ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଓ କଟକରେ ୧୧ହଜାରରୁ ଅଧିକ ସରକାରୀ ବାସଗୃହ ଥିବାବେଳେ ଏହାର ରକ୍ଷଣା ବେକ୍ଷଣ ପାଇଁ ରାଜ୍ୟ ସରକାର ୧୧କୋଟିରୁ ଅଧିକ ଅର୍ଥ ଯୋଗାଇ ଦେଇଛନ୍ତି । ସେହିଭଳି ଏହି ସରକାରୀ କ୍ୱାଟର୍ସରେ ବିଦ୍ୟୁତ୍ ମରାମତି, ପରିମଳ, ଜଳଯୋଗାଣ, ସ୍ନାନାଗାର ଓ ଶୌଚାଳୟର ମରାମତି ପାଇଁ ମଧ୍ୟ ପୃଥକ ଭାବେ ଅର୍ଥ ଯୋଗାଇ ଦିଆଯାଇଛି ।
ସରକାରୀ ସୂଚନା ମୁତାବକ ରାଜଧାନୀରେ ରହିଛି ସର୍ବାଧିକ ୧୧,୩୭୪ଟି ସରକାରୀ ବାସଗୃହ । ଏଥି ମଧ୍ୟରେ ଉଚ୍ଚ ବର୍ଗରେ ୫୮୩ଟି ଘର ଥିବାବେଳେ ମଧ୍ୟମ ବର୍ଗରେ ୧୦୬୨ ଓ ନିମ୍ନ ବର୍ଗରେ ୯୭୨୯ଟି ବାସଗୃହ ରହିଛି । କଟକରେ ରହିଛି ମାତ୍ର ୧୪୦ଟି ସରକାରୀ ବାସଗୃହ ।
ଏହିସବୁ ସରକାରୀ ଘରଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ଲାଗି ରାଜ୍ୟ ସରକାର ୨୦୨୪-୨୫ ବର୍ଷରେ ୧୧କୋଟି ୩୫ଲକ୍ଷ ଟଙ୍କା ଯୋଗାଇ ଦେଇଥିବାବେଳେ ଏହି ସବୁ ସରକାରୀ ଘରର ବୈଦ୍ୟୁତିକ ମରାମତି ଲାଗି ୩କୋଟି ୫୦ଲକ୍ଷ ଟଙ୍କା ଦିଆଯାଇଛି । ସେହିଭଳି ସରକାରୀ ଘର ଗୁଡିକରେ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥାର ସ୍ୱତନ୍ତ୍ର ବିକାଶ ପାଇଁ ୧୪କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ରାଜଧାନୀରେ ଥିବା ନିମ୍ନ ବର୍ଗର ମୋଟ୍ ୯୬୪୪ଟି ସରକାରୀ ବାସଗୃହର ସ୍ନାନାଗାର ଓ ଶୌଚାଳୟର ଉନ୍ନତିକରଣ ନିମନ୍ତେ ୧୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।
ସରକାରୀ ବାସଗୃହଗୁଡିକରେ ଗ୍ୟାରେଜ ନିର୍ମାଣ ପାଇଁ ସରକାର ୨.୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ପାଚେରୀ ମରାମତି ଓ ନିର୍ମାଣ ପାଇଁ ୫୦ଲକ୍ଷ ଟଙ୍କା, ଗ୍ୟାରେଜ ମରାମତି ଲାଗି ୫୦ଲକ୍ଷ ଟଙ୍କା, ସରକାରୀ ବାସଗୃହରୁ ଆବର୍ଜନା ନିଷ୍କାସନ ଓ ନାଳ ନର୍ଦ୍ଦମାର ଉନ୍ନତିକରଣ ପାଇଁ ୩କୋଟି ଟଙ୍କା ପ୍ରଦାନ କରାଯାଇଛି ।
ରାଜଧାନୀରେ ଅଧିକ ସଂଖ୍ୟକ ବହୁତଳ ବିଶିଷ୍ଟ ସରକାରୀ ବାସଗୃହ ନିର୍ମାଣ ପାଇଁ ସରକାର ୬୩କୋଟି ୩୧ଲକ୍ଷ ଟଙ୍କା ଯୋଗାଇ ଦେଇଥିବାବେଳେ ରାଜ୍ୟ ସଚିବାଳୟରେ ପରିଷ୍କାର ପରିଚ୍ଛନ୍ନତା ତଥା ସଫେଇ ଓ ପରିମଳ ଆଦି ପାଇଁ ୫.୫୦କୋଟି, ଲୋକସେବା ଭବନରେ ଅଗ୍ନି ନିର୍ବାପନ ପାଇଁ ୧.୫୦କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।
ସରକାରୀ ବାସଗୃହ ବାଦ୍ କାର୍ଯ୍ୟାଳୟ ଚାଲୁଥିବା ସରକାରୀ କୋଠାବାଡିର ମରାମତି ଲାଗି ସରକାର ୩୯କୋଟି ୫୦ଲକ୍ଷ ଟଙ୍କା ଯୋଗାଇ ଦେଇଥିବାବେଳେ ଏହିସବୁ କୋଠାରେ ବୈଦ୍ୟୁତିକ ମରାମତି ଓ ରକ୍ଷଣା ବେକ୍ଷଣ ଲାଗି ପ୍ରାୟ ୨୭କୋଟି ଟଙ୍କା ଦେଇଛନ୍ତି । ଭୁବନେଶ୍ୱରରେ ଥିବା ସରକାରୀ ଅଣଆବାସିକ ଅଟ୍ଟାଳିକାର ଉନ୍ନତିକରଣ (ପିଏଚ୍)ପାଇଁ ୨୨କୋଟି ୮୮ଲକ୍ଷ ଟଙ୍କା ଯୋଗାଣ ଦେଇଛନ୍ତି ।
ରାଜଧାନୀରେ ବିଧାୟକମାନଙ୍କୁ ୯୪ଟି ସରକାରୀ ବାସଗୃହ ଆବଣ୍ଟିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ୧୬ଟି ବାସଗୃହ ଦିଆଯାଇଛି । ଏଥି ସହିତ ବାଚସ୍ପତିଙ୍କୁ ମଧ୍ୟ ଗୋଟିଏ ସରକାରୀ ଘର ଆବଣ୍ଟିତ ହୋଇଛି । ଏହିଭଳି ମୋଟ୍ ୧୧୧ଟି ସରକାରୀ ବାସଗୃହ ଯୋଗାଇ ଦିଆଯାଇଛି । (ତଥ୍ୟ)