ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ଗୋପାଳପୁର ଗାଁରେ ଏକ ପଥର/ଡୋଲୋମାଇଟ୍ ଖଣିରେ ଏକ ଦୁଃଖଦ ବିସ୍ଫୋରଣ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛି ।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଘଟଣାଟି ଢେଙ୍କାନାଳ ଜିଲ୍ଲା ଗୋପାଳପୁର ଗାଁରେ ଜାନୁଆରୀ ୩ତାରିଖ ସନ୍ଧ୍ୟାରେ ଘଟିଥିଲା । କିଛି ଶ୍ରମିକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟରେ ଥିବା ପଥର ଖଣିରୁ ପଥର ଖନନ ଏବଂ ଅନୁସନ୍ଧାନରେ ନିୟୋଜିତ ଥିଲାବେଳେ ବିସ୍ଫୋରଣ ଯୋଗୁଁ ୨ ଜଣ ମୃତ ଓ ଅନେକ ଆହତ ହୋଇଥିଲେ ।
ପଥର ଖଣିରେ ବ୍ଲାଷ୍ଟିଂ ଅନୁମତି ୩୦ ସେପ୍ଟେମ୍ୱର ୨୦୨୫ରେ ଶେଷ ହୋଇଥିଲା ବେଳେ ଏହାର ଲିଜ୍ ଅବଧି ୩୧ ଡିସେମ୍ୱର ୨୦୨୫ରେ ଶେଷ ହୋଇଥିଲା । ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କହିଛନ୍ତି ଯେ, ଖଣି ଲାଇସେନ୍ସ ୩୧ ଡିସେମ୍ୱର ୨୦୨୫ରେ ଶେଷ ହୋଇଯାଇଥିଲା ଏବଂ ଡିସେମ୍ୱରରେ ଲିଜ୍ ଅବଧି ଶେଷ ହେବା ପରେ ମଧ୍ୟ ବେଆଇନ ଖଣି ଏବଂ ବ୍ଲାଷ୍ଟିଂ ଜାରି ରହିଥିଲା ।
ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ଢେଙ୍କାନାଳର ପଥର ଖଣିରେ ବିସ୍ଫୋରଣ ପରେ ପଥର ଖସି ଶ୍ରମିକମାନେ ପ୍ରାଣ ହରାଇଥିବା ଜାଣିବା ପରେ ମୁଁ ଗଭୀର ଦୁଃଖିତ । ଏହି ଦୁଃଖଦ ସମୟରେ ମୁଁ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରୁଛି । ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଲା ଏବଂ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଉପଯୁକ୍ତ ତଦନ୍ତ କରାଯାଉ ଏବଂ ସରକାର ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦୃଷ୍ଟି ଦିଅନ୍ତୁ ।
ଅତୀତରେ ଓଡିଶା ବିଧାନସଭାର ଉପବାଚସ୍ପତି ଓଡ଼ିଶାରେ ଖଣିଜ ଲୁଟ୍ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏବଂ ବାଲେଶ୍ୱରର ସାଂସଦ ସୁବର୍ଣ୍ଣରେଖା ନଦୀରେ ବେଆଇନ ବାଲି ଖଣି ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ । ତମାମ ପ୍ରଚେଷ୍ଟା ସତ୍ତ୍ୱେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, ଯାହା ଦର୍ଶାଉଛି ସରକାରୀ ପ୍ରରୋଚନାରେ ଓଡିଶା ସାରା ଖଣି ଲୁଟ ଚାଲିଛି । ଯାହା ଫଳରେ ଗୁରୁ ଖଣିଜ ରାଜସ୍ୱ ଆଦାୟ ୫୦ ହଜାର କୋଟିରୁ ଖସି ୩୪ ହଜାର କୋଟିରେ ପହଞ୍ଚିଛି । ସେହିଭଳି ଲଘୁ ଖଣିଜ ରାଜସ୍ୱ ଆଦାୟ ୧୪ ଶହ ୮୫ କୋଟିରୁ ଖସି ୬ ଶହ କୋଟିରେ ପହଞ୍ଚିଛି ।
ଡ଼ ମହାନ୍ତି ଆହୁରି କହିଥିଲେ, ବିଜେପି ସରକାର ଖଣିଜ ଗର୍ଭା ଓଡିଶାକୁ ଯେପରି ଲୁଟ କରିଚାଲିଛି, ସମସ୍ତ ଖଣିଜ ସଂପଦ ଆଗାମୀ ୫ ବର୍ଷ ମଧ୍ୟରେ ଶେଷ ହୋଇଯିବ । ପ୍ରଥମେ ଏହି ଘଟଣାର ସଂଜ୍ଞାନ ନେଇ ବିସ୍ଫୋରଣ ଘଟାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ବେଆଇନ ବିସ୍ଫୋରଣ କରିଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ଦାବି କରିଛି ।

