାୟିତ୍ୱ ରହୁନାହିଁ । ସେମାନେ କେବଳ ବାହାରର ସଂସ୍ଥା ପ୍ରସ୍ତୁତ କରୁଥିବା ଯୋଗ୍ୟତା ତାଲିକା ଆଧାରରେ ନିଯୁକ୍ତିପତ୍ର ଧରାଇ ଦେଉଛନ୍ତି ।
ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ, ଆଇନ୍ ବିଶାରଦ ଓ ଆଶାୟୀ ପ୍ରାର୍ଥୀମାନେ ଏଭଳି ବ୍ୟବସ୍ଥା ଘେନି ବାରମ୍ବାର ସନ୍ଦେହବ୍ୟକ୍ତ କରିବା ସହିତ ପ୍ରଶ୍ନ ଉଠାଉଛନ୍ତି । ରାଜ୍ୟ ସରକାରଙ୍କ ଏକ ବିଶାଳ ଅମଲାତାନ୍ତ୍ରିକ ବଳ ଥିବାବେଳେ ଟେଣ୍ଡର ଡାକି ପ୍ରାର୍ଥୀ ଚୟନ ଭାର ଅନ୍ୟ ସଂସ୍ଥାଙ୍କ ଉପରେ ନ୍ୟସ୍ତ କରିବା କେବଳ ଅସ୍ମିତା ଉପରେ ପ୍ରଶ୍ନ ଉଠାଉନାହିଁ ଏହା ମଧ୍ୟ ନିଯୁକ୍ତିଦାତାଙ୍କ ଅଯୋଗ୍ୟତା ଓ ଅପରାଗତାକୁ ପଦାରେ ପକାଉଛି ବୋଲି ଅଭିଯୋଗ ହେଉଛି । ଏହି ମେଧା ତାଲିକା ଆଧାରରେ ଦିଆଯାଉଥିବା ନିଯୁକ୍ତିରେ ଅନିୟମିତତା ଓ ପକ୍ଷପାତିତା ଅଭିଯୋଗ ଆଣି ଅନେକ ମାମଲା ବି ରୁଜୁ ହେଉଛି ।
ପ୍ରାଥମିକ ଶିକ୍ଷକ ପଦବୀ ଜିଲ୍ଲାସ୍ତରୀୟ କ୍ୟାଡର ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯିବାରୁ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକର ବହୁ ପ୍ରାର୍ଥୀ ନିଜ ନିଜ ଜିଲ୍ଲାରେ ନିଯୁକ୍ତି ସୁଯୋଗରୁ ବଞ୍ôଚତ ହେଉଥିବା ବେଳେ ଅନ୍ୟ ଜିଲ୍ଲାର ପ୍ରାର୍ଥୀମାନେ ସେଠାରେ ନିଯୁକ୍ତି ପାଉଥିବାରୁ ବହୁ ବିଭ୍ରାଟ ଉପୁଜୁଛି । ଆଉ ଅନେକ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପ୍ରାହ୍ୟାର ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହେଉଛି । ୧୦ବର୍ଷ ତଳୁ ଓଡ଼ିଶାରେ ଏପରି ପରମ୍ପରା ସୃଷ୍ଟି କରାଯାଇ କ୍ରମଶଃ ଓଡ଼ିଶାର ସରକାରୀ ଚାକିରି କ୍ଷେତ୍ରରେ ପ୍ରାର୍ଥୀ ଚୟନ ଭାର ଅଣ ଓଡ଼ିଆ ସଂସ୍ଥାଙ୍କ ହାତରେ ଟେକି ଦିଆଯିବା କେତେଦୂର ଯଥାର୍ଥ ସେଥିଘେନି ନାମ ପ୍ରକାଶ ନକରି ଅନେକ ଅଧିକାରୀ ମଧ୍ୟ ବିସ୍ମୟ ପ୍ରକାଶ କରୁଛନ୍ତି ।
କର୍ମଚାରୀ ଚୟନ ପାଇଁ ଓପିଏସ୍ସି, ଷ୍ଟାଫ୍ ସିଲେକ୍ସନ କମିଶନ, ସର୍ଭିସ୍ ସିଲେକ୍ସନ୍ ବୋର୍ଡ ଆଦି ବହୁ ସଂସ୍ଥା ରହିଛି । ଜିଲ୍ଲା ସ୍ତରରେ ନିଯୁକ୍ତି ଲାଗି ଜିଲ୍ଲାପାଳ, ଏସ୍ପି ଆଦିଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ସେହିଭଳି ଇଞ୍ଜିନିୟରିଂ ସଂସ୍ଥା ଓ ଅନ୍ୟ ବିଭାଗମାନଙ୍କରେ ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲା ସ୍ତରୀୟ ଦପ୍ତରଗୁଡ଼ିକ ଲାଗି ନିଯୁକ୍ତି ପାଇଁ ସ୍ୱତନ୍ତ୍ର ବିଧିବ୍ୟବସ୍ଥା ରହିଛି । ଏଭଳି କ୍ଷେତ୍ରରେ ରାଜ୍ୟ ବାହାରର ସଂସ୍ଥାମାନଙ୍କୁ ସରକାରୀ ଚାକିରିରେ ପଦବୀ ପୂରଣ ଲାଗି ଠିକା ଦେବା ଯୋଗୁ ଆଶାୟୀମାନେ ଠକାମୀରେ ପଡ଼ୁଥିବା ଘେନି ଆଶଙ୍କା ବ୍ୟକ୍ତ କରିବା ସ୍ୱାଭାବିକ । (ତଥ୍ୟ)