Home General ସରକାରୀ କୋଠାର ବିଦ୍ୟୁତ ଯାଞ୍ଚ ନିର୍ଦ୍ଦେଶ

ସରକାରୀ କୋଠାର ବିଦ୍ୟୁତ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର : ସବୁ ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ ସୁରକ୍ଷା ବ୍ୟବସ୍ଥାର ତନଖି କରାଯିବ। ବୈଦୁତିକ ଉପକରଣର ନିୟମିତ ଯାଞ୍ଚ ସହ ଆବଶ୍ୟକ ଉନ୍ନତିକରଣ କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବକୁ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଚିବ ସ୍ତରୀୟ ବୈଠକରେ ସବୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିସହ ଆଜି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ବ୍ୟୟ ଓ ଆସନ୍ତା ବଜେଟ ପାଇଁ ହୋଇଥିବା ଲକ୍ଷ୍ୟ ସମ୍ପର୍କରେ ସଚିବ ସ୍ତରୀୟ ବୈଠକରେ ଆଲୋଚନା ହୋଇଛି।

ବୈଠକରେ ଅର୍ଥ ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଅଦ୍ୟାବଧି ହୋଇଥିବା ଆର୍ଥିକ ସ୍ଥିତି ଉପସ୍ଥାପନ କରାଯାଇଥିଲା। ଏହି ଆର୍ଥିକ ବର୍ଷରେ ବଜେଟ ଅନୁମୋଦନ ଅନୁସାରେ ଅଦ୍ୟାବଧି ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା ଖର୍ଚ୍ଚ ଓ ରାଜସ୍ୱ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣର ତଥ୍ୟ ଉପସ୍ଥାପନ କରାଯାଇଥିଲା।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ଓ ଶକ୍ତି ବିଭାଗ ସମେତ ସାମାଜିକ କ୍ଷେତ୍ର ସଂପର୍କିତ ବିଭିନ୍ନ ବିଭାଗରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଖର୍ଚ୍ଚ ହାର ଗତ ବର୍ଷ ଏହି ସମୟ ତୁଳନାରେ ବୃଦ୍ଧି ଘଟିଛି। ବୈଠକରେ ବିଭିନ୍ନ କ୍ଷେତ୍ରରୁ ଅଦ୍ୟାବଧି ରାଜସ୍ୱ ଆଦାୟ ଲକ୍ଷ୍ୟ ପ୍ରାୟ ୭୮.୭୭ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ ଅଗ୍ରଗତି ସହ ଓ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ବଜେଟ୍ ଏବଂ କେନ୍ଦ୍ର ସରକାରଙ୍କ ଓଡ଼ିଶା ସମ୍ପର୍କିତ ବିକାଶମୂଳକ ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ବାବଦରେ ରାଜ୍ୟ ମୁଖ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା, ପୌରାଂଚଳ, ବ୍ଲକ ଓ ଗ୍ରାମସଭା ସ୍ତରରେ ‘ବଜେଟ୍ ସଭା’ ଆୟୋଜନ କରାଯାଇ ଜନସାଧାରଣଙ୍କୁ ସୂଚନା ଦେବାକୁ ପଦକ୍ଷେପ ନିଆଯିବ।ଏହାଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଦକ୍ଷ ଓ ସ୍ୱଚ୍ଛତାର ସହ କାର୍ଯ୍ୟାନ୍ୱୟନ ହୋଇପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏଥିସହ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସ୍ଥିର କରାଯାଇଛି। ଆଗାମୀ ଜୁନ୍ ମାସ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲିଥିବା ୬୫  ହଜାର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ସେ ମଧ୍ୟରୁ ୪୧,୦୬୩ଟି ପଦବୀ ପୂରଣ ହୋଇଛି ଏବଂ ଅବଶିଷ୍ଟ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୧୫  ପଏଣ୍ଟ କାର୍ଯ୍ୟସୂଚୀ ମଧ୍ୟରେ ପ୍ରମୁଖ ପଦକ୍ଷେପ ବିକଶିତ ଓଡ଼ିଶା ୨୦୩୬  ଏବଂ ବିକଶିତ ଭାରତ ୨୦୪୭ ପାଇଁ ପ୍ରସ୍ତୁତ ଓଡ଼ିଶା ଭିଜନର ଲକ୍ଷ୍ୟ ସାଧନ ପାଇଁ ପ୍ରସ୍ତୁତ ପ୍ରମୁଖ ଜନକଲ୍ୟାଣକାରୀ ବିକାଶ କ୍ଷେତ୍ର ପ୍ରକଳ୍ପ ଓ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ଅଗ୍ରଗତି ନେଇ ଆଲୋଚନା କରାଯାଇଥିଲା। ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇ ଆଗାମୀ ଏପ୍ରିଲରୁ ପ୍ରତି ମାସରେ କାର୍ଯ୍ୟ ଅଗ୍ରଗତି  ସମୀକ୍ଷା କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।