Home Judiciary ସରକାରୀ ଚାକିରି ପାଇଁ ବୟସ ସୀମା ମାମଲା

ସରକାରୀ ଚାକିରି ପାଇଁ ବୟସ ସୀମା ମାମଲା

ଭୁବନେଶ୍ୱର : ଖାଲି ପଡୁଥିବା ବିଭିନ୍ନ ପାହ୍ୟାର ସରକାରୀ ପଦ ପଦବୀଗୁଡ଼ିକ ପ୍ରତିବର୍ଷ ପୂରଣ କରାଯାଉନଥିବାରୁ ଅନେକ ଆଶାୟୀ ପ୍ରାର୍ଥୀଙ୍କ ବୟସ ଅତିକ୍ରମ କରିଯାଉଛି । ନିଯୁକ୍ତି ବିଜ୍ଞାପନ ପ୍ରକାଶ ସହିତ ଏଥିପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବାମାତ୍ରେ ବୟସାତିକ୍ରାନ୍ତ ଆଶାୟୀମାନେ ଆଇନ୍‍ ଅଦାଲତର ବାରମ୍ବାର ଦ୍ୱାରସ୍ଥ ହେବା ଫଳରେ ନିଯୁକ୍ତି ପ୍ରକ୍ରିୟା ବ୍ୟାହତ ହେଉଛି ।

ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ସରକାରୀ ଚାକିରିର ବିଭିନ୍ନ ବର୍ଗରେ ପ୍ରାୟ ୨ଲକ୍ଷ ୫ ହଜାର ପଦବୀ ଖାଲି ପଡିଥିଲା । ପ୍ରତି ମାସରେ ଅବସର, ବହିଷ୍କାର, ଅସମୟ ମୃତ୍ୟୁ, ଇସ୍ତଫା ଆଦି ବିଭିନ୍ନ କାରଣରୁ ବି ପଦ ପଦବୀମାନ ଖାଲି ହେଉଛି । ତେବେ ଅନେକ ପଦବୀ ପାଇଁ ଥିବା ନିଯୁକ୍ତି ନିୟମାବଳୀରେ ପ୍ରତିବର୍ଷ ପଦବୀ ପୂରଣଲାଗି ପଦକ୍ଷେପ ନେବାକୁ ବ୍ୟବସ୍ଥା ଥିବାବେଳେ ୧୯୯୯ରୁ ଅନୁସରଣ କରାଯାଉଥିବା ଖର୍ଚ୍ଚକାଟ ଓ ମିତବ୍ୟୟିତା ଆଳରେ ବର୍ଷବର୍ଷ ଧରି ବ୍ୟାପକ ସରକାରୀ ଚାକିରି ଖାଲି ପଡିଛି ।

ଓଡ଼ିଶା ସିଭିଲ୍‍ ସର୍ଭିସ ଫିକ୍ସସେସନ୍‍ ଅଫ୍‍ ଅପର ଏଜ୍‍ ଲିମିଟ୍‍ ରୁଲ୍‍ରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି । ବିଭିନ୍ନ ସମୟରେ ସରକାର ସର୍ବନିମ୍ନ ଓ ସର୍ବୋଚ୍ଚ ବୟସ ସୀମାରେ ପରିବର୍ତ୍ତନ କରିଥାନ୍ତି । ଏହି ଆଇନ୍‍ରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଯଦି କୌଣସି କାରଣରୁ ସରକାରୀ ନିଯୁକ୍ତିଦାତାମାନେ ଖାଲି ପଦବୀ ପାଇଁ ଆବେଦନ ଦରଖାସ୍ତ ଗ୍ରହଣ କରିନପାରନ୍ତି ତେବେ ଯେତେବର୍ଷ ଧରି ନିଯୁକ୍ତି ବିଜ୍ଞାପନ ସଂପୃକ୍ତ ପଦବୀ ପାଇଁ ପ୍ରକାଶ ପାଇନଥିବ ପ୍ରାର୍ଥୀମାନଙ୍କ ବୟସ ସୀମା ସେତେ ବର୍ଷ କୋହଳ କରାଯିବ ।

ଅର୍ଥାତ୍‍ ଯେଉଁ ପଦବୀ ପାଇଁ ସର୍ବୋଚ୍ଚ ବୟସ ସୀମା ୩୮ବର୍ଷ ରହିଛି ତାହା ପୂରଣ ପାଇଁ ଯଦି ୫ବର୍ଷ ଧରି ବିଜ୍ଞାପନ ପ୍ରକାଶ ପାଇନଥାଏ ତେବେ ଆଶାୟୀ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମା ୫ବର୍ଷ କୋହଳ କରାଯାଇ ୪୩ବର୍ଷ କରାଯିବା କଥା ବୋଲି ଆଇନ୍‍ ବିଶାରଦମାନେ ମତ ଦେଉଛନ୍ତି ।

ବିଭିନ୍ନ ପଦପଦବୀରେ ନିଯୁକ୍ତି ଲାଗି ଯେଉଁସବୁ ଆଇନ୍‍ଗତ ବ୍ୟବସ୍ଥା ରହିଛି ତାହାର ଠିକଣା ଅନୁପାଳନ କରାଗଲେ ସରକାରୀ ଚାକିରିରେ ପଦବୀ ଖାଲି ପଡନ୍ତାନାହିଁ କିମ୍ବା ବେକାର ଯୁବକ ଯୁବତୀମାନେ ବୟସାତିକ୍ରାନ୍ତ ବୋଝରେ ଭାଙ୍ଗନ୍ତେ ନାହିଁ । ଏହାଛଡ଼ା ନିଯୁକ୍ତି ସଂକ୍ରାନ୍ତୀୟ ଆଇନ୍‍ ଏବଂ ବିଶେଷକରି ସ୍ଥାନ ସଂରକ୍ଷଣ ଆଇନ୍‍ର ତ୍ରୁଟିପୂର୍ଣ୍ଣ ତର୍ଜମା କରାଯିବା ଫଳରେ ଚାକିରି ସଂକ୍ରାନ୍ତୀୟ ମାମଲା ସଂଖ୍ୟା ବୃଦ୍ଧି ପାଉଛି । କେବଳ ସେତିକି ନୁହେଁ, ଯୋଗ୍ୟ ପ୍ରାର୍ଥୀ ଚୟନ ଲାଗି ହେଉଥିବା ପ୍ରକ୍ରିୟା କେତେକ କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ରହୁଥିବାରୁ ଏଥିଲାଗି ବି ଉଭୟ ଆଶାୟୀ ପ୍ରାର୍ଥୀ ଓ ସରକାରୀ କଳକୁ ତଣ୍ଡ ଗଣିବାକୁ ପଡୁଛି ।

ଫିକ୍ସସେସନ୍‍ ଅଫ୍‍ ଅପର ଏଜ୍‍ ଲିମିଟ୍‍ ରୁଲ୍‍କୁ କେତେକ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇ ସର୍ବୋଚ୍ଚ ବୟସ ସୀମା କୋହଳ କରାଯାଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହାକୁ ନିଯୁକ୍ତି ବିଜ୍ଞାପନରେ ଏଡ଼ାଇ ଦିଆଯାଉଥିବାରୁ ସମସ୍ୟା ବଢ଼ୁଛି । ନିଯୁକ୍ତି ପ୍ରସଂଗରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ମଧ୍ୟ କେତେକ କ୍ଷେତ୍ରରେ ଠିକଣା ଭାବେ ଅନୁପାଳନ କରାଯାଉନଥିବାରୁ ଅଦାଲତ ଅବମାନନା ମାମଲା ବଢ଼ୁଛି ।

ନିଯୁକ୍ତି ଓ ସଂରକ୍ଷଣ ଆଇନ୍‍ର ତ୍ରୁଟିପୂର୍ଣ୍ଣ ତର୍ଜମା କରି ଲୋକସେବା ଆୟୋଗ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ୍‍ ଦେଇଥିବା ଘଟଣାରେ ପ୍ରାୟ ୫ବର୍ଷ ଧରି ଅଦାଲତ ଲଢ଼େଇ ଚାଲିବା ପରେ ସଂପୃକ୍ତ ପ୍ରାର୍ଥୀଙ୍କୁ ଓଏଏସ୍‍ ଚାକିରିରେ ୨୦୨୪ ଫେବୃଆରୀ ସୁଦ୍ଧା ନିଯୁକ୍ତି ଦେଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା ହାଇକୋର୍ଟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ରାୟରେ ସ୍ପଷ୍ଟ ନିର୍ଦ୍ଦେଶ ଥିଲା । ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ୱ ବିଭାଗ ବିଳମ୍ବରେ ହେଲେ ମଧ୍ୟ ଏହି ବଞ୍ଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇଥିଲେ ବି ରାୟରେ ଥିବା ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକୁ ପାଳନ କରୁନାହାନ୍ତି କିମ୍ବା ହାଇକୋର୍ଟରେ ପ୍ରାୟ ବର୍ଷେ ହେବ ଅନୁପାଳନ ରିପୋର୍ଟ ଦାଖଲ କରୁନାହାନ୍ତି । (ତଥ୍ୟ)