ଭୁବନେଶ୍ୱର : ରାଜଧାନୀର ସରକାରୀ କ୍ୱାଟର୍ସ, ଶିକ୍ଷାନୁଷ୍ଠାନ ଓ ଅନ୍ୟ ସାଧାରଣ ସ୍ଥାନମାନଙ୍କରେ ବ୍ୟାପକ ଚାରା ରୋପଣ ଲାଗି ଯୋଜନା ଚାଲିଛି । ଏଥିଲାଗି କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ସରକାରୀ କ୍ୱାଟର୍ସଗୁଡିକରେ ରହୁଥିବା ଲୋକଙ୍କୁ ପୁଷ୍ଟିକର ପନିପରିବା ଯୋଗାଇବାପାଇଁ ଅମୃତଭଣ୍ଡା, ସଜନା ଓ କଦଳୀ ଚାରା ଯୋଗାଯିବ । ଏହାଛଡା ଆମ୍ବ, ପଣସ ଭଳି ଫଳଗଛର ଚାରା ବି ଲଗାଯିବ । କୃଷିମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହି କାର୍ଯ୍ୟକ୍ରମ ଉପରେ ବିଶେଷ ଗୁରୁତ୍ୱଆରୋପ କରୁଛନ୍ତି ।
ପଥପାର୍ଶ ବୃକ୍ଷରୋପଣ ଜଙ୍ଗଲ ବିଭାଗ କରିଚାଲିଥିବାବେଳେ ମହାମାତ୍ୟା, ଫନି, ଫାଇଲିନ୍, ଅମ୍ଫାନ ଆଦିରେ ସରକାରୀ କ୍ୱାଟର୍ସଗୁଡିକରେ ନଷ୍ଟହୋଇଯାଇଥିବା ଆମ୍ବ, ପଣସ ପ୍ରଜାତିର ବଡ ବଡ ଗଛ ଆଉ ବିଶେଷ ଲାଗିନାହିଁ । ତେବେ କିଛିବର୍ଷ ତଳେ କୃଷିବିଭାଗ ପକ୍ଷରୁ କେତେକ କ୍ୱାଟର୍ସକୁ ନଡିଆଚାରା ଯୋଗାଯାଇଥିଲା ଓ ସେଥିରୁ କେତେକରେ ଏବେ ଭଲ ଫଳ ଫଳୁଛି ।
କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କରୋନା ପରିପ୍ରେକ୍ଷୀରେ ଲୋକଙ୍କର ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଯେଉଁ ପ୍ରକାର ପନିପରିବା ଦରକାର ତାହା ଅମୃତଭଣ୍ଡା, ସଜନା, କଦଳୀ ଆଦିରୁ ପ୍ରଚୁର ପରିମାଣରେ ମିଳିପାରିବ । ସଜନା ଶାଗ ଓ ଛୁଇଁରେ ଦୁଗ୍ଧ, ଅଣ୍ଡା, ମାଛ, ମାଂସ, ଲେମ୍ବୁ, କମଳା ଆଦି ତୁଳନାରେ ଢେର ଅଧିକ ପରିମାଣର ଭିଟାମିନ୍, କ୍ୟାଲସିୟମ ଓ ଆଇରନ୍ ଆଦି ରହିଛି । ସେହିପରି ଅମୃତଭଣ୍ଡା ଓ କଦଳୀ ମଧ୍ୟ ଶରୀରର ପୁଷ୍ଟିସାଧନ ସହିତ ରୋଗପ୍ରତିରୋଧ ଶକ୍ତି ବଢାଉଥିବା ଉପାଦାନ ଯୋଗାଇବାରେ ବେଶ୍ ସହାୟକ ହୋଇଥାନ୍ତି ।
ରାଜଧାନୀର ପାଣି ପବନରେ ଅମୃତଭଣ୍ଡା, କଦଳୀ ଓ ସଜନା ବେଶ୍ ଭଲ ହୋଇଥାଏ । ପ୍ରତିସରକାରାୀ କ୍ୱାଟର୍ସରେ ଯଦି ଏହି ଗଛଗୁଡିକ ରହିପାରିବ ତେବେ ପରିବା ବଜାର ଉପରେ ମଧ୍ୟ ଢେର କମ୍ ଚାପ ପଡିବ । ଏହାଛଡା ଯେଉଁସବୁ ସରକାରୀ କ୍ୱାଟର୍ସରେ ବଗିଚାପାଇଁ ଅଧିକ ସ୍ଥାନ ରହିଛି ସେଠାରେ ଆମ୍ବ, ପଣସ ଜାତୀୟ ଗଛ ଲଗାଗଲେ ଅଧିକ ଅମ୍ଳଜାନ ଓ ଛାଇ ମିଳିବା ସହିତ ବଢୁଥିବା ଉତ୍ତାପର ପ୍ରକୋପରୁ ବି ଅନେକ ପରିମାଣରେ ଆଶ୍ୱସ୍ତି ମିଳିବ ।
କୃଷି ବିଭାଗର ଅଧିକାରୀମାନେ କହୁଛନ୍ତି ଯେ ସରକାରୀ କ୍ୱାଟର୍ସଗୁଡିକରେ ଚାରା ରୋପଣ କାର୍ଯ୍ୟକ୍ରମକୁ ବାଧ୍ୟତାମୂଳକ କରାଯିବା ସହିତ ଏଥିରେ ଏନ୍ସିସି,ଏନଏସ୍ଏସ୍, ସ୍କାଉଟ ଗାଇଡ୍ ସମେତ ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନଗୁଡିକୁ ସାମିଲ କରାଯାଇପାରିଲେ ଏହି କାର୍ଯ୍ୟକ୍ରମରୁ ବିଶେଷ ସୁଫଳ ମିଳିପାରିବ ।
କେବଳ ଭୁବନେଶ୍ୱରରେ ନୁହେଁ, ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବି ପଞ୍ଚାୟତ ଓ ପୌରସଂସ୍ଥାର ନିର୍ବାଚିତ ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀ ସଂଗଠନ, ଅଙ୍ଗନବାଡି ଓ ଆଶାକର୍ମୀମାନେ ଏ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ବିଶେଷକରି ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଅଧିକ ସଂଖ୍ୟକ ଅମୃତଭଣ୍ଡା, ସଜନା ଓ କଦଳୀ ଆଦି ଲାଗିଲେ ପିଲାଙ୍କୁ ମଧ୍ୟାହ୍ନଭୋଜନରେ ବେଶି ଭିଟାମିନ୍ଯୁକ୍ତ ଖାଦ୍ୟ ମିଳିପାରିବ ।
ଏଥିଲାଗି କେନ୍ଦ୍ରୀଭୂତ ବ୍ୟବସ୍ଥା ଉପରେ ନିର୍ଭର ନକରି ପ୍ରତି ଗାଁରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ସ୍ୱେଚ୍ଛାକୃତ ଭାବେ ଅମୃତଭଣ୍ଡା, ସଜନା, କଦଳୀ ଆଦିର ଚାରା ପ୍ରସ୍ତୁତି ସହ ରୋପଣ କରାଇ ପାରିଲେ ସୀମିତ ସମୟ ମଧ୍ୟରେ ଏଥିରୁ ବଡ ସଫଳତା ମିଳିପାରିବ । (ତଥ୍ୟ)