ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଏବେ ବି ବହୁ ସରକାରୀ ଦପ୍ତରରେ ମହିଳା କର୍ମଚାରୀମାନଙ୍କ ପ୍ରତିନିଧିତ୍ୱ ହାର ଢେର କମ୍ ରହୁଛି । ଖାଲି ପଡିଥିବା ପାଖପାଖି ୨ଲକ୍ଷ ସରକାରୀ ଚାକିରି ପୂରଣ କରିବା ସହିତ ଏଥିରେ ଯୋଗ୍ୟତା ଭିତ୍ତିରେ ଓ ସଂରକ୍ଷଣ ଆଧାରରେ ମହିଳାମାନଙ୍କୁ ନିଯୁକ୍ତି ଦେବାଲାଗି ଅଗ୍ରଣୀ ମହିଳା ସଂଗଠନ ନାଓ ପକ୍ଷରୁ ଦାବି କରାଯାଇଛି ।
ଆଜି ଏଠାରେ ଅନୁଷ୍ଠିତ ନାଓ ର ଏକ ସାଧାରଣ ସଭାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମହିଳା ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ନିଶା ସାମଗ୍ରୀର ବହୁଳ ପ୍ରସାର, ବିଭିନ୍ନ କିସମର ଅପରାଧ ସମେତ ନାରୀ ଓ ଶିଶୁ ନିର୍ଯ୍ୟାତନା ବୃଦ୍ଧି, ଭୂମି ଅଧିକାର କ୍ଷେତ୍ରରେ ମହିଳାମାନଙ୍କୁ ଉପେକ୍ଷା ଏବଂ ସର୍ବୋପରି ଗ୍ରାମାଞ୍ଚଳର ବିକାଶରେ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ସାମିଲ କରାଯାଉନଥିବା ଘେନି ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ସେମାନଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।
ଏନ୍ସିଆରବି ରିପୋର୍ଟର ସର୍ବଶେଷ ତଥ୍ୟ ଅନୁଯାୟୀ ଓଡିଶାରେ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରୁ ବର୍ଷରେ ମାତ୍ର ୪.୨ ପ୍ରତିଶତ ଫଏସଲା ହେଉଥିବାବେଳେ ଦଣ୍ଡବିଧାନ ହାର ୯.୨ ପ୍ରତିଶତରେ ସୀମିତ ଥିବା ଘେନି ଏହି ସାଧାରଣ ସଭାରେ ଉଦବେଗପ୍ରକାଶ ପାଇଥିଲା । ଏଭଳି ମାମଲା ସବୁ ବର୍ଷ ବର୍ଷ ଧରି ଗଡିବା ଫଳରେ ସାକ୍ଷ୍ୟ ପ୍ରମାଣ ଦୁର୍ବଳ ହୋଇ ଅପରାଧିମାନେ ସହଜରେ ଖସିଯାଉଥିବାରୁ ଆଇନ୍ଶୃଙ୍ଖଳା ବ୍ୟବସ୍ଥା ବିଗୁଡୁଛି । ଏବେ ରାଜ୍ୟରେ ଏହି କିସମର ପ୍ରାୟ ୨ଲକ୍ଷ ଅପରାଧିକ ମାମଲା ବିଚାରାଧିନ ଥିବାବେଳେ ଥାନାମାନଙ୍କରେ ବି ଢେର ମାମଲା ତଦନ୍ତପାଇଁ ରହିଛି । ଏଭଳି ମାମଲାଗୁଡିକର ତଦନ୍ତ ଓ ଚୂଡାନ୍ତ ବିଚାର ଯେଭଳି ସୀମିତ ସମୟ ମଧ୍ୟରେ ହୋଇପାରିବ ସେ ଦିଗରେ ସରକାର ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉଠୁଛି ।
ନିଶା ପ୍ରସାର ଯୋଗୁଁ ରାଜ୍ୟର ଯୁବ ଶକ୍ତି ବିଭ୍ରାନ୍ତ ହେବା ସହିତ ଜୀବନ ଜୀବିକା ଉଜୁଡୁଥିବା କଥା ସରକାର ସ୍ୱୀକାର କରି ‘ନିଶା ନୁହେଁ ଜୀବନ’ ସ୍ଲୋଗାନ ଦେଉଛନ୍ତି । କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନ ଚଳାଉଛନ୍ତି । ଏହା ସତ୍ୱେ ବି ନିଶା କମିବା ପରିବର୍ତ୍ତେ ବଢି ଚାଲୁଛି ଏବଂ ସ୍ୱତଃସ୍ପୁର୍ତ୍ତ ଭାବରେ ବହୁ ଅଞ୍ଚଳରେ ମହିଳାମାନେ ମଦମୁକ୍ତି ଆନ୍ଦୋଳନ ଚଳାଇବା ସଂଗେ ସଂଗେ ଚୋରା ମଦଭାଟିମାନ ଭାଙ୍ଗୁଛନ୍ତି । କିନ୍ତୁ ସେମାନଙ୍କ ଏହି କାର୍ଯ୍ୟକ୍ରମକୁ ସରକାରଙ୍କ ପକ୍ଷରୁ ସହଯୋଗ ମିଳୁନଥିବାବେଳେ ନିଶା ମାଫିଆମାନେ ଆନ୍ଦୋଳନକାରୀମାନଙ୍କୁ ଟାର୍ଗେଟ କରୁଛନ୍ତି ।
ଏ ପରିପ୍ରେକ୍ଷୀରେ ରାଜ୍ୟସରକାର ମଦ ନୀତିରେ ଆମୂଳଚୂଳ ପରିବର୍ତ୍ତନ ଆଣି ଓଡିଶାକୁ ନିଶାମୁକ୍ତ ରାଜ୍ୟରେ ପରିଣତ କରିବାପାଇଁ ଏହି ସଭାରେ ଦାବି ଉଠିଛି । ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ମହିଳା, ମହିଳା ସଂଗଠନ ଓ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କୁ ଯୋଡିବାପାଇଁ ବିଭିନ୍ନ ଜିଲ୍ଲାରୁ ମଧ୍ୟ ପ୍ରସ୍ତାବ ଆସିଛି । ମହିଳାମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧ ଘେନି ଉଦବେଗପ୍ରକାଶ କରାଯିବା ସହ ଏହାର ନିୟନ୍ତ୍ରଣ ଲାଗି ତ୍ୱରିତ ପଦକ୍ଷେପ ପାଇଁ ପ୍ରସ୍ତାବ ଦିଆଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ନେସନାଲ ଆଲାଏନ୍ସ ଅଫ୍ ୱିମେନ୍ (ନାଓ) ହେଉଛି ଏକ ସର୍ବଭାରତୀୟ ସଂଗଠନ । ଏହାର ଓଡିଶା ଶାଖା ସହିତ ସମସ୍ତ ଜିଲ୍ଲାର ୫ଶହରୁ ଅଧିକ ସ୍ୱେଚ୍ଛାସେବୀ ସଂସ୍ଥା ଜଡିତ ଅଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ସହିତ ମହିଳାମାନଙ୍କ ବିଭିନ୍ନ ଅଧିକାର ସାବ୍ୟସ୍ତ ଲାଗି ନବେ ଦଶକରୁ ଏହି ମଞ୍ଚ ନିରନ୍ତର ଉଦ୍ୟମ ଜାରି ରଖିଛି । (ତଥ୍ୟ)