Home Administration ବେସରକାରୀ ପ୍ରତିଷ୍ଠାନର କାର୍ଯ୍ୟ ସମୟ ବୃଦ୍ଧି

ବେସରକାରୀ ପ୍ରତିଷ୍ଠାନର କାର୍ଯ୍ୟ ସମୟ ବୃଦ୍ଧି

ଭୁବନେଶ୍ୱର : ବେସରକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ଦୈନିକ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରାଯାଇଛି।  ଏଥିସହିତ କାମ ଭିତରେ କର୍ମଚାରୀଙ୍କୁ ଅଧ ଘଣ୍ଟା ବିଶ୍ରାମ ସହ ଅଧିକ କାମ କଲେ ଓଭରଟାଇମର ବ୍ୟବସ୍ଥା କରାଯାଇଛି। ମହିଳା କର୍ମଚାରୀଙ୍କ ପାଇଁ ରାତିରେ କାମ କରିବା ନିଷ୍ପତ୍ତି ଉପରେ ମଧ୍ୟ ମୋହର ଲଗାଇଛି ରାଜ୍ୟ କ୍ୟାବିନେଟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ ତିନିଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।

ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ୧୯୫୬ ଆଇନ ଓ ଓଡିଶା ଫ୍ୟାକ୍ଟ୍ରିଜ  ଆଇନ ୧୯୪୮ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । କର୍ମଚାରୀଙ୍କ କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରାଯାଇଛି। କାର୍ଯ୍ୟ ସମୟ ମଧ୍ୟରେ ୩୦ ମିନିଟ ବିଶ୍ରାମ ନେବେ କର୍ମଚାରୀ । ଏଥିସହିତ କର୍ମଚାରୀଙ୍କ ପାଇଁ ଓଭରଟାଇମ ବ୍ୟବସ୍ଥା ହୋଇଛି। ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଦୁଇ ଗୁଣ ମଜୁରୀ ପାଇଁ କର୍ମଚାରୀ ହକଦାର ହେବେ ବୋଲି  କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ମହିଳା କର୍ମଚାରୀ ରାତିରେ କାମ କରିବାକୁ ଚାହିଁଲେ ଲିଖିତ ସମ୍ମତି ଦେଇ ସର୍ତ୍ତାବଳି ଅନୁଯାୟୀ କାମ କରିପାରିବେ ବୋଲି କୁହାଯାଇଛି। ସେମାନଙ୍କ ସୁରକ୍ଷା ଓ ଯିବା ଆସିବା ପାଇଁ ଧ୍ୟାନ ଦିଆଯିବ। ଏ ସମ୍ପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ବ୍ୟାପକ ଶିଳ୍ପାୟନ ପାଇଁ ଏଭଳି ସଂସ୍କାରର ଆବଶ୍ୟକତା ପଡ଼ିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିଳ୍ପାୟନ ଓ ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ଶିଳ୍ପସଂସ୍ଥାଙ୍କ କାର୍ଯ୍ୟକୁ ସହଜ କରିବା ପାଇଁ ସମୟ ଓ ଆଵଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହେଉଛି। ଏ ସମ୍ବନ୍ଧୀୟ ୨ ଟି ପ୍ରସ୍ତାବ ଅନୁମୋଦିତ ହେଲା ।

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଏକ ପ୍ରତିଷ୍ଠାନରେ କର୍ମଚାରୀଙ୍କ କାର୍ଯ୍ୟପାଳି ଅତି କମରେ ଅଧଘଣ୍ଟାର ବ୍ୟବଧାନ ବିନା ନିରନ୍ତର ୬ ଘଣ୍ଟାରୁ ଅଧିକ ହେବନାହିଁ । ତ୍ରୈମାସିକ ଓଭର ଟାଇମ କାର୍ଯ୍ୟସୀମା ୧୪୪ ଘଣ୍ଟାକୁ ବୃଦ୍ଧି। କୌଣସି ପ୍ରତିଷ୍ଠାନରେ ଜଣେ କର୍ମଚାରୀ କୌଣସି ଦିନରେ ୧୦ ଘଣ୍ଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିଲେ, ସେ ଏପରି ଓଭରଟାଇମ କାର୍ଯ୍ୟ ବାବଦକୁ ସାଧାରଣ ମଜୁରି ହାରର ଦ୍ୱିଗୁଣିତ ମଜୁରି ପାଇବାକୁ ହକଦାର ହେବେ । ପ୍ରତିଷ୍ଠାନ ଗୁଡିକ ଦିନରାତି ୨୪ ଘଣ୍ଟା ଏବଂ ବର୍ଷକୁ ୩୬୫ ଦିନ ଖୋଲା ରହି ପାରିବ ।

ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ପ୍ରତିବନ୍ଧକ ହଟିବ । ମହିଳା କର୍ମଚାରୀ ମାନଙ୍କୁ ସେମାନଙ୍କ ଲିଖିତ ସମ୍ମତିରେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁଯାୟୀ ରାତ୍ରିରେ ନିୟୋଜିତ କରାଯାଇପାରିବ । ଏହି ସଂସ୍କାର ଗୁଡିକ ରାଜ୍ୟରେ ନୂତନ ଶିଳ୍ପ ଏବଂ ନିବେଶକୁ ଆକର୍ଷିତ କରିବ, କାରଖାନା ଗୁଡିକୁ ସର୍ବୋଚ୍ଚ ଚାହିଦା ପୂରଣ କରିବାରେ ସକ୍ଷମ କରିବ ଏବଂ ଉତ୍ପାଦକତା ବୃଦ୍ଧି କରିବ । ଏହା ଅଧିକ ଓଭର ଟାଇମ କାମ କରିବାକୁ ଅନୁମତି ଦେଇ ଶ୍ରମିକଙ୍କ ରୋଜଗାର ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ । ଭାରତ ସରକାରଙ୍କ ନିୟନ୍ତ୍ରଣ ମୁକ୍ତି ବା ଡି-ରେଗୁଲେସନ ପଦକ୍ଷେପର ପ୍ରାଥମିକତା କ୍ଷେତ୍ରରେ ପ୍ରସ୍ତାବିତ ଏହି ସଂଶୋଧନ ପ୍ରସ୍ତାବ ଗୁଡିକ ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ଦ୍ରୁତ ବ୍ୟବସାୟୀକରଣ ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରିବ, ଯାହା କି ଆମକୁ ବିକଶିତ ଓଡିଶା ଓ ବିକଶିତ ଭାରତ ଗଢିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।